ରାଉରକେଲା,(ବି.ବି.ନୁ୍ୟଜ୍): କଣ୍ଟେନମେଣ୍ଟ ଜୋନ୍ ହଟାଇବା ଦାବି କରି ବ୍ୟାରିକେଡ଼ ଭାଙ୍ଗିବା ସହ ପୁଲିସ୍ର ଅସ୍ଥାୟୀ ଶିବିରକୁ ଭଙ୍ଗାରୁଜା କରି ପୁଲିସ୍ ଉପରକୁ ପଥର ମାଡ଼ କରିବା ଘଟଣା ଆଜି ପୁଲିସ୍ ୩୧ ଜଣଙ୍କୁ ଗିରଫ କରିଛି । ଆଜି ରାଉରକେଲା ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ସୂଚନା ଦେଇଛନ୍ତି । ଗଣ୍ଡଗୋଳ ଘଟଣାରେ ସାମିଲ ଥିବା ଗଣ୍ଡଗୋଳକାରୀଙ୍କୁ ଗିରଫ କରାଯାଇଛି ଏବଂ ଆଉ କେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ତାହାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଣ୍ଟେନମେଣ୍ଟ ଜୋନ୍ ହଟାଇବା ଦାବି କରି ଗତ ୨୬ ତାରିଖ ଦିନ ସକାଳୁ ସ୍ଥାନୀୟ ଲୋକେ ବ୍ୟାରିକେଡ଼୍ ଭାଙ୍ଗି ଦେଇଥିଲେ । କଣ୍ଟେନମେଣ୍ଟ ଜୋନ୍ ବାହାରେ ତଥା ରିଂରୋଡ଼ ପାଶ୍ୱର୍ରେ ଥିବା ପୁଲିସ୍ର ଅସ୍ଥାୟୀ ଶିବିରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରିକି ଜଳାପୋଡ଼ା କରିବା ସହ ସେଠାରେ ମୁତୟନ ଥିବା ପୁଲିସ୍ କର୍ମଚାରୀମାନଙ୍କ ଉପରକୁ ପ୍ରବଳ ଟେକା ପଥର ମାଡ଼ କରିଥିଲେ । ଏହାକୁ ପ୍ରତିହତ କରିବା ଲାଗି ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ଚାଳନା କରାଯାଇଥିଲା । ମାତ୍ର ଉତ୍ତ୍ୟକ୍ତ ଲୋକେ ପୁଲିସ୍ କର୍ମଚାରୀମାନଙ୍କ ଉପରକୁ ଟେକା ପଥର ମାଡ଼ କରିବାରୁ ଜଣେ ସବ୍ଇନ୍ସପେକ୍ଟରଙ୍କ ସମେତ ୧୨ରୁ ଉଦ୍ଧ୍ୱର୍ ଯବାନ ଆହତ ହୋଇଥିଲେ । ଗଣ୍ଡଗୋଳ ଘଟଣାକୁ ନେଇ ପ୍ଲାଣ୍ଟସାଇଟ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ୍ ଆଜି ୩୧ ଜଣ ଗଣ୍ଡଗୋଳକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୭/୧୪୮/୧୫୨/୧୮୬/୩୩୨/୩୫୩/୩୩୬/୪୨୭/୪୩୫/୩୯୫/୩୦୭/୨୯୪/୫୦୬/୧୪୯/୧୨୦(ବି)ଆଇପିସି/୩ ଇପିଡେମିକ୍ ଡିଜିଜ୍ ଆକ୍ଟ/୩ ପିଡ଼ିପିପି ଆକ୍ଟ/୭ ସିଆରଏଲ୍.ଏ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.