ଓଡ଼ିଶାରୁ କାଶ୍ମୀର ଗଲେ ସିଆରପିଏଫ, ବିଏସଏଫ ଯବାନ୍, ବଢ଼ିବ ନକ୍ସଲ ହିଂସା!

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅର୍ଦ୍ଧସାମରିକ ଯବାନଙ୍କୁ କେନ୍ଦ୍ର ସରକାର କାଶ୍ମୀର ପଠାଉଥିବା ବେଳେ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳରୁ ମଧ୍ୟ ଯବାନଙ୍କୁ ପ୍ରତ୍ୟାହାର କରାଯାଉଥିବାରୁ ନକ୍ସଲ ହିଂସା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ସାଧାରଣତଃ ବର୍ଷା ଦିନରେ ନକ୍ସଲମାନେ ନିଜ ନିଜ କ୍ୟାମ୍ପରେ ରହି ପ୍ରସ୍ତୁତି କରିଥାନ୍ତି ଏବଂ ବର୍ଷା ଋତୁ ସରିବା ପରେ ଆକ୍ରମଣର ସୁଯୋଗ ଖୋଜନ୍ତି । ଏବେ ଯବାନଙ୍କ ସଂଖ୍ୟା ହ୍ରାସ ନକ୍ସଲ ଆକ୍ରମଣର ବାଟ ଖୋଲି ଦେବ ।
ଆମ ରାଉରକେଲା ପ୍ରତିନିଧଙ୍କ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ନକ୍ସଲ ଦମନ ଲାଗି ମୁତୟନ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସ (ସିଆରପିଏଫ୍)ର ୭ଟି କମ୍ପାନି ମଧ୍ୟରୁ ଆଜି ୩ଟି କମ୍ପାନିକୁ କାଶ୍ମୀର ପଠାଯାଇଛି । ଏହା ପୂର୍ବରୁ ଅମରନାଥ ଯାତ୍ରା ଲାଗି ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସକାଶେ ଗୋଟିଏ କମ୍ପାନିକୁ ଗତ ଜୁନ ମାସରେ କାଶ୍ମୀର ପଠାଯାଇଥିଲା । ସିଆରପିଏଫ୍ ଯବାନ ପ୍ରତ୍ୟାହାର ପରେ ନକ୍ସଲ ଉପଦ୍ରୁତ ଅଞ୍ଚଳ ତଥା ଝାଡ଼ଖଣ୍ଡ ସୀମାନ୍ତକୁ ଲାଗି ରହିଥିବା ଥାନାଗୁଡ଼ିକ ଖାଲି ହୋଇ ଯାଇଛି ।
ନକ୍ସଲ ଦମନ ଲାଗି ୨୦୦୯ରେ ସୁନ୍ଦରଗଡ଼ ଜିଲ୍ଲାରେ ସିଆରପିଏଫ୍ ଯବାନ ମୁତୟନ ହୋଇଥିଲେ । ୧ସିଆରପିଏଫର ୭ଟି କମ୍ପାନିରୁ ୩ଟିକୁ ନକ୍ସଲ ଉପଦ୍ରୁତ କୋଇଡ଼ାର କାଲଟା ଫାଣ୍ଡି, ଗୁରୁଣ୍ଡିଆ ଓ ଚାନ୍ଦିପୋଷ ଥାନାରେ ମୁତୟନ କରାଯାଇଥିଲା । ବାକି ୪ଟି କମ୍ପାନିରୁ ଦୁଇଟିକୁ ଲାଠିକଟା ଓ ବିଶ୍ରା ଥାନାରେ ନିୟୋଜିତ କରାଯାଇଥିଲା । ତେବେ ଗତ ୬ ମାସ ପୂର୍ବରୁ ଲାଠିକଟା ଓ ବିଶ୍ରା ଥାନାରୁ ଯବାନମାନଙ୍କୁ ପ୍ରତ୍ୟାହାର କରାଯାଇ ରାଉରକେଲାରେ ଥିବା ସିଆରପିଏଫ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା । ଏହି ଦୁଇଟି କମ୍ପାନିରୁ ଗୋଟିଏ କମ୍ପାନିକୁ ଏଠାରୁ ସ୍ଥାନାନ୍ତର କରାଯାଇ ନବରଙ୍ଗପୁରସ୍ଥିତ ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତରେ ମୁତୟନ କରାଯାଇଛି । ଏଠାରେ ଅବସ୍ଥାପିତ ଥିବା ଅନ୍ୟ କମ୍ପାନିକୁ ଅମରନାଥ ଯାତ୍ରା ଲାଗି ଗତ ଜୁନରେ କାଶ୍ମୀର ପଠାଇ ଦିଆଯାଇଥିଲା । କାଲଟା, ଗୁରୁଣ୍ଡିଆ ଓ ଚାନ୍ଦିପୋଷରେ ମୁତୟନ ଥିବା ୩ କମ୍ପାନି ଗତକାଲି କାଶ୍ମୀର ଯିବା ଲାଗି କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିଲା । ଆଜି ଭୋର୍ ସମୟରେ ଯବାନମାନଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି । ବାକି ଦୁଇଟି କମ୍ପାନି ଏବେ କେ.ବଲାଙ୍ଗ ଓ ଜାମୁଡିହିରେ ମୁତୟନ ଅଛନ୍ତି ।
ଆମ ରାୟଗଡ଼ା ପ୍ରତିନିଧ ଜଣାଇଛନ୍ତି, ରାୟଗଡ଼ା ଓ ମୁନିଗୁଡ଼ାରେ ଥିବା ଯବାନଙ୍କ ମଧ୍ୟରୁ ଗୋଟିଏ ଲେଖାଏଁ କମ୍ପାନିକୁ କାଶ୍ମୀର ପଠାଯାଇଛି । ସେହିଭଳି ବିଏସଏଫର ଗୋଟିଏ କମ୍ପାନି ଯବାନଙ୍କୁ କାଶ୍ମୀର ଯିବାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ପଠାଯିବ । ରାୟଗଡ଼ା, ଶେଷଖାଲ, କଲ୍ୟାଣସିଂହପୁର, ମୁକୁନ୍ଦପୁର, ମୁନିଗୁଡ଼ା, ବିଷମକଟକ, ଚନ୍ଦ୍ରପୁର, ଡାଙ୍ଗସୋରଡ଼ା ଓ ହନୁମନ୍ତପୁରଠାରେ ସିଆରପିଏଫ ଯବାନ୍ ମୁତୟନ ଅଛନ୍ତି । ବିଏସଏଫ ଯବାନମାନେ ରାୟଗଡ଼ା, କାଶୀପୁର ଓ କୁମ୍ଭିକୋଟାଠାରେ ନିୟୋଜିତ ଅଛନ୍ତି ।
ଆମ ବଲାଙ୍ଗିର ପ୍ରତିନିଧି ଜଣାଇଛନ୍ତି, ଜିଲ୍ଲାରେ ସିଆରପିଏଫର ୩ କମ୍ପାନି ଯବାନଙ୍କୁ ମୁତୟନ କରାଯାଇଛି । ହରିଶଙ୍କର, ଖପ୍ରାଖୋଲରେ ଦୁଇ କମ୍ପାନି ଥିବା ବେଳେ ଗୋଟିଏ କମ୍ପାନି ମୁଖ୍ୟାଳୟରେ ରହିଛନ୍ତି ।
ଆମ କଳାହାଣ୍ଡି ପ୍ରତିନିଧି ଜଣାଇଛନ୍ତି, ଜିଲ୍ଲାରେ ସିଆରପିଏଫର ୭ କମ୍ପାନି ଯବାନ୍ ମୁତୟନ ଅଛନ୍ତି । ଏମ. ରାମପୁର, ଉର୍ଲାଦାନି, ମୋହନଗିରି, ସିକେରକୁପା, କେ ଗାଓଁ, ଗୁଣପୁର, ବିଜେପୁରରେ ସେମାନଙ୍କୁ ମୁତୟନ କରାଯାଇଛି । ଭବାନୀପାଟଣାରେ ଅତିରିକ୍ତ ୨ କମ୍ପାନି କୋବ୍ରା ଯବାନଙ୍କୁ ରଖାଯାଇଛି । ଆମ ନୂଆପଡ଼ା ପ୍ରତିନିଧିଙ୍କ ସୂଚନାନୁଯାୟୀ ଜିଲ୍ଲାରେ ସିଆରପିଏଫର ୭ କମ୍ପାନି ଯବାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ମାଲକାନଗିରି ପ୍ରତିନିଧିଙ୍କ ସୂଚନାନୁସାରେ ଜିଲ୍ଲାରେ ଚାରି ବାଟାଲିୟନ ବିଏସଏଫ ଯବାନ ଅଛନ୍ତି । ଆମ କୋରାପୁଟ ପ୍ରତିନିଧିଙ୍କ ସୂଚନାନୁସାରେ ଜିଳ୍ଲାରେ ମୋଟ ୨୦ କମ୍ପାନି ବିଏସଏଫ ଯବାନ୍ ବନ୍ଧୁଗାଁ, ପଟ୍ଟାଙ୍ଗି ନନ୍ଦପୁର, ବୈପାରିଗୁଡ଼ା ଏବଂ ଲମତାପୁଟରେ ମୁତୟନ ରହିଛନ୍ତି ।
ରାୟଗଡ଼ା ଓ ରାଉରକେଲାରେ ଯବାନଙ୍କୁ ପ୍ରତ୍ୟାହୃତ କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନ ମାନଙ୍କରୁ ସ୍ଥାନାନ୍ତର ପାଇଁ କୌଣସି ନିର୍ଦ୍ଦେଶ ଆସି ନଥିବା ଜଣାପଡ଼ିଛି ।
ତେବେ ରାଜ୍ୟର ବରିଷ୍ଠ ପୁଲିସ ଅଫିସରଙ୍କ ସୂଚନାନୁସାରେ ରାଜ୍ୟରେ ଏବେ ମୋଟ ୮ ବାଟାଲିୟନ ସିଆରପିଏଫ ଏବଂ ୮ ବାଟାଲିୟନ ଯବାନଙ୍କୁ ମୁତୟନ କରାଯାଇଛି । ଯଦି କେନ୍ଦ୍ର ସରକାର ଆବଶ୍ୟକ କରନ୍ତି ତେବେ କୌଣସି ସ୍ଥାନରେ ଯବାନଙ୍କୁ ପ୍ରତ୍ୟାହାର କରାଗଲେ ରାଜ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons