ଭୁବନେଶ୍ବର: କରୋନା ନେଇ ଭୟଭୀତ ହେବା ଆତଙ୍କିତ ହେବା ଅନୁଚିତ ବୋଲି ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର ମୁଖପାତ୍ର ସୁବ୍ରଚ ବାଗଚୀ କହିଛନ୍ତି। ସାରା ବିଶ୍ବରେ ତଥ୍ୟ ରଖିବା ସହ କରୋନା ରୋଗର ଲକ୍ଷଣ ଏବଂ ସ୍ଥିତି ବର୍ଣ୍ଣନା କରି ଶ୍ରୀ ବାଗଚୀ କହିଛନ୍ତି, ଏହି ରୋଗ ପାଇଁ ଆମକୁ ସାବଧାନ ହେବାକୁ ପଡିବ, ଏହାର ମୁକାବିଲା କରିବାକୁ ହେବ। ଏହା ଅତ୍ୟାନ୍ତ ଭୟଙ୍କର ବୋଲି ଭାବି ନେଇ ଆମେ ଆତଙ୍କିତ ହେବା ନାହିଁ କହିବା ବେଳେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ, ସାରା ବିଶ୍ବରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଆରୋଗ୍ୟ ହୋଇପାରିବେ।
କରୋନା ବା କୋଭିଡ-୧୯ ସଂକ୍ରମିତଙ୍କ ଠାରେ ଜ୍ବର, କାଶ ଓ ଶ୍ବାସକଷ୍ଟ ଅନୁଭବର ଲକ୍ଷଣ ଦେଖାଯାଇଥାଏ। ଏହି ସଂକ୍ରମଣ ୨ରୁ ୧୪ ମଧ୍ୟରେ ଜଣାପଡିଥାଏ। ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ମୁକୁଳିବା ବେଳେ ୫ ପ୍ରତିଶତଙ୍କ କ୍ଷେତ୍ରରେ ବିପଦ ଦେଖା ଯାଇଥାଏ। ସାରା ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୬, ୯୫,୩୩୮ ଜଣଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ଠାରେ ଏହି ଲକ୍ଷଣ ଅତି କମ୍ ପ୍ରଭାବି ବା ସେମାନେ ମାଇଲ୍ଡ ସିମ୍ପଟମ୍ସ କାଟାଗୋରୀରେ ଆସୁଛନ୍ତି। ଅବଶିଷ୍ଟ ୫ ପ୍ରତିଶତଙ୍କ ସ୍ଥିତି ଗମ୍ଭୀର।
ଏହା କହିବା ବେଳେ ଭୟ ଯୋଗୁଁ ସଂକ୍ରମିତ ବା ସଂକ୍ରମଣ ଆଶଙ୍କାରେ ଥିବା ଲୋକ ନୀରବ ରହିବା ବିପଦଜନକ ବୋଲି ବାଗଚୀ କହିଛନ୍ତି। ଏହାର ଉଦାହରଣ ଦେଇ ସେ କହିଛନ୍ତି, ରାଜ୍ୟର ୫ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ୪୯ ଥର ଫୋନ୍ କରାଯାଇଥିବା ବେଳେ ସେ ମାତ୍ର ଥରେ ଫୋନ୍ ଉଠାଥିଲେ। ଏହାର କାରଣ ସେ ଭୟଭୀତ ଥିଲେ। କିନ୍ତୁ କରୋନାର ମୁକାବିଲା ପାଇଁ କୌଣସି ସଂକ୍ରମଣ ବା ଅସୁସ୍ଥ ବ୍ୟକ୍ତି ସେପରି କିଛି ଆଶଙ୍କାରେ ଥିଲେ ତୁରନ୍ତ ଆଗକୁ ଆସି ସୂଚନା ଦେବା ସହ ଡାକ୍ତର ପରୀକ୍ଷା କରାଇ ନେବା ଉଚିତ୍। ଏହା ସହ ରାଜ୍ୟ ସରକାରଙ୍କ ଅନଲାଇନ୍ ପଞ୍ଜିକରଣ ଅନୁଯାୟୀ ୧୦୪ ନମ୍ବରରେ ରେଜିଷ୍ଟ୍ରେସନ କରିବା ନେବା ଉଚିତ୍। ବର୍ତ୍ତମାନ ସୁଦ୍ଧା ଏହି ନମ୍ବରରେ ୧୫୮୯୫ ଜଣ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୪୩୬୬ ଜଣ ବିଦେଶୀ ଫେରନ୍ତା। ଏହି ସମସ୍ତଙ୍କ ମଧ୍ୟରୁ ମାତ୍ର ୮୫ ଜଣଙ୍କୁ ଆଇସୋଲେସନ୍ରେ ରଖାଯାଇଛି।
ଏହି ସମ୍ବାଦିକ ସମ୍ମିଳନୀ ଆରମ୍ଭରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଶ୍ରୀମତୀ ଶାଳିନୀ ପଣ୍ଡିତ କରୋନା ସଂକ୍ରମିତ ଏବଂ ରାଜ୍ୟ ସରକାରଙ୍କ ଚିକିତ୍ସା ପଦ୍ଧତି ନେଇ ବକ୍ତବ୍ୟ ରଖିଥିଲେ। ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକମାନେ ନିଜ ଘରେ ରହିବେ। ୧୪ ଦିନ ନିଜସ୍ବ ମନିଟରିଂ ପରେ ଯଦି ସେମାନେ କରୋନାର ଲକ୍ଷଣ ବା ସେପରି କିଛି ଅସୁସ୍ଥ ଅନୁଭବ କରିନ୍ତି ତେବେ ୧୦୪ ନମ୍ବରରେ ଯୋଗାଯୋଗ କରି ଟେଲିଫୋନରେ ପରାମର୍ଶ ନେଇ ପାରିବେ। ସେମାନେ ଡାକ୍ତରଖାନା ଆସିବା ଦରକାର ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ଆଶାକର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ପରାମର୍ଶ ନେଇ ପାରିବେ। ସେପରି ଗୁରୁତର ସ୍ଥିତିରେ ସରକାରଙ୍କ ପକ୍ଷରୁ ସେମାନଙ୍କ ଚିକିତ୍ସାଲାଗି ସମସ୍ତ ବ୍ୟବସ୍ଥା ରହିଛି। ତେବେ ପ୍ରତିଷେଧକ ସ୍ବରୂପ ସେମାନେ ଘରେ ରହିବା ଜରୁରୀ ଓ ସାମାଜିକା ଦୂରତା ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି।


Comments are closed, but trackbacks and pingbacks are open.