ନୂଆଦିଲ୍ଲୀ: ଏନ୍ସିପି ନେତା ଅଜିତ୍ ପାୱାରଙ୍କ ଉପରେ ଭରସା କରିବା ବିଜେପି ପାଇଁ ମହଙ୍ଗା ପଡ଼ିଛି । ୮୦ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ବିଜେପି ସରକାର ଭାଙ୍ଗିଯାଇଛି । ଏହି ଘଟଣା ପାଇଁ ବିଜେପିର କିଛି ନେତା ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ଏକାଧିକ ଟ୍ୱିଟ୍ କରି ସମସ୍ତ ପ୍ରଶ୍ନର ଜବାବ ଦେଇଛନ୍ତି । ଏମିତି କି ସେ କଂଗ୍ରେସ, ଶିବସେନା ଓ ଏନ୍ସିପିକୁ ମଧ୍ୟ ଜୋରଦାର ସମାଲୋଚନା କରିଛନ୍ତି ।
ଟ୍ୱିଟ୍ କରି ଶାହ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ପଦର ପ୍ରଲୋଭନ ଦେଖାଇ ଏନ୍ସିପି ଓ କଂଗ୍ରେସ ଶିବସେନାର ସମର୍ଥନ ହାସଲ କରିଛନ୍ତି । ଏହାକୁ ମୂଲଚାଲ ଛଡ଼ା ଆଉ କ’ଣ କୁହାଯିବ? ମୁଁ ଶରଦଜୀ ଓ ସୋନିଆଜୀଙ୍କୁ କହିବାକୁ ଚାହେଁ, ମୁଖ୍ୟମନ୍ତ୍ରୀ ପଦସେମାନଙ୍କର ହେବ ବୋଲି ସେମାନେ ସର୍ତ୍ତ ରଖନ୍ତୁ ଏବଂ ଏହାପରେ ଶିବସେନାର ସମର୍ଥନ ହାସଲ କରନ୍ତୁ ।’’
ଶାହ ଆହୁରି କହିଛନ୍ତି, ଏନ୍ସିପି ଓ କଂଗ୍ରେସ ମେଣ୍ଟ ପାଖାପାଖି ୧୦୦ ବିଧାନସଭା ଆସନ ହାସଲ କରିଥିଲା । ଏହି ଦୁଇଟି ଦଳରୁ କେହି ମୁଖ୍ୟମନ୍ତ୍ରୀ ହେବା କଥା । କିନ୍ତୁ ୫୬ ଆସନ ଜିତିଥିବା ଦଳ(ଶିବସେନା)କୁ ସେମାନେ ମୁଖ୍ୟମନ୍ତ୍ରୀ ପଦଳ ଦେଉଛନ୍ତି । ଏହାକୁ ହିଁ ଖରିଦଦାରି କୁହାଯିବ ବୋଲି ଶାହ ଦର୍ଶାଇଛନ୍ତି ।
ଅନ୍ୟ ଏକ ଟ୍ୱିଟ୍ରେ ଶାହ କହିଛନ୍ତି, ଶିବସେନାର ସମସ୍ତ ବିଧାୟକ ଆମ ସହ ମିଶି ନିର୍ବାଚନ ଲଢ଼ି ବିଜୟୀ ହେଲେ । ଶିବସେନାର ଏମିତି ଜଣେ ବିଧାୟକ ନାହାନ୍ତି, ଯିଏ ମୋଦିଜୀଙ୍କ ପୋଷ୍ଟର ଲଗାଇ ନଥିବେ । ବିଜେପି ବିଧାନସଭା ତୁଳନାରେ ସେମାନଙ୍କ ବିଧାନସଭାରେ ସବୁଠୁ ବଡ଼ କଟ୍ଆଉଟ୍ ମୋଦିଜୀଙ୍କର ଲାଗିଥିଲା । ଏହା କ’ଣ ମହାରାଷ୍ଟ୍ର ଜନତା ଜାଣିନାହାନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି ।
ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଅଜିତ୍ ପାୱାରଙ୍କ ସମର୍ଥନ ସଂକ୍ରାନ୍ତ ପ୍ରଶ୍ନର ଜବାବ ରଖିଥିଲେ । ସେ କହିଥିଲେ, ଅଜିତ୍ ପାୱାର ଏନ୍ସିପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ତାଙ୍କୁ ସରକାର ଗଠନ ପାଇଁ କ୍ଷମତା ଦିଆଯାଇଥିଲା । ସରକାର ଗଠନ ସଂକ୍ରାନ୍ତରେ ରାଜ୍ୟପାଳ ତାଙ୍କ ସହ ହିଁ ଆଲୋଚନା କରିଥିଲେ । ସରକାର ଗଠନ ନେଇ ଏନ୍ସିପି ଯେତେବେଳେ ପ୍ରଥମ ଥର ପାଇଁ ଅସାମର୍ଥ୍ୟ ପ୍ରକାଶ କଲା, ଉକ୍ତ ପତ୍ରରେ ଅଜିତ୍ଙ୍କର ଦସ୍ତଖତ ରହିଥିଲା । ଏହାପରେ ଆମ ପାଖକୁ ଯେଉଁ ସମର୍ଥନ ପତ୍ର ଆସିଥିଲା, ସେଥିରେ ମଧ୍ୟ ଅଜିତ୍ଙ୍କର ଦସ୍ତଖତ ଥିଲା । ତାଙ୍କ ସମର୍ଥନ ପରେ ହିଁ ଆମେ ସରକାର ଗଠନ କରିଥିଲୁ । ଏହାପରେ ସମର୍ଥନ ନଥିବା ଦର୍ଶାଇ ସେ ଇସ୍ତଫା ଦେଲେ । ଏହି କାରଣରୁ ବିଜେପି ନିକଟରେ ମଧ୍ୟ ବହୁମତ ରହିଲା ନାହିଁ ।
ଅନ୍ୟପକ୍ଷରେ ଅଜିତ୍ ପାୱାରଙ୍କ ଉପରେ ଭରସା କରି ବିଜେପି ଠିକ୍ କରିଛି କି ବୋଲି ପ୍ରଶ୍ନର ଉତ୍ତରରେ ଦେବେନ୍ଦ୍ର ଫଡନବିସ୍ ଚୁପ୍ ରହିଛନ୍ତି । ସମୟ ଆସିଲେ ସେ ତାହାର ଜବାବ ଦେବେ ବୋଲି କହିଛନ୍ତି । ଉଲ୍ଲେଖଥାଉ କି ବିଜେପିର ବରିÂ ନେତା ଏକନାଥ ଖଡ଼ସେ ଦଳର ରଣନୀତି ଉପରେ ପ୍ରଶ୍ନ ଉଠାଇଥିଲେ । ଅଜିତ୍ଙ୍କ ଉପରେ ଭରସା କରିବା ଉଚିତ ହୋଇନାହିଁ ବୋଲି ସେ କହିଥିଲେ ।
Comments are closed, but trackbacks and pingbacks are open.