ମୁନିଗୁଡାÿ,(ବି.ବି.ନୁ୍ୟଜ୍): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ବୁର୍ଜୁଗୁଡା ଗାଁର ଏକ କମାରଶାଳରୁ ବେଆଇନ ମହଜୁଦ ଥିବା ଦେଶୀବନ୍ଧୁକ ତିଆରି ସାମଗ୍ରୀ ପୁଲିସ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫବ୍ୟକ୍ତିମାନେ ହେଲେ ଗୌରାଙ୍ଗ କର୍କରିଆ(୬୦) ଓ ହାତୀରାମ କୁଲେସିକା(୬୧) ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁର୍ଜାଗୁଡାର ଏକ କମାରଶାଳରେ ଗୁରୁବାର ବନ୍ଧୁକ ତିଆରି ପାଇଁ ପ୍ରସ୍ତୁତି ଚାଲିଥିବା ଖବର ମିଳିଥିଲା । ଥାନା ଅଧିକାରୀ ରାଜେନ୍ଦ୍ରପ୍ରସାଦ ଦେହୁରୀଙ୍କ ନେତୃତ୍ୱରେ ଏସଆଇ ଅଶୋକକୁମାର ବିଷୋୟୀ, ହାବିଲଦାର୍ ଶ୍ରୀନିବାସ ଦଳେଇ, କନେଷ୍ଟବଳ ନିରଞ୍ଜନ ଦାସ, ରବୀନ୍ଦ୍ର ବିଡିକା ପ୍ରମୁଖଙ୍କ ଏକ ଟିମ୍ ଗାଁରେ ଚଢଉ କରିଥିଲେ । କମାରଶାଳରୁ ଦେଶୀ ବନ୍ଧୁକ ପାଇଁ ନିର୍ମିତ ଲୁହାପାଇପ, ରୋଲ, ହାତୁଡି, ଲୁହା ତରଳାଇବା ଚୁଲି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଥିଲା । ଦେଶୀ ବନ୍ଧୁକର ସାମଗ୍ରୀ କମାରଶାଳକୁ କିପରି ଆସିଲା । କିଏ ଆଣିଲା, କାହିଁକି ଗଚ୍ଛିତ ଥିଲା, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ପଚରାଉଚରା କରିଛି । ଥାନା କେସ ନମ୍ବର ୧୨୦/୨୦ୟୁଏସ-୨୫ ଅର୍ମ୍ସ ଏକ୍ଟରେ ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉ କି ଏହି ଅଞ୍ଚଳଟି ନିୟମଗିରି ପାହାଡର ପାଦଦେଶରେ ରହିଛି । ଏହି ଗାଁ ଦେଇ ନିୟମଗିରି ପାହାଡ ଭିତରେ କଳାହାଣ୍ଡି ଜିଲ୍ଲାକୁ ନକ୍ସଲମାନେ ଚଳପ୍ରଚଳ କରିଥାନ୍ତି । ଗତ କିଛିଦିନ ତଳେ ଗାଁର ଆଖପାଖ ଜାଗାମାନଙ୍କରେ ରାସ୍ତାଘାଟ ନିର୍ମାଣକୁ ବିରୋଧ କରାଯାଇ ମାଓବାଦୀଙ୍କ ତରଫରୁ ପୋଷ୍ଟର ଲଗାଯାଇଥିଲା ।


Comments are closed, but trackbacks and pingbacks are open.