କରୋନା ଚାଲେଞ୍ଜକୁ ସୁଯୋଗରେ ପରିଣତ କର:ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି ନେଇ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସଂସ୍କାର ଓ ନୀତି ମାଧ୍ୟମରେ କରେନା ଭାଇରସ୍ (କୋଭିଡ-୧୯) ଚାଲେଞ୍ଜକୁ ସୁଯୋଗରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି । ଏଥିସହ ପରିସ୍ଥିତିର ବାସ୍ତବତାକୁ ଦେଖି ନିଜ ରାଜ୍ୟରେ ଲକ୍ଡାଉନ କଟକଣା କୋହଳ କରିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦୀର୍ଘଦିନ ଧରି ଲାଗି ରହିବ । ମେ ୩ ପରେ ମଧ୍ୟ ଲୋକମାନଙ୍କୁ ନିୟମିତ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବାକୁ ପଡ଼ିବ । ମାସ୍କ ବ୍ୟବହାର ଓ ଦୁଇଗଜ ଦୂରତା ଆଗାମୀ ଦିନରେ ମଣିଷ ଜୀବନର ଏକ ଅଂଶ ପାଲଟିବ । ରେଡ୍ ଜୋନକୁ ଅରେଞ୍ଜ ଓ ପରେ ଗ୍ରୀନ୍ ଜୋନରେ ପରିଣତ କରିବା ଦିଗରେ ପଦକ୍ଷେପ ନେବାକୁ ହେବ । ଯଦିଓ ବର୍ଦ୍ଧିତ ଲକ୍ଡାଉନ ଅବଧି ଆସନ୍ତା ମେ ୩ ତାରିଖରେ ଶେଷ ହେବ ତଥାପି ରାଜ୍ୟ ସରକାରମାନେ କେନ୍ଦ୍ର ପକ୍ଷରୁ ଧାର୍ଯ୍ୟ ଗାଇଡ୍ଲାଇନ ଅନୁସାରେ ସେଠାକାର ପରିସ୍ଥିତିକୁ ଦେଖି କଟକଣା କୋହଳ କରିପାରିବେ । ଗାଡ଼ି ଚଳାଚଳକୁ କିଭଳି ଅନୁମତି ଦିଆଯିବ, ବୟସ୍କ ଓ ପିଲାମାନେ ଘରୁ ବାହାରି ପାରିବେ କି ନାହିଁ ଏବଂ ବ୍ୟବସାୟିକ ପ୍ରତିÂାନଗୁଡ଼ିକ କିଭଳି ଖୋଲିବ ଆଦି ବିଷୟରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକ୍ଡାଉନ କାର୍ଯ୍ୟକାରୀ କରାଯିବା ଯୋଗୁ ସକାରାତ୍ମକ ଫଳ ମିଳିଛି । ଗତ ଦେଢ଼ମାସ ଭିତରେ ଦେଶରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରାଯାଇଛି । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସର ଫଳ । ସଂକ୍ରମଣ ଦୃଷ୍ଟିରୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବେଶ୍ ଭଲ ଅଛି । ପ୍ରଶାସନିକ ସଂସ୍କାର ଓ ନୀତି ବଳରେ କରୋନା ଚାଲେଞ୍ଜକୁ ସୁଯୋଗରେ ପରିଣତ କରିବାକୁ ହେବ । ଗୋଟିଏ ପଟେ ଅର୍ଥନୀତିକୁ ଧ୍ୟାନରେ ରଖିବାକୁ ପଡ଼ିବ ଓ ଅନ୍ୟ ପଟେ କରୋନା ବିରୋଧରେ ଲଢେ଼ଇ ଜାରି ରଖିବାକୁ ହେବ । କରୋନା ଭାଇରସ୍ ହଟସ୍ପଟରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଦେଶ ଏପର୍ଯ୍ୟନ୍ତ ଦୁଇଟି ଲକ୍ଡାଉନ ଦେଖିଛି । କେତେକ ଦୃଷ୍ଟିରୁ ଦେଖିଲେ ଦୁଇଟି ଯାକ ଭିନ୍ନ । ବର୍ତ୍ତମାନ ଆଗକୁ କ’ଣ କରାଯାଇପାରିବ ତାହା ଉପରେ ଆମକୁ ଧ୍ୟାନ ଦେବାକୁ ହେବ । ବିଶେଷଜ୍ଞଙ୍କ କହିବାନୁଯାୟୀ ଆଗାମୀ କିଛିମାସ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍ର ପ୍ରଭାବ ଲାଗି ରହିବ ।
ଅଧିକ ସଂକ୍ରମିତ ଅଞ୍ଚଳ ରେଡ୍ ଜୋନରେ କଟକଣା ବଳବତ୍ତର ରହିବ । କିନ୍ତୁ କମ୍ ସଂକ୍ରମଣ ଥିବା ଅରେଞ୍ଜ ଜୋନ ଓ ସଂକ୍ରମିତ ହୋଇ ନଥିବା ଗ୍ରୀନ୍ ଜୋନରେ ସବୁ ପ୍ରକାର ଆର୍ଥିକ କାରବାର କରାଯାଇପାରିବ । ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ମେ ୩ ରେ ଲକ୍ଡାଉନ ଉଠିଲେ ମଧ୍ୟ କଟକଣା ବଳବତ୍ତର ରହିବ । କଟକଣା ସହ ଘରୋଇ ଟ୍ୟାକ୍ସି ଚଳାଚଳକୁ ଅନୁମତି ମିଳିପାରେ । କିନ୍ତୁ ସର୍ବସାଧାରଣ ପରିବହନ ସେବା ଯେପରିକି ବିମାନ, ଟ୍ରେନ, ବସ୍ ଆଦିର ଚଳାଚଳ ବନ୍ଦ ରହିପାରେ । ସେହିଭଳି ସ୍କୁଲ ଓ କଲେଜ ବନ୍ଦ ରହିବା ସହିତ ଧାର୍ମିକ ସମାବେଶ କିମ୍ବା ସଭାସମିତି ଉପରେ କଟକଣା ପୂର୍ବଭଳି କିଛିଦିନ ବଳବତ୍ତର ରହିବ । ବୈଠକରେ ସାମିଲ ୯ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୪ ମୁଖ୍ୟମନ୍ତ୍ରୀ ଲକ୍ଡାଉନ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅନ୍ୟ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ ଅବଧି ଆଉ ନ ବଢ଼ାଇବାକୁ ମତ ଦେଇଥିଲେ । ଏହି ବୈଠକ ପ୍ରାୟ ୩ ଘଣ୍ଟା ଚାଲିଥିଲା ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଆଲୋଚନା ତଥା ମାର୍ଚ୍ଚ ୨୫ରେ ଲକ୍ଡାଉନ ଲାଗୁ ହେବା ପରେ ୩ୟ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ପିଏମ୍ଓ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପାଲାନିସ୍ୱାମୀ, ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ପ୍ରମୁଖ ସାମିଲ ହୋଇଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବଦଳରେ ରାଜ୍ୟର ମୁଖ୍ୟ ସଚିବ ଟମ୍ ଜୋସ୍ ଏହି ବୈଠକରେ ଯୋଗଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ନିଜ ମୁହଁକୁ ଗ୍ରୀନ୍ ବର୍ଡର ଥିବା ଧଳା ଗାମୁଛାରେ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons