ବାଲେଶ୍ୱର,(ବି.ବି.ନୁ୍ୟଜ୍): କଡ଼ା ସୁରକ୍ଷା ବଳୟ ଭିତରେ ୪ ବାଂଲାଦେଶୀ ସୋମବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜିଲ୍ଲା ପୁଲିସ୍ର ଏକ ୭ ଜଣିଆ ଟିମ୍ ସେମାନଙ୍କୁ ସକାଳ ୯ଟାରେ ଜନ ଶତାଦ୍ଧୀ ଏକ୍ସପ୍ରେସ୍ରେ କଲିକତା ନେଇଛନ୍ତି । ସେଠାରେ ସେମାନଙ୍କୁ ଏହି ଟିମ୍ କଲିକତା ଆଇବିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ । କଲିକତା ଆଇବି କର୍ତ୍ତୃପକ୍ଷ ବିଏସଏଫକୁ, ବିଏସଏଫ ବାଂଲାଦେଶ ରାଇଫଲକୁ ହସ୍ତାନ୍ତର କରିବ ।
ଜିଲ୍ଲା ପୁଲିସ୍ ପକ୍ଷରୁ ଗଠନ କରାଯାଇଥିବା ଟିମ୍ରେ ଏଏସ୍ଆଇ ସୁବ୍ରତ ବେହେରା ନେତୃତ୍ୱ ନେଉଛନ୍ତି । ଏହି ଟିମ୍ର ଅନ୍ୟ ସଦସ୍ୟମାନେ ହେଲେ ହାବିଲଦାର ପି.କେ ପାତ୍ର, କନେଷ୍ଟବଲ ଏସ୍.କେ ଦାସ, ଆର.କେ ଭୋଇଁ, କେ. ସିଂ, ସି. ନାୟକ ଓ ବି. ମୁର୍ମୁ । ଏହି ଟିମ୍ ବାଂଲାଦେଶ ସୀମାକୁ ଯିବ । ଚାରି ବାଂଲାଦେଶୀ ବାଂଲାଦେଶ ରାଇଫଲଙ୍କ ହସ୍ତାନ୍ତର ହେବା ପରେ ଯାଇ ଫେରିବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ୨୦୦୭ ମସିହା ମେ ମାସ ୨୮ ତାରିଖରେ ଏକ ସିରିଜ୍ ଡକାୟତି ଘଟଣା ଘଟିଥିଲା । ଏହି ଘଟଣାରେ ଟାଉନ ଥାନା ପୁଲିସ୍ ସୁନହଟସ୍ଥିତ ଏକ ଘରୁ ୬ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଫରିଦପୁର ଜିଲ୍ଲା ବଙ୍ଗ ଥାନା ଅନ୍ତର୍ଗତ ହମିର୍ଦ୍ଧି ଗ୍ରାମର ଆରିଫ ଖାନ(୩୨), ପଉସା ଖାନ୍(୩୩), ଏସ୍କେ ଜାହିର(୩୧), ଏମ୍ଡି ଅସାଦୁଲ ମୁଲ୍ଲା(୩୨), ଏମଡି ବାବୁ ଖାଁ(୩୨), ଏମଡି ଆବୁର ବସ୍ର ମୁଲ୍ଲା(୩୬) । ସେମାନଙ୍କ ମଧ୍ୟରୁ ଅସାଦୁଲ ଢେଙ୍କାନାଳ ଓ ବାବୁ ଖାଁ କଟକର ଚୌଦାର ଜେଲ୍ରେ ସଜା କାଟୁଛନ୍ତି । ଅରିଫ, ପଉସା, ଜାହିର, ଆବୁର ବସର ବାଲେଶ୍ୱର ଜେଲ୍ରେ ୧୪ ବର୍ଷ ଲେଖାଏଁ ସଜା କାଟୁଥିଲେ । ସେମାନଙ୍କ ବ୍ୟବହାର, ଆଚରଣ ପ୍ରତି ଆକୃଷ୍ଟ ହୋଇ ଜେଲ କର୍ତ୍ତୃପକ୍ଷ ୨ ବର୍ଷ ଲେଖାଏଁ ସଜା କୋହଳ କରିଥିଲେ । ଗତ ଜୁନ୍ ୮ ତାରିଖରେ ତାଙ୍କର ସଜା ଅବଧି ସରିଥିଲା । ବାଂଲାଦେଶ ସରକାରଙ୍କ ଏହାକୁ ଗୁରୁତର ସହ ନେଉ ନଥିବାରୁ ସେମାନେ ନିଜ ଘର, ପରିବାର ସଦସ୍ୟଙ୍କଠୁ ଦୂରେଇ ରହିଥିଲେ ।
Comments are closed, but trackbacks and pingbacks are open.