ଆସିକା: ଲକ୍ଡାଉନ୍ ବେଳେ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା ପରେ ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା।
ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେମାନଙ୍କୁ ଘରକୁ ଛଡାଯିବ ନାହିଁ, କି ସେମାନଙ୍କୁ ଭେଟିବାକୁ କାହାକୁ ଅନୁମତି ମିଳିବ ନାହିଁ।
କରୋନା ସଂକ୍ରମିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କର ସ୍ୱାବ ଟେଷ୍ଟ କରାଯିବା ସହ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଗତ ସୋମବାର ଦିନ ଏହି ପ୍ରବାସୀ ଓଡ଼ିଆ ୪ଟି ବସ୍ ରିଜର୍ଭ କରି ନିଜ ଖର୍ଚ୍ଚରେ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ଏଥିପାଇଁ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଥିଲା।
Comments are closed, but trackbacks and pingbacks are open.