କୋରାପୁଟ,(ବି.ବି.ନୁ୍ୟଜ୍): ଗିରଫ ହୋଇଛନ୍ତି ଡିଇଓ ପ୍ରମୋଦ କୁମାର ପଣ୍ଡା । ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପଣ୍ଡାଙ୍କ ସନେ୍ଦହଜନକ ଆତ୍ମହତ୍ୟା ମାମଲାରେ ତାଙ୍କୁ କଟକରୁ ଧରିଛି ପୁଲିସ୍ । ଏଥିସହ ତାଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନିଲ ସାଗରଙ୍କୁ ମଧ୍ୟ ଗିରଫ କରାଯାଇଛି । ଅପରାହ୍ନରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ସ୍ଥାନୀୟ ସର୍କଲ ଜେଲ୍କୁ ପଠାଇ ଦିଆଯାଇଛି । ସ୍ଥାନୀୟ ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୋରାପୁଟ ଏସ୍ଡିପିଓ ବଳଭଦ୍ର ଦୀପ । ମାମଲାରେ ପୂର୍ବରୁ ସ୍ଥାନୀୟ ଜଣେ ବ୍ୟବସାୟୀ ଅଭିମନୁ୍ୟ ପ୍ରଧାନ ଏବଂ ସମୀର ପାତ୍ରଙ୍କୁ ଗିରଫ କରାଯାଇଥିଲା । ଡିଇଓଙ୍କ ଗିରଫଦାରି ପରେ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି ।
ଏସ୍ଡିପିଓ ଶ୍ରୀ ଦୀପ୍ କହିଛନ୍ତି, ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି । ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ଫୋନ୍ ଟ୍ରାକିଂ ଓ ବିଭିନ୍ନ ସୂଚନାକୁ ଆଧାର କରି ଡିଇଓ ଶ୍ରୀ ପଣ୍ଡାଙ୍କୁ କଟକରୁ ଏବଂ ଅନିଲଙ୍କୁ ଜୟପୁରରୁ ଧରାଯାଇଛି । ତଦନ୍ତ ବେଳେ ଅନେକ ଗୁମର ପଦାକୁ ଆସିଛି । ବିଶେଷକରି ଶିକ୍ଷକ ଚିତ୍ତରଂଜନଙ୍କୁ ବଦଳି କରିଦେବାର ପ୍ରଲୋଭନ ଦେଖାଇ ଡିଇଓ ନିଜ ଘରେ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇ ଆସୁଥିଲେ । ଏମିତିକି ତାଙ୍କ ଦ୍ୱାରା ପନିପରିବା ଆଣିବା, ଜଳଖିଆ ଘରକୁ ବୋହିବା, ମୋବାଇଲ୍ ରିଚାର୍ଜ ଆଦି ସମସ୍ତ କାମ କରାଉଥିଲେ । ଏ ବାବଦରେ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚିତ୍ତରଞ୍ଜନଙ୍କୁ ଟଙ୍କାଟିଏ ହେଲେ ଦେଇନଥିଲେ ଡିଇଓ ଶ୍ରୀ ପଣ୍ଡା । ଏଥିପାଇଁ ଶିକ୍ଷକ ଜଣଙ୍କ ହତାଶ ହେବା ସାଙ୍ଗକୁ ଚାପରେ ଥିଲେ । ଚିତ୍ତରଂଜନଙ୍କ ବ୍ୟକ୍ତିଗତ ଡାଏରୀରୁ ଏସବୁ ତଥ୍ୟ ମିଳିଥିଲା ପୁଲିସକୁ । ଅନ୍ୟପକ୍ଷରେ ଚିତ୍ତରଞ୍ଜନ ମରିବା ପୂର୍ବରୁ ଡିଇଓଙ୍କ ସହିତ ଶେଷ ଦେଖା ହୋଇଥିଲା । ଡିଇଓ ତାଙ୍କୁ ଶେଷ କଲ୍ କରିଥିଲେ । ଚିତ୍ତରଂଜନ ଛାଡ଼ିଥିବା ସୁଇସାଇଡ୍ ନୋଟ୍ରେ ଡିଇଓ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନିଲଙ୍କ କଥା ଉଲ୍ଲେଖ କରିଥିଲେ । ଏମିତିକି ଶିକ୍ଷକଙ୍କ ପତ୍ନୀ ମମତା ପାତ୍ର ମଧ୍ୟ ସ୍ୱାମୀଙ୍କ ମୃତୁ୍ୟ ପାଇଁ ଉଭୟ ଡିଇଓ ଏବଂ ଅନିଲଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏସବୁ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାମଲାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ।
ସୂଚନାଥାଉକି, ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ଗତ ମାସ ୮ ତାରିଖରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତୁ୍ୟ ପାଇଁ ୭ ଜଣଙ୍କୁ ଦାୟୀ କରି ଏକ ସୁଇସାଇଡ୍ ନୋଟ ଛାଡ଼ିଥିଲେ । ଘଟଣାକୁ ଏସ୍ପି ଗମ୍ଭୀରତାର ସହ ବିଚାରକୁ ନେଇଥିଲେ । ତଦନ୍ତ ଲାଗି ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଢାଯାଇଥିଲା । ଏହି ଟିମ ଅଭିଯୁକ୍ତମାନଙ୍କ ମଧ୍ୟରୁ ଗତ ଡିସେମ୍ବର ୨୧ ତାରିଖରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ମାମଲାର ତଦନ୍ତ ଜାରି ରହିଥିବା ଏସ୍ଡିପିଓ ଶ୍ରୀ ଦୀପ୍ କହିଛନ୍ତି ।
Comments are closed, but trackbacks and pingbacks are open.