କରୋନା ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ବର: କରୋନା ଭୂତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ଘୋଷଣା ଲକ୍‌ ଡାଉନରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଦ୍ଭୁତପୂର୍ବ ସମୟ ଅଦ୍ଭୁତପୂର୍ବ ପଦକ୍ଷେପ ପାଇଁ ଆହ୍ବାନ କରେ। ଆହ୍ବାନମୂଳକ ସମୟରେ ଦାୟିତ୍ବବାନ ଶାସନର ଉଦାହରଣ ହୋଇଛନ୍ତି ମୋଦି ସରକାର। ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ବାସ୍ଥ୍ୟକର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଣ୍ରେଣୀଙ୍କ ଉପରେ କରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ, ବୀମା କଭର, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଆଗାମୀ ୩ ମାସ ପାଇଁ ଯୋଗାଇବା ଓ ଅନ୍ୟ ନିଷ୍ପତ୍ତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି।
ସେହିପରି କରୋନା ଭାଇରସ୍‌ ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ ଓ ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ ଘୋଷଣା କରାଯାଇଛି। ଦେଶରେ ୩ କୋଟି ଗରିବ ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ଅର୍ଥମନ୍ତ୍ରୀ ୧୦୦୦ କୋଟି ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି। ୨୦ କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀ ଆସନ୍ତା ୩ ମାସ ପାଇଁ ମାସିକ ୫୦୦ ଟଙ୍କା ପାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ୬୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବନ୍ଧକ ବିହିନୀ ଋଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଦ୍ବାରା ୭ କୋଟି ପରିବାର ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ଏବଂ ବିଜୟୀ ହେବା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons