କଟକରେ ପୁଣି ଏନ୍କାଉଣ୍ଟର୍

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): କଟକ ସହରରେ ଅପରାଧୀଙ୍କୁ ସାବାଡ଼୍ କରିବା ପାଇଁ ପୁଣି ଆକ୍ସନ୍ ମୋଡ଼୍କୁ ଓହ୍ଲାଇଛି କମିସନରେଟ୍ ପୁଲିସ୍ । କିଛି ଦିନର ବ୍ୟବଧାନ ପରେ ପୁଲିସ୍ ପୁଣି ଆଜି ଏନ୍କାଉଣ୍ଟର୍ କରିଛି । ଏଥର ପୁଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅମିତ୍ ଓରଫ ମନୋଜ ପାତ୍ର । ଅମିତର ଘର ନିଶ୍ଚିନ୍ତକୋଇଲି ଖଣ୍ଡାସାହି ଅଞ୍ଚଳରେ । ପୁଲିସ୍ ଉପରକୁ ଗୁଳି ଚଳାଇ ଆଜି ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ର ପାଲଟା ଗୁଳିରେ ଘାଇଲା ହୋଇଥିଲା । ତା ଡାହାଣ ଗୋଡ଼ରେ ଗୁଳିମାଡ଼ ହେବାରୁ ସେ ଆଗକୁ ଯାଇନପାରି ପଡ଼ିଯାଇଥିଲା । ଫଳରେ ପୁଲିସ୍ ତାକୁ ସହଜରେ କାବୁ କରିନେଇଥିଲା । \n ଅଭିଯୁକ୍ତ ବ୍ୟବହାର କରୁଥିବା ଗୋଟିଏ ୭.୬୨ ଏମ୍ଏମ୍ ପିସ୍ତଲ, ୨ ରାଉଣ୍ଡ୍ ଗୁଳି, ୪ଟି ଖୋକା, ଏକ ନାଲି ଆଇ-୧୦ କାର ପୁଲିସ୍ ଜବତ କରିଛି । ଏନ୍କାଉଣ୍ଟର୍ର ଶିକାର ହୋଇଥିବା ଅମିତ୍କୁ ଜଗତପୁର ପୁଲିସ୍ ନିଜ ହେପାଜତକୁ ନେଇ ଏବେ ଚିକିତ୍ସା ପାଇଁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରିଛି । ଅଭିଯୁକ୍ତର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୁଲିସ୍ ସୂଚନା ଦେଇଛି । ଅନ୍ୟପକ୍ଷରେ ଅମିତର ଅପରାଧୀକ କାର୍ଯ୍ୟକଳାପ ସମ୍ପର୍କରେ ସବୁ ଜାଣି ମଧ୍ୟ ତାକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଆସୁଥିବା ତାର ବାନ୍ଧବୀ ବିରୋଧରେ ଜଗତପୁର ଥାନା ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବତୀଙ୍କୁ ପୁଲିସ୍ ଚୌଦ୍ୱାର ଜେଲ୍ରେ ନେଇ ଆଜି ଛାଡ଼ିଥିବା ସୂଚନା ମିଳିଛି । \n ପୁଲିସ୍ ସୂତ୍ରରୁ ପ୍ରକାଶ, ଦୁଇ ମାସ ତଳେ ଜଗତପୁର ଇମାମ୍ ନଗର ଅଞ୍ଚଳରେ ରହୁଥିବା ଶିଳ୍ପପତି ଗୌତମଙ୍କ ଘରେ ଦଳେ ଦୁର୍ବୃତ୍ତ ପଶି ଡକାୟତି କରିଥିଲେ । ମହିଳାଙ୍କୁ ଅସଦାଚରଣ କରିବା ସହ ଘରର ସଦସ୍ୟମାନଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଅଞ୍ଚଳର ଦୁର୍ଦ୍ଦାନ୍ତ ଡକାୟତ ଅମିତ୍ ଓରଫ ମନୋଜ ପାତ୍ର ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଅଭିମୁଖେ ଜଗତପୁର କେନାଲ ରୋଡ଼ରେ ଯାଉଥିବା ନେଇ ଜଗତପୁର ପୁଲିସ୍ ସୁରାକ୍ ପାଇଥିଲା । ଖବର ପାଇ ଜଗତପୁର ପୁଲିସ୍ ଏବଂ ସ୍ପେସାଲ୍ ସ୍କ୍ୱାଡ୍ ଅଧିକାରୀମାନେ କେନାଲ୍ ରୋଡ଼ରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଅମିତ୍ ପୁଲିସ୍ ଉପରକୁ ୨ ରାଉଣ୍ଡ ଆଖି ବୁଜା ଗୁଳିମାଡ଼ କରି ଖସିଯିବାକୁ ଚେଷ୍ଟା କରିଥିଲା । ସେଥିରୁ ଗୋଟିଏ ଗୁଳି ପୁଲିସ୍ ଭ୍ୟାନ୍ରେ ବାଜିଥିବା ବେଳେ ଅନ୍ୟଟି ଖସି ଯାଇଥିଲା । ଫଳରେ ଅଧିକାରୀମାନେ ବର୍ତ୍ତି ଯାଇଥିଲେ । ପୁଲିସ୍ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା । ପୁଲିସ୍ର ଗୁଳି ଅମିତ୍ର ଡାହାଣ ଗୋଡ଼ରେ ବାଜିବାରୁ ଘଟଣାସ୍ଥଳରେ ସେ ପଡ଼ିଯାଇଥିଲା । ଅମିତ୍ ବିରୋଧରେ କଟକ ସଦର, ଦରଘାବଜାର, କ୍ୟାପିଟାଲ, ଚନ୍ଦ୍ରଶେଖରପୁର, ତମାଣ୍ଡୋ, ବାଦାମବାଡ଼ି, ସହିଦ୍ ନଗର, ଖଣ୍ଡଗିରି, ଇନ୍ଫୋସିଟି, ଓଲଟପୁର, ପୁରୀ ସମୁଦ୍ର କୂଳ, କୁମ୍ଭାରପଡ଼ା, ବଳିଆପଣ୍ଡା ଆଦି ବିଭିନ୍ନ ଥାନାରେ ଡକାୟତି, ଚୋରି, ରାହାଜାନି, ହତ୍ୟା ଉଦ୍ୟମ ଭଳି ଏକାଧିକ ମାମଲା ଥିବା ସୂଚନା ମିଳିଛି । କଟକ ସହରାଞ୍ଚଳ ପୁଲିସ୍ରେ ଡିସିପି ଭାବେ ଅଖିଳେଶ୍ୱର ସିଂ ଦାୟିତ୍ୱ ନେବା ଦିନଠାରୁ ସହରରେ ଏନ୍କାଉଣ୍ଟର୍ ଜାରି ରଖିଛନ୍ତି । ମଝିରେ କିଛି ମାସ ହେଲା ଏନ୍କାଉଣ୍ଟର୍ ହୋଇନଥିବା ବେଳେ ଏବେ ପୁଣି ପୁଲିସ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛି । ଅଖିଳେଶ୍ୱରଙ୍କ କାର୍ଯ୍ୟକାଳ ମଧ୍ୟରେ ଅଦ୍ୟାବଧି ସହରରେ ୨୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ୍ ଏନ୍କାଉଣ୍ଟରରେ ଘାଇଲା କଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons