କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବନ୍ଦ ଥିଲା ଦୋକାନ ବଜାର । ବସ୍, ଅଟୋ, କାର୍ ନଥିଲା ରାସ୍ତାରେ । ଗଡ଼ୁଥିଲା କାଁ ଭାଁ ଦୁଇ ଚକିଆ । ଟ୍ରେନ ଚଳାଚଳ ବି ହେଲା ପ୍ରଭାବିତ । ତୈଳ ଦର ବୃଦ୍ଧି, କୋଟିଆ, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଦେଇଥିବା ୬ ଘଣ୍ଟିଆ ବନ୍ଦ ଡାକରାର ବ୍ୟାପକ ପ୍ରଭାବ ପଡ଼ିଥିଲା । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଜୟପୁର, ବାଲେଶ୍ୱର, ବାରିପଦା, ପାରାଦୀପ, ଝାରସୁଗୁଡ଼ା, ସମ୍ବଲପୁର ସହର ସମେତ ସାରା ରାଜ୍ୟରେ ଓଳିଏ ଅଟକିଯାଇଥିଲା ଜୀବନଯାତ୍ରା ।
ବନ୍ଦକୁ ନଜରରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲ, କଲେଜ ଛୁଟି ଘୋଷଣା କରି ଦେଇଥିଲେ । ଦୋକାନ ବଜାର, ହାଟ, ମାର୍କେଟ କମ୍ପେ୍ଲକ୍ସ, ସପିଂ ମଲ୍ କିଛି ଖୋଲିନଥିଲା । ଏହାବାଦ୍ ଯାହା ଯେଉଁଠି ଖୋଲିଥିଲା, ତା’କୁ ବନ୍ଦ କରିବାକୁ ଲାଗି ପଡ଼ିଥିଲେ କଂଗ୍ରେସ କର୍ମୀ ।
ବନ୍ଦ ଡାକରା ଯୋଗୁ ଭୁବନେଶ୍ୱରର ଜନପଥ, କଟକରୋଡ୍, ଜୟଦେବବିହାର-ପଟିଆ, ଲୁଇସ୍ରୋଡ୍, ଜାଗମରା, ଖଣ୍ଡଗିରି, ନୂଆପଲ୍ଲୀ, ପଳାଶୁଣି ସମେତ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । ପଳାଶୁଣିରୁ ସତ୍ସଙ୍ଗବିହାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆନେ୍ଦାଳନକାରୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । ହଂସପାଳରୁ ଜୟଦେବବିହାର ପର୍ଯ୍ୟନ୍ତ ଏନ୍ଏଚ୍ରେ ଶହଶହ ଗାଡ଼ିମୋଟର କିଛି ସମୟ ପାଇଁ ଅଟକିଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ଟ୍ରେନ ଅକାଇଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ସୁର ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ବରିÂ ନେତାଙ୍କ ସମେତ ଛାମୁଆ ସଂଗଠନ ନେତାମାନେ ଆନେ୍ଦାଳନ ନେତୃତ୍ୱ ନେଇଥିଲେ । କଂଗ୍ରେସ କର୍ମୀମାନେ ଲୋକସେବା ଭବନ ଆଡ଼କୁ ଆନେ୍ଦାଳନ କରି ଯାଉଥିବାବେଳେ ପୁଲିସ ସହ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଶତାଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା ।
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଯାଜପୁରରେ ବନ୍ଦ ଯୋଗୁ ବ୍ୟାପକ ପ୍ରଭାବ ପଡ଼ିଥିଲା । କଟକ ସହର ଓ ସଦର ଅଞ୍ଚଳରେ କଂଗ୍ରେସ କର୍ମୀମାନେ ବାଇକ୍ ରାଲି କରିଥିଲେ । ପୁରୀ ଜିଲ୍ଲାର ଅସ୍ତରଙ୍ଗରେ କଂଗ୍ରେସ କର୍ମୀମାନେ ଉଦ୍ୟାନ ବିଭାଗର କାର୍ଯ୍ୟାଳୟରେ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଭୁବନେଶ୍ୱରରେ କାଁ ଭାଁ ଉତ୍ତେଜନା ଦେଖା ଦେଇଥିଲା ।
ନବରଙ୍ଗପୁରରେ କଂଗ୍ରେସ କର୍ମୀମାନେ ଶଗଡ଼ରେ ଶୋଭାଯାତ୍ରା କରି ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲେ । କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଦୋକାନ ବଜାର ବନ୍ଦ ରହିଥିଲା । କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ବନ୍ଦ ଡାକରା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଯାତ୍ରୀବାହୀ ଓ ଭାରିଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ । ସବୁ ଜିଲ୍ଲାରେ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ପ୍ରଭାବିତ ହୋଇଥିଲେ ।
ତାଳଚେର ଷ୍ଟେସନରେ ରେଳରୋକ କରାଯାଇଥିବା ବେଳେ ଭୁବନେଶ୍ୱର ଷ୍ଟେସନରେ ୭ଟାରୁ ୭ଟା ୫୫ ପର୍ଯ୍ୟନ୍ତ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିଭଳି ଢେଙ୍କାନାଳ ଷ୍ଟେସନରେ ୭ଟା ୩୦ରୁ ୮ଟା ୨୦, ଛତ୍ରପୁର ଷ୍ଟେସନରେ ୮ଟା ୫୦ରୁ ୮ଟା ୫୫ ଏବଂ ପୁରୀ ଷ୍ଟେସନରେ ୧୦ଟା ୫୦ରୁ ୧୧ଟା ୧୫ ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନ କରିଥିଲା ।
ଭୁବନେଶ୍ୱର ଷ୍ଟେସନରେ ଭୁବନେଶ୍ୱର-ଲୋକମାନ୍ୟ ତିଳକ ସ୍ପେଶାଲ ଟ୍ରେନ୍ ସକାଳ ୭ଟା ୨୦ରୁ ୮ ଯାଏ ଅଟକି ରହିଥିଲା । ଢେଙ୍କାନାଳ ରେଳ ଷ୍ଟେସନରେ ସକାଳ ୭ଟା ୪୮ରୁ ୮ଟା ୨୦ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗିର ସ୍ପେଶାଲ ଟ୍ରେନକୁ ରୋକାଯାଇଥିଲା । ସେହିଭଳି କୋରାପୁଟ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ ୭ଟା ୪୭ରୁ ୮ଟା ୨୦ ଯାଏ ସେଠାରେ ଅଟକି ରହିଥିଲା । ପୁରୀ-ଆନନ୍ଦ ବିହାର ସ୍ପେଶାଲ ଟ୍ରେନ ପୁରୀ ଷ୍ଟେସନରୁ ୧୧ଟା ପରିବର୍ତ୍ତେ ୧୧ଟା ୨୦ରେ ଛାଡ଼ିଥିଲା ।
ଅପରାହ୍ନ ୧ଟା ପରେ ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା ଓଡ଼ିଶା । ବସ୍, ଅଟୋ ଓ ରେଳ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା । ବନ୍ଦ ପାଳନ ପରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ବନ୍ଦ ପାଳନକୁ ରାଜ୍ୟବ୍ୟାପୀ ପୂର୍ଣ୍ଣ ସମର୍ଥନ ମିଳିଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons