ନୂଆଦିଲ୍ଲୀ: ସ୍ପେନ୍ରେ ଚାଲିଥିବା କଟିଫ୍ କପ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ବିଜୟ ସ୍ୱାଦ ଚାଖିଛି । ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଦଳ ୩-୧ ଗୋଲ୍ରେ ବଲିଭିଆକୁ ପରାସ୍ତ କରିଛି । ଭାରତ ପକ୍ଷରୁ ରତନବାଳା ଦେବୀ ୨ଟି ଏବଂ ବାଲା ଦେବୀ ଗୋଟିଏ ଗୋଲ୍ ସ୍କୋର କରିଥିଲେ ।
ସ୍ପେନ୍ କ୍ଲବ୍ ଭିଲାରେଲ ସିଏଫ୍ ନିକଟରୁ ୨-୦ ଗୋଲ୍ରେ ହାରି ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ମ୍ୟାଚ୍ରେ ଚମକ୍ରାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ ଖେଳର ଦ୍ୱିତୀୟ ମିନିଟ୍ରେ ବଲିଭିଆ ଖାତା ଖୋଲିଥିଲା । ଭାରତୀୟ ଗୋଲ୍କିପର ସୁଇଟି ଦେବୀଙ୍କ ଭୁଲ ପାଇଁ ଏହି ଗୋଲ୍ଟି ହୋଇଥିଲା । ସେ ସାଥି ଖେଳାଳିଙ୍କ ପାସକୁ ହାତରୁ ଖସାଇ ପକାଇଥିଲେ । ଏହାର ୨ ମିନିଟ୍ ପରେ ତଥା ଖେଳର ପଞ୍ଚମ ମିନିଟ୍ରେ ଭାରତ ଏହିକୁ ପରିଶୋଧ କରି ଦେଇଥିଲା । ବାଲା ଦେବୀ ଗୋଟିଏ ଦର୍ଶନୀୟ ଫିଲ୍ଡ କରି ମ୍ୟାଚ୍କୁ ୧-୧ରେ ବରାବର କରିଥିଲେ । ପରବର୍ତ୍ତୀ ସମୟର ଖେଳରେ ଭାରତୀୟ ଖେଳାଳି ଆକ୍ରମଣ କରି ଖେଳିଥିଲେ । ରତନବାଳା ଦେବୀ ଆଉ ୨ଟି ଗୋଲ୍ ଦେଇ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମହିଳା ଦଳ ଏହି ବିଜୟକୁ ଭାରତୀୟ ପୁରୁଷ ଦଳ ଅଧିନାୟକ ସୁନିଲ ଛେତ୍ରୀଙ୍କୁ ଉତ୍ସର୍ଗ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଗତକାଲି ଛେତ୍ରୀ ୩୫ବର୍ଷ ବୟସରେ ପଦାର୍ପଣ କରିଥିଲେ ।
Comments are closed, but trackbacks and pingbacks are open.