ବାମରା,(ବି.ବି.ନୁ୍ୟଜ୍): ସମ୍ବଲପୁର ବାମରା ବନ୍ୟପ୍ରାଣୀ ବନଖଣ୍ଡ ବନାଞ୍ଚଳ ଗଡ଼ପୋଷ ସେକ୍ସନ୍ ମହୁଲମୁଣ୍ଡା ଗାଁରେ ହାତୀପଲ ଜଣଙ୍କୁ କଚାଡ଼ି ମାରି ଦେଇଛନ୍ତି । ମୃତକ ହେଲେ ମହୁଲମୁଣ୍ଡା ଗାଁର ସୁନୀଲ ଏକ୍କା (୪୭) । ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି । ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।
ସୂଚନାନୁସାରେ ଗତକାଲି ସୁନୀଲ ବିଲକୁ ଧାନ କାଟିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ୯ ଘରିଆ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ହାତୀପଲ ସୁନୀଲଙ୍କୁ କଚାଡ଼ି ଦଳି ଦେଇଥିଲେ । ଘଟଣାସ୍ଥଳରେ ହିଁ ସୁନୀଲଙ୍କ ମୃତୁ୍ୟ ହୋଇଥିଲା । ସୁନୀଲ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳେ ଖବର ଜଣାପଡ଼ିବା ପରେ ବନ ବିଭାଗ ରେଞ୍ଜର୍ ରାଜଶ୍ରୀ ତିର୍କୀ, ଫରେଷ୍ଟର୍ ପ୍ରମୋଦ ଦାଶ, ଫରେଷ୍ଟର୍ ବିଶାଳ ପଟେଲ, ପ୍ରଶାସନ ପକ୍ଷରୁ ତହସିଲଦାର ଅନୀଲ କୁଲୁ, ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ, ଗୋବିନ୍ଦପୁର ଥାନା ଏସ୍ଆଇ ଥୋମାସ କେରକେଟା ଓ ଏଏସ୍ଆଇ ଯୋଗେଶ୍ୱର କିଶାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚôଥିଲେ । ଗଡ଼ପୋଷ ସରପଞ୍ଚ ବାଣ୍ଠୁ କେଛୁଆ, ସାମାଜିକକର୍ମୀ ହାବିଲ ଏକ୍କାଙ୍କ ସମେତ ଗ୍ରାମବାସୀ ମୃତକଙ୍କ ପରିବାରକୁ ସହାୟତା ସମେତ ଜଣକୁ ବନ ବିଭାଗରେ ଚାକିରି ଦେବାକୁ ଦାବି କରିଥିଲେ । ଏଥିସହ ଏଠାରେ କାର୍ଯ୍ୟରତ ଫରେଷ୍ଟର୍ ପ୍ରମୋଦ ଦାସଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ଦାବି କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା । ରେଡ୍କ୍ରସ୍ ପାଣ୍ଠିରୁ ୧୦ହଜାର ଓ ବନ ବିଭାଗ ପକ୍ଷରୁ ୪୦ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କାର ସହାୟତା ଦିଆଯାଇଥିଲା । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ସରକାରୀ ନିୟମ ଅନୁସାରେ ପରବର୍ତ୍ତୀ ସହାୟତା ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ସୁନୀଲଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ସୂଚନା ଥାଉ ପ୍ରାୟ ୬ ମାସ ହେବ ଏହି ୯ ଘରିଆ ହାତୀପଲ ଉକ୍ତ ଅଞ୍ଚଳରେ ରହି ଉପଦ୍ରବ କରୁଛନ୍ତି । ଗତ ଶୁକ୍ରବାର ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଶିଆଲଯୋର ଠାରେ ହାତୀ ଆକ୍ରମଣରେ ଜଣଙ୍କ ମୃତୁ୍ୟ ହୋଇଥିଲା । ଗତ ମାସ ଏକ ଗର୍ଭିଣୀ ହାତୀର ମୃତୁ୍ୟ ହୋଇଥିଲା । ବର୍ତ୍ତମାନ ଏହି ହାତୀ ପଲ କର୍ଲାଖମନ ଓ ଜୁରାଯାମ ଅଞ୍ଚଳରେ ରହି ଉପଦ୍ରବ କରୁଛନ୍ତି ।
Comments are closed, but trackbacks and pingbacks are open.