ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏକ ସାମଗ୍ରିକ ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ଚାଷୀ (ମୁଖ୍ୟତଃ ଭୂମିହୀନ ଓ ଭାଗ ଚାଷୀ)ଙ୍କ ଜୀବନ ଜୀବିକାରେ ସୁଧାର ଅଣାଯିବ । ଏଆଇ ଓ ମେସିନ୍ ଲର୍ଣ୍ଣିଂ ଭଳି ଟେକ୍ନୋଲୋଜି ସହାୟତାରେ ଉପଯୁକ୍ତ ସମୟରେ ଚାଷୀଙ୍କ ନିକଟରେ ଆର୍ଥିକ ଉତ୍ପାଦ ଓ ଆବଶ୍ୟକୀୟ ସୂଚନା ପହଞ୍ଚାଯିବ । ଏହି ଉଦ୍ଦେଶ୍ୟରେ ‘ଦ୍ୱାରା ଟ୍ରଷ୍ଟ’ ଆଜି ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି ।
କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ କୃଷି ନିର୍ଦ୍ଦେଶକ ମୁଥୁ କୁମାର ଓ ଦ୍ୱାରା ଇ-ରେଜିଷ୍ଟ୍ରିର ନିର୍ଦ୍ଦେଶକ ସଞ୍ଜୟ ମନ୍ସାବ୍ଦରଙ୍କ ମଧ୍ୟରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏମ୍ଓୟୁ ମୁତାବକ, ଚାଷୀଙ୍କ ଜୀବିକାରେ ସୁଧାର ଆଣିବା ଲକ୍ଷ୍ୟରେ ଦ୍ୱାରା ଟ୍ରଷ୍ଟ ଓ ଏହାର ପାର୍ଟନରମାନେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ମିଳିତ ଭାବେ ଏକ ପାଇଲଟ୍ ପ୍ରକଳ୍ପରେ କାର୍ଯ୍ୟ କରିବେ । ଚାଷୀଙ୍କ ସହାୟତା କରିବାକୁ ସେମାନେ ଏକ ଫସଲର ସମ୍ପୂର୍ଣ୍ଣ ଜୀବନଚକ୍ର ପାଇଁ ଏକ ସାମଗ୍ରିକ ଡାଟା ଆଧାରିତ ପ୍ଲାଟଫର୍ମ ପ୍ରସ୍ତୁତ କରିବେ । ଏହି ପାଇଲଟ୍ ପ୍ରକଳ୍ପରେ ଚାଷୀଙ୍କ ଜୀବିକାରେ ଉନ୍ନତି ଆଣିବାକୁ ସେମାନଙ୍କୁ ଋଣ, ବୀମା ସୁବିଧା, କୃଷି ଉପଦେଶ, ସମେତ ଷ୍ଟେଟ୍-ଅଫ୍-ଦି-ଆର୍ଟ ଟେକ୍ନୋଲୋଜି ଜରିଆରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ।
ସମନ୍ୱିତ ଡାଟା ଭିତ୍ତିକ ବ୍ୟବସ୍ଥା ଜରିଆରେ ଟେକ୍ନୋଲୋଜି ବ୍ୟବହାର କରି ଭୂମିହୀନ ଓ ଭାଗଚାଷୀଙ୍କୁ ଯଥା ସମୟରେ ଋଣ ଓ ବୀମା ସୁବିଧା ଯୋଗାଇବା ପାଇଁ ଏ ଅବସରରେ ଏ ଅବସରରେ କୃଷି ମନ୍ତ୍ରୀ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଛନ୍ତି ।
ଦ୍ୱାରା ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଉପ-ଚେୟାର ତଥା ଗ୍ରୁପ୍ ସଭାପତି ସମୀର ଶାହ କହିଛନ୍ତି, ଏହି ପାଇଲଟ୍ ପ୍ରକଳ୍ପର ଅଂଶସ୍ୱରୂପ ଦ୍ୱାରା ଟ୍ରଷ୍ଟ ନିଜର ନୂଆ ଷ୍ଟାର୍ଟଅପ୍ ‘ଦ୍ୱାରା ଇ-ରେଜିଷ୍ଟ୍ରି’ ଜରିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ମେସିନ୍ ଲର୍ଣ୍ଣିଂ, ରିମୋଟ ସେନ୍ସିଂ, ସାଟେଲାଇଟ୍ ଇମେଜରି ଭଳି ଆଧୁନିକ ଆଲ୍ଗୋରିଦମ୍ ଓ ଟେକ୍ନୋଲୋଜି ବ୍ୟବହାର କରି ଚାଷୀଙ୍କ ପାଇଁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇବ । ଏହାଛଡ଼ା ଦ୍ୱାରା କେଜିଏଫ୍ଏସ୍, ଆଇଏଫ୍ପିଆର୍ଆଇ ଓ ପିଏଡି ଭଳି ସଂସ୍ଥା ସହଯୋଗରେ ଏହା ଚାଷୀଙ୍କୁ ଉପଯୁକ୍ତ ସମୟରେ ଆର୍ଥିକ ଉତ୍ପାଦ ପ୍ରଦାନ କରିବ । ଫଳରେ ଚାଷୀଙ୍କ ଉତ୍ପାଦନ ବଢ଼ିବ ଓ ସେମାନେ ଆର୍ଥିକ ସୁଦୃଢ଼ ହେବେ ବୋଲି ଶ୍ରୀ ଶାହ ଆଶା ରଖିଛନ୍ତି ।
Comments are closed, but trackbacks and pingbacks are open.