ଭୋପାଳ: କଣ୍ଣ ର୍ାଟକରେ ଶାସକ କଂଗ୍ରେସ-ଜେଡିଏସ୍ ମେଣ୍ଟର ୧୪ ଜଣ ବିଧାୟକ ଇସ୍ତଫା ଦେବା ପରେ ସରକାର ଏବେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି । ସେଠାରେ ଚାଲିଥିବା ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଏହି ଘଟଣା ପଛରେ ଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କର୍ଣ୍ଣାଟକର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ମଧପ୍ରଦେଶର କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଏବେ ଭୟଭୀତ ହୋଇପଡିଛନ୍ତି । କାରଣ କମଲନାଥଙ୍କ ସରକାର ୭ ଜଣ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଚାଲିଛି । ସେମାନେ ଯଦି ଇସ୍ତଫା ଦେବେ କିମ୍ବା ସମର୍ଥନ ପ୍ରତ୍ୟାହାର କରିବେ ତେବେ ସରକାର ଭାଙ୍ଗଯିବ । ତେଣୁ ତାକୁ ନେଇ ଏବେ ଘୋର ଚିନ୍ତାରେ ପଡିଯାଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ବିଜେପିର ସମ୍ଭାବ୍ୟ ଘୋଡା ବେପାର ଭୟ ତାଙ୍କୁ ଲାଗି ରହିଛି । ତେଣୁ ସେ କିଭଳି ସବୁ ବିଧାୟକଙ୍କୁ ଏକାଠି କରି ୭ ମାସ ତଳର ସରକାରକୁ ବଞ୍ଚାଇ ରଖିବେ ସେଥିପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି ।
ରାଜ୍ୟର ୨୩୦ ବିଧାନସଭା ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୧୧୬ । କଂଗ୍ରେସର ସଦସ୍ୟ ସଂଖ୍ୟା ହେଉଛି ୧୧୪ । କିନ୍ତୁ ଅନ୍ୟ ୭ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଛି । ଏହି ୭ ବିଧାୟକଙ୍କ ମଧ୍ୟରେ ଅଛନ୍ତି ସମାଜବାଦୀ ପାର୍ଟି (ସପା)ର ୨, ବହୁଜନ ସମାଜ ପାର୍ଟି (ବସପା)ର ୧ ଏବଂ ୪ଜଣ ସ୍ୱାଧୀନ ବିଧାୟକ । ବିରୋଧୀ ବିଜେପିର ସଦସ୍ୟ ସଂଖ୍ୟା ୧୦୮ । ସରକାରରେ କୌଣସି ପ୍ରକାର ଅସ୍ଥିରତା ସୃଷ୍ଟି ଆଶଙ୍କା କରି କମଲନାଥ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକଙ୍କୁ ବିଧାନସଭା ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ରାଜଧାନୀରେ ରହିବାକୁ କହିଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ୧୯ ଦିନିଆ ମୌସୁମୀ ଅଧିବେଶନ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟର ପୁର୍ତ୍ତମନ୍ତ୍ରୀ ସଜ୍ଜନ ସିଂହ ବର୍ମା କହିଛନ୍ତି ବିଧାନସଭା ଅଧିବେଶନରେ ବିଧାୟକମାନେ ଉପସ୍ଥିତ ରହିବା ନିହାତି ଆବଶ୍ୟକ । ତା’ଛଡା ନୂଆ ବିଧାୟକମାନେ ଉପସ୍ଥିତ ରହିଲେ ପୁରୁଣା ବିଧାୟକମାନଙ୍କ ଠାରୁ ଅନେକ କିଛି ଶିଖିବେ ।
Comments are closed, but trackbacks and pingbacks are open.