କରୋନାକୁ ହରାଇଲେ ଶତାୟୁ ବୃଦ୍ଧା

Get real time updates directly on you device, subscribe now.

ନୟାଗଡ଼: ମହାମାରୀ କରୋନାର ଦ୍ୱିତୀୟ ଲହର କେତେ ଲୋକଙ୍କୁ ସଂକ୍ରମିତ କଲାଣି । କେତେ ଲୋକଙ୍କ ଜୀବନ ନେଲାଣି କିନ୍ତୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କୋଭିଡ୍ ହସ୍ପିଟାଲରେ ଜଣେ ଶତାୟୁ ବୃଦ୍ଧା କରୋନାକୁ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କରୋନା ସଂକ୍ରମଣରୁ ମୁକ୍ତ ହୋଇ ପୁଣି ସୁସ୍ଥ ଜୀବନ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଜିଲ୍ଲାପାଳ ଡ.ପୋମା ଟୁଡୁ ପ୍ରତିକ୍ରିୟା ରଖି ଶତାୟୁ ସୁମତି ଆରୋଗ୍ୟ ହେବା କରୋନା ସଂକ୍ରମିତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି କହିଛନ୍ତି ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁରର ଶତାୟୁ ବୃଦ୍ଧା ସୁମତି ନାୟକ ଚଳିତ ମାସ ୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅମ୍ଳଜାନ ଅଭାବ ହେବାରୁ ତାଙ୍କୁ ଖଣ୍ଡପଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସୁମତିଙ୍କ ବୟସ ୧୦୦ ବର୍ଷରୁ ଊଦ୍ଧ୍ୱର୍ ହୋଇଥିବାରୁ ଡାକ୍ତର ପ୍ରଦୀପ କୁମାର ପାଇକରାୟ ଚିନ୍ତାରେ ପଡ଼ି ଯାଇଥିଲେ । ଡାକ୍ତର ଓ ନର୍ସଙ୍କ ଅକ୍ଳାନ୍ତ ପରିଶ୍ରମ କରିବା ସହ ସୁମତିଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ଚିକିତ୍ସା କରିଥିଲେ । ଧିରେ ଧିରେ ସୁମତି କୋଭିଡ୍ରୁ ସୁସ୍ଥ ହୋଇଥିଲେ । ୧୬ ତାରିଖରେ ଡାକ୍ତର ତାଙ୍କୁ ଆରୋଗ୍ୟ ଘୋଷଣା କରିଥିଲେ । ସୁମତି ସୁସ୍ଥ ହେବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଥିଲା । ସୁମତିଙ୍କୁ କୋଭିଡ ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଇଥିଲା । ପରେ ଘରକୁ ଫେରିଥିଲେ ସୁମତି ।
ଉତ୍ତମ ଚିକିତ୍ସା, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ବୟସ ଓ ଭୂତାଣୁ ହାର ମାନିଥିଲେ । ଖଣ୍ଡପଡା କୋଭିଡ୍ ସେଣ୍ଟରର ନର୍ସମାନଙ୍କ ସ୍ନେହ ଶ୍ରଦ୍ଧା ସୁମତିଙ୍କୁ ନୂଆ ଜୀବନ ଦେଇଛି । ସେମାନେ ନିଜ ମା’ ଭଳି ଶତାୟୁ ସୁମତିଙ୍କୁ ସେବା ଯୋଗାଇଛନ୍ତି । ତାଙ୍କୁ ଗାଧୋଇବା, ମୁଣ୍ଡ କୁଣ୍ଡାଇ ଦେବାଠାରୁ ଆରମ୍ଭ କରି ସବୁ ନିତ୍ୟକର୍ମ କରାଇ ଦେଉଥିଲେ । ଘର ଲୋକ ପରି ବ୍ୟବହାର ପ୍ରଦର୍ଶନ କରି ସୁମତିଙ୍କ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଲଢେ଼ଇ ପାଇଁ ମନୋବଳ ଯୋଗାଇ ଦେଇଥିଲେ । ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବା ଓ ନିଜର ସାହସ ଓ ଦୃଢ଼ ଆତ୍ମବିଶ୍ୱାସ ଯୋଗୁଁ କରୋନାକୁ ହରାଇବାରେ ସକ୍ଷମ ହେଲି ବୋଲି ସୁମତି ପ୍ରକାଶ କରିଛନ୍ତି ।
ଏହି ଖବର ପାଇ ଜିଲ୍ଲାପାଳ ଡ.ପୋମା ଟୁଡୁ ଉତ୍ସାହିତ ହୋଇପଡ଼ିଛନ୍ତି । ଶତାୟୁ ମହିଳାଙ୍କ ଆରୋଗ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଘଟଣା ଅନେକ କୋଭିଡ୍ ରୋଗୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଜିଲ୍ଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରତି ନୂତନ ଆଶାର ସଞ୍ଚାର କରିବ ।
ସେହିପରି ଏହି ଶତାୟୁଙ୍କୁ ଚିକିତ୍ସା କରିଥିବା ଖଣ୍ଡପଡା କୋଭିଡ କେୟାର ସେଣ୍ଟରର ଡାକ୍ତର ପ୍ରଦୀପ ପାଇକରାୟ କହିଛନ୍ତି, ଉତ୍ତମ ଚିକିତ୍ସା ସହ ଉତ୍ତମ ବ୍ୟବହାର ରୋଗୀଙ୍କ ମନୋବଳ ବଢ଼ାଇ ଥାଏ ଯାହାକି ଏହି ଶତାୟୁ ବୃଦ୍ଧା କରୋନାକୁ ହରାଇବାର ମୁଖ୍ୟ କାରଣ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons