କଟକ ଜିଲ୍ଲାରେ ପୁଣି କରୋନା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ମାସକ ପରେ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାର ପୁଣି ସାମିଲ୍ ହୋଇଛି କଟକ । ଗତ ଏପ୍ରିଲ୍ ୪ ତାରିଖରେ କଟକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ସେ ସୁସ୍ଥ ହୋଇସାରିଲେଣି । ତେବେ ଆଜି ତିଗିରିଆ ବ୍ଲକ୍ର ଜଣେ ସୁରଟ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକ କମ୍ପାନୀରେ କାମ କରୁଥିବା ତିଗିରିଆ ବ୍ଲକ୍ର ଏହି ସଂକ୍ରମିତ ଯୁବକ ଜଣକ ଗତ ୧ ତାରିଖରେ ସୁରଟରୁ ଏକ ଘରୋଇ ବସ୍ରେ ରାଜ୍ୟ ଅଭିମୁଖେ ବାହାରିଥିଲେ । ବସ୍ଟି ଗତ ୩ ତାରିଖ ରାତି ୯ଟା ସମୟରେ ତିଗିରିଆର ଅଚଳକୋଟସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚିଥିଲା । ସଂପୃକ୍ତ ଯୁବକଙ୍କୁ ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ତେବେ ସ୍ୱାବ୍ ପରୀକ୍ଷାରୁ ତାଙ୍କ ନମୁନା ପଜିଟିଭ୍ ବାହାରିଥିବା ଆଜି ଜଣାପଡିବା ପରେ ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଇତିମଧ୍ୟରେ ସୁସ୍ଥ ହେବା ସହ କଟକ ଜିଲ୍ଲା ଗ୍ରୀନ୍ ଜୋନ୍ରେ ସ୍ଥାନ ପାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲା ବେଳେ ମାସେ ହେଲା ଏଥିରୁ ବାଦ୍ ପଡ଼ିଥିଲା କଟକ ଜିଲ୍ଲା । କିନ୍ତୁ ତିଗିରିଆ ବ୍ଲକ୍ରେ ସଂପୃକ୍ତ ସୁରଟ୍ ଫେରନ୍ତା କରୋନା ପଜିଟିଭ୍ ଜଣାପଡିବା ପରେ ଜିଲ୍ଲାବ୍ୟାପୀ ଭୟର ଲହର ଖେଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଅଚଳକୋଟ ଗ୍ରାମର ତିନିଗଡ଼ ଉଚ୍ଚ ବିଦ୍ୟାପୀଠ ପରିସରସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ମଙ୍ଗଳବାର ଏହି ଆକ୍ରାନ୍ତ ଯୁବକଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଛି । ଚିହ୍ନଟ ହେବା ପରେ ତୁରନ୍ତ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କଟକ ସିଡିଏସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସଂକ୍ରମିତ ବ୍ୟକ୍ତି ସୁରଟ୍କୁ ଏକ ଘରୋଇ ବସ୍ରେ ଫେରିଥିବା ବେଳେ ତାଙ୍କ ସହ ତିଗିରିଆ ବ୍ଲକର ଗଦାଧରପୁର, ବଡ଼ମ୍ବା ବ୍ଲକ୍ର ମାଣିଆବନ୍ଧ, ନରସିଂହପୁର ଓ ବାଙ୍କୀ ଅଞ୍ଚଳର କିଛି ଲୋକ ଥିଲେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଦେଇଥିବା ସୂଚନା ଅନୁସାରେ, ସଂପୃକ୍ତ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସହ ମୋଟ୍ ୩୭ଜଣ ସେହି ବସ୍ରେ ସୁରଟରୁ ଆସିଥିଲେ । ସମସ୍ତଙ୍କର ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଯାଇଥିଲା । ସେଥିମଧ୍ୟରୁ ୩୬ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଛି । ଆଜି ଅପରାହ୍ନରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ତପôରତା ପ୍ରକାଶ ପାଇଥିଲା । ତାଙ୍କୁ ତୁରନ୍ତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଥିଲା । ଖବର ପାଇ ତିଗିରିଆ ଥାନାଧିକାରୀ ରବୀନ୍ଦ୍ର କୁମାର ଭୁଜବଳ, ବିଡିଓ ଦୀପ୍ତିମୟୀ ବେହେରା, ତିଗିରିଆ ସରକାରୀ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ବିଶ୍ୱମୋହନ ରାଉତରାୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁରୂପ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆଜି ପ୍ରଶାସନ ପକ୍ଷରୁ ସାନିଟାଇଜ୍ କରାଯାଇଛି ।
ଆଜିର ଘଟଣା ପରେ ସୁରଟ ଓ ଅନ୍ୟ ଅଞ୍ଚଳରୁ ଫେରିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମିତ ଥାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହେଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ଫେରିବା ପାଇଁ ମୋଟ ୩୮ହଜାର ୭୫୭ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୭୧୫ଜଣ ଫେରିଛନ୍ତି । ନରସିଂହପୁର ବ୍ଲକକୁ ସର୍ବାଧିକ ୨୨୮ଜଣ ଫେରିଥିବା ବେଳେ ତିଗିରିଆକୁ ୧୨୪ଜଣ ଫେରିଛନ୍ତି । ସେହିପରି କଟକ ସଦରକୁ ୫ଜଣ, ବାରଙ୍ଗକୁ ୪ଜଣ, ଟାଙ୍ଗୀ-ଚୌଦ୍ୱାରକୁ ୨ଜଣ, କଣ୍ଟାପଡାକୁ ୬ଜଣ, ନିଆଳିକୁ ୬, ମାହାଙ୍ଗାକୁ ୫୧, ନିଶ୍ଚିନ୍ତକୋଇଲିକୁ ୧୩, ସାଲେପୁରକୁ, ୩୩, ଆଠଗଡକୁ ୨୪, ବଡମ୍ବାକୁ ୬୫, ବାଙ୍କୀକୁ ୪୨, ଡମପଡାକୁ ୧୭ ଓ ସିଏମ୍ସି ଅଞ୍ଚଳକୁ ୯୫ଜଣ ଫେରିଛନ୍ତି । ପର୍ଯ୍ୟାୟକ୍ରମେ ବାହାରୁ ଫେରିଥିବା ବ୍ୟକ୍ତିମାନଙ୍କର ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଉଛି । ତେବେ ଏଯାବତ୍ ଫେରିଥିବା ୭୨୫ ଜଣ ପ୍ରବାସୀଙ୍କ ମଧ୍ୟରୁ କେତେଜଣଙ୍କ ନମୁନା ସଂଗ୍ରହ ହୋଇଛି ସେ ସଂପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ସ୍ପଷ୍ଟ ସୂଚନା ନାହିଁ । କ୍ୱାରେଣ୍ଟାଇନ୍ରେ ରହିବାର ୧୪ ଦିନ ମଧ୍ୟରେ ସବୁ ପ୍ରବାସୀଙ୍କ ନମୁନା ସଂଗ୍ରହ କରାଯିବା ସହ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କେବଳ ସୂଚନା ଦିଆଯାଇଛି । ମାତ୍ର ଯେଉଁମାନଙ୍କ ଶରୀରରେ ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କଠାରୁ ପ୍ରଥମେ ସ୍ୱାବ୍ ସଂଗ୍ରହ କରାଯିବ । ତେଣୁ ଆଗକୁ ଜିଲ୍ଲାରେ ଅଧିକ ପଜିଟିଭ୍ ବାହାରିବାର ଆଶଙ୍କା କରାଯାଉଛି । ତେବେ ଜିଲ୍ଲାରେ ଜଣେ ମାତ୍ର ପଜିଟିଭ ରୋଗୀ ବାହାରିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ପ୍ରକାଶ କରିବା ସହ କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଦୃଢୋକ୍ତି ବାଢ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons