ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ପରାଜୟ ପରେ କଂଗ୍ରେସରେ ନେତୃତ୍ୱ ସଙ୍କଟ ଲାଗି ରହିଛି । ଗତ ଜୁଲାଇ ୩ ତାରିଖରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଦଳର ମଙ୍ଗ କିଏ ଧରିବେ ତାକୁ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ । ଗାନ୍ଧୀ ପରିବାରରୁ କେହି ଦଳର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିଥିଲେ ମଧ୍ୟ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ଦଳରେ ଏବେ ଦାବି ଜୋର୍ ଧରିଛି ।
ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ସମ୍ପୂର୍ଣ୍ଣ ଫିଟ୍ ବୋଲି ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର । ସେ କହିଛନ୍ତି କଂଗ୍ରେସର ନେତୃତ୍ୱ ଜଣେ ଯୁବ ପ୍ରତିଭା ନେବା ଉଚିତ । ପ୍ରିୟଙ୍କାଙ୍କ ଠାରେ ପ୍ରାକୃତିକ କରିସ୍ମା ରହିଛି । ସେ ଏହି ପଦବୀକୁ ଦାୟିତ୍ୱର ସହ ତୁଲାଇ ପାରିବେ । ସେହି କାରଣରୁ ଅନେକ ନେତା ପ୍ରିୟଙ୍କାଙ୍କୁ ତାଙ୍କ ଜେଜେମା ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରିଥାନ୍ତି । ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରିୟଙ୍କାଙ୍କ ପ୍ରମୁଖ ଭୂମିକା ରହିଥିଲେ । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ସେ ଲୋକମାନଙ୍କୁ ଏକଜୁଟ କରିବା ସହିତ ସେମାନଙ୍କ ଆସ୍ଥାଭାଜନ ମଧ୍ୟ ହୋଇପାରିଥିଲେ ।
ସେହିଭଳି ଥରୁରଙ୍କ ମତକୁ ସମର୍ଥନ କରିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସେ କହିଛନ୍ତି ଦଳର ନେତୃତ୍ୱ ନେବାରେ ପ୍ରିୟଙ୍କା ଜଣେ ଯୋଗ୍ୟ ତଥା ଆଦର୍ଶ ବ୍ୟକ୍ତିତ୍ୱ । ସେ କଂଗ୍ରେସର ମଙ୍ଗ ଧରିଲେ ତାଙ୍କୁ ଦଳର ବିଭିନ୍ନ ସ୍ତରରୁ ପୂର୍ଣ୍ଣ ସମର୍ଥନ ମିଳିବ । ଭାରତ ଏକ ଯୁବ ଦେଶ । ଦଳର ନେତୃତ୍ୱ ଜଣେ ଯୁବ ନେତାଙ୍କ ହାତରେ ରହିବା ଦରକାର । ପ୍ରିୟଙ୍କା ବେଶ୍ ଜ୍ଞାନୀ ଓ ବିଜ୍ଞ । ଦେଶ ପାଇଁ କ’ଣ ଆବଶକ ତାହା ସେ ଭଲ ଭାବେ ବୁଝି ପାରିବେ । ଆହ୍ୱାନକୁ ମୁକାବିଲା କରିବା ଓ ବିଜୟୀ ହେବାର ସାହସ ତାଙ୍କ ଠାରେ ରହିଛି । କିନ୍ତୁ ଦଳର ମୁଖ୍ୟ କିଏ ହେବେ ତାହା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ । କାରଣ ଏହି କମିଟି ହିଁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ବୋଲି ଅମରିନ୍ଦର ପ୍ରକାଶ କରିିଛନ୍ତି ।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ ଓ ଶ୍ରୀପ୍ରକାଶ ଜୟସ୍ୱାଲ କହିଛନ୍ତି ଯେ ଗାନ୍ଧୀ ପରିବାରର କେହି କଂଗ୍ରେସର ମଙ୍ଗ ଧରିବେ ନାହିଁ ବୋଲି ରାହୁଲ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । କିନ୍ତୁ ପ୍ରିୟଙ୍କା ଦାୟିତ୍ୱ ନେବେ କି ନାହିଁ ତାହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଇତିମଧ୍ୟରେ ଅଧ୍ୟକ୍ଷ ଚୟନ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଆସନ୍ତା ଜୁଲାଇ ୩୧ ତାରିଖ ସନ୍ଧ୍ୟା ୬ଟାରେ ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ବୈଠକରେ ଦଳର ସମସ୍ତ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀମାନେ ଯୋଗଦେବେ ।
Comments are closed, but trackbacks and pingbacks are open.