କଟକରୁ ୭୦ ଲକ୍ଷର ନକଲି ଔଷଧ ଜବତ

Get real time updates directly on you device, subscribe now.

କଟକ: କୋଭିଡ୍ ମହାମାରୀ ସମୟରେ ସୁସ୍ଥ କରାଇବା ଆଳରେ ରୋଗୀଙ୍କ ଜୀବନକୁ ନେଇ ଚାଲିଛି ଖେଳ । ମୁନାଫାଖୋର୍ ଔଷଧ ବ୍ୟବସାୟୀମାନେ କରୋନା ପ୍ରତିଷେଧକ ଜୀବନ ରକ୍ଷାକାରୀ ଔଷଧ ନାଁରେ ଲୋକଙ୍କୁ ଲୁଟୁଥିବାର ପ୍ରମାଣ ଆଜି ଖୋଲାମେଲା ହୋଇଛି । କଟକ ସହରରେ ବିଗତ ୩ ମାସ ହେଲା ଚାଲିଥିବା ଏକ ନକଲି ଔଷଧ କାରବାର ର୍ୟାକେଟ୍ ଆଜି ଜିଲ୍ଲା ଡ୍ରଗ୍ସ୍ ନିୟନ୍ତ୍ରଣ ସଂସ୍ଥା ହାତରେ ଧରାପଡିଛି । କନିକା ଛକ ନିକଟରେ ଥିବା ଏକ ମେଡିସିନ୍ ହୋଲ୍ସେଲ୍ ଗୋଦାମ୍ ଉପରେ ଜିଲ୍ଲା ଡ୍ରଗ୍ସ୍ ବିଭାଗର ଅଧିକାରୀମାନେ ଚଢ଼ଉ କରି ୩୦ ପେଟି ନକଲି ଔଷଧ ଜବତ କରିଛନ୍ତି । ଜବତ ହୋଇଥିବା ଔଷଧ ଭିତରେ ଫାଭିପିରାଭିର୍ ଭଳି କୋଭିଡ୍ ଔଷଧ, ପାରାସିଟାମଲ୍ ଭଳି ଜ୍ୱର ଔଷଧ ସହ ଅନେକ ପ୍ରକାରର ଥଣ୍ଡାଜ୍ୱର ଔଷଧ ରହିଛି । ସବୁଗୁଡ଼ିକ ନିମ୍ନମାନର ଓ ନକଲି ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିବା ପରେ କେତେକ ଔଷଧ ନମୁନାକୁ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି । ଜବତ ଔଷଧର ମୂଲ୍ୟ ୬୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି । ଏସବୁ ନକଲି ଔଷଧ କୋଭିଡ୍ ଚିକିତ୍ସାରେ ବ୍ୟବହାର କରାଯିବା ପାଇଁ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିତରଣ ହୋଇଥିବାର ଅଭିଯୋଗ ମିଳିଛି । ଏ ସଂପର୍କରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଜବତ ହୋଇଥିବା ନକଲି ଔଷଧସବୁ ଉତ୍ତରପ୍ରଦେଶର ଏକ ମେଡିସିନ୍ କମ୍ପାନୀରୁ ସିଧା କଟକ ଆସୁଥିଲା । ଡ୍ରଗ୍ସ୍ ବିଭାଗର ତଦନ୍ତରୁ ଜଣାପଡିଛି କି’ ଏସବୁ ଔଷଧର କୌଣସି ବୈଧ ପ୍ରମାଣପତ୍ର, କାଗଜପତ୍ର ନଥିଲା । ଅନ୍ୟପକ୍ଷରେ ଔଷଧ କାରବାରରେ ବହୁ ଅନିୟମିତତାର ପ୍ରମାଣ ମିଳିଥିବା ମଧ୍ୟ ଡ୍ରଗ୍ସ୍ ଅଧିକାରୀ କହିଛନ୍ତି । ଏଣୁ ଏହି ବେଆଇନ ଔଷଧ କାରବାର ଘଟଣାରେ ଅଭିଯୁକ୍ତ ହୋଲ୍ସେଲର୍ଙ୍କ ବିରୋଧରେ ଡ୍ରଗ୍ସ୍ ଆଣ୍ଡ କସ୍ମେଟିକ୍ ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଡ୍ରଗସ୍-୧ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ୍ ସୂଚନା ଦେଇଛନ୍ତି । ଚଢ଼ଉରେ ଜୋନ୍-୨ ଡ୍ରଗସ୍ ଇନ୍ସପେକ୍ଟର ସୁଶାନ୍ତ ସାହୁ, ଗ୍ରାମାଞ୍ଚଳ ଡ୍ରଗସ୍ ଇନ୍ସପେକ୍ଟର ସୁଜାତା ଆଚାର୍ଯ୍ୟ ପ୍ରମୁଖ ସାମିଲ୍ ଥିଲେ । ବିଭାଗରୁ ମିଳିଥିବା ସୂଚନାନୁସାରେ, କନିକା ଛକରେ ଏକ ନାମୀ ମେଡିସିନ୍ ହୋଲ୍ସେଲ୍ ସଂସ୍ଥା କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନୁ ପ୍ରାୟ ୩ ମାସ ହେଲା ନକଲି କୋଭିଡ୍ ଔଷଧ କାରବାର ଚଳାଇଥିବା ନେଇ ଅଭିଯୋଗ ହୋଇଆସୁଥିଲା । କେତେକ ଔଷଧ ଦୋକାନୀ ଏ ସଂପର୍କରେ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଏଠାକୁ ଆସୁଥିବା ଔଷଧଗୁଡ଼ିକ ହିମାଚଳପ୍ରଦେଶ ଓ ଅନ୍ୟତ୍ର ପ୍ରସ୍ତୁତ ହେଉଥିବା ନେଇ ଔଷଧ ଉପରେ ମୋହର ବାଜିଥିଲେ ହେଁ ବାସ୍ତବରେ ଉକ୍ତ ରାଜ୍ୟରେ ସେପରି କୌଣସି ଔଷଧ ନିର୍ମାଣକାରୀ ସଂସ୍ଥା ନାହିଁ ବୋଲି ସ୍ଥାନୀୟ ଡ୍ରଗସ୍ ବିଭାଗଠୁ ସୂଚନା ମିଳିବା ପରେ ହୋଲସେଲ୍ କାଉଣ୍ଟର ଉପରେ ବିଭାଗର ସନେ୍ଦହ ବଢ଼ିଥିଲା । ଏଥିଲାଗି ଗତ ଦୁଇ ଦିନ ହେଲା ବିଭାଗ ପକ୍ଷରୁ ଉକ୍ତ କାଉଣ୍ଟର ଉପରେ ଚଢ଼ଉ କରାଯାଇ ତନଖି ଚାଲିଥିଲା । ବ୍ୟାପକ ଯାଞ୍ଚ୍ ପରେ ଆଜି ନକଲି ଔଷଧ ର୍ୟାକେଟ୍ ବାବଦରେ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି ଓ ଏ ସାଂଘାତିକ କାରବାରର ପର୍ଦ୍ଧାଫାସ୍ ହୋଇଛି । ତେବେ ତଦନ୍ତ ସରିନଥିବାରୁ ବିଭାଗ ପକ୍ଷରୁ ଏ ସଂପର୍କିତ ବିସ୍ତୃତ ତଥ୍ୟ ସହ କମ୍ପାନୀର ନାଁ, ଅଭିଯୁକ୍ତ ହୋଲ୍ସେଲର୍ ଓ ର୍ୟାକେଟର କାରବାର ସଂପର୍କିତ ସୂଚନା ଗୁପ୍ତ ରଖାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons