କରୋନା: ଦିନକରେ ୩୪ ପଜିଟିଭ୍, ରାଜ୍ୟରେ ୨୧୯

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡରାଇଛି କରୋନା । ମାରିଛି ଲମ୍ବ ଡିଆଁ । ପୁରୁଣା ରେକର୍ଡ ଭାଙ୍ଗି ଆଜି ଏକାଥରକେ ଦିନକରେ ଚିହ୍ନଟ ହୋଇଛନ୍ତି ୩୪ ପଜିଟିଭ୍ । ଗଞ୍ଜାମରେ ଆଜି ୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ନୂଆ ଜିଲ୍ଲା ଭାବେ କରୋନା ମାନଚିତ୍ରରେ ସାମିଲ୍ ହୋଇଛି । ଦିନକରେ ୪ ଜଣ କରୋନା ସଂକ୍ରମିତ ଏଠାରୁ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୨ ଓ ଜଗତସିଂହପୁରରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଶ୍ୱସ୍ତ ରାଜଧାନୀ ଭୁବନେଶ୍ୱର ପୁଣି କରୋନା କବଳକୁ ଆସିଛି । ଏଠାରେ ଆଜି ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଶହ ପାର୍ କରି ଆଜି ୨୧୯ରେ ପହଞ୍ଚିଛି । ରାଜ୍ୟର ୧୮ ଜିଲ୍ଲା ଏବେ କରୋନା କବଳରେ । ଏକାଥରକେ ୨୪ ଘଣ୍ଟାରେ ୩୪ ପଜିଟିଭ୍ ସରକାରଙ୍କ ଚିନ୍ତା ବଢ଼ାଇଥିଲା ବେଳେ ସାଧାରଣ ଲୋକ ମଧ୍ୟ ଶଙ୍କାଗ୍ରସ୍ତ ହୋଇ ପଡ଼ିଛନ୍ତି ।
କାୟା ମେଲାଇ ଚାଲିଛି କରୋନା । ଗୋଟିଏ ପରେ ଆଉ ଗୋଟିଏ ଜିଲ୍ଲାକୁ କରୋନା ପଞ୍ଝା ମାରୁଛି । ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଆଜି ଚିହ୍ନଟ ପଜିଟିଭ୍ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ଅନ୍ୟ ୩୦ ଜଣ ସୁରତ ଫେରନ୍ତା । ଆଜି ଗୋଟିଏ ଦିନରେ ଗଞ୍ଜାମରୁ ପଜିଟିଭ୍ ଚିହ୍ନଟ ୨୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିଲା ବେଳେ ୨୩ ଜଣ ଅଛନ୍ତି ପୁରୁଷ । ସେହିଭଳି ମୟୂରଭଞ୍ଜର ୪ ଜଣ ହେଉଛନ୍ତି ପୁରୁଷ । ଜଗତସିଂହପୁରରେ ଜଣେ ୭୦ ବର୍ଷୀୟ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିଭଳି ବାଲେଶ୍ୱରରୁ ଆଜି ଚିହ୍ନଟ ୨ ଜଣ ହେଉଛନ୍ତି ସୁରତ ଫେରନ୍ତା । ରାଜଧାନୀ ଭୁବନେଶ୍ୱରରୁ ୩ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି ପୁରୁଷ । ଏମାନେ ମଞ୍ଚେଶ୍ୱର, ଭିଏସ୍ଏସ୍ ନଗର ଓ ସୂର୍ଯ୍ୟନଗର ଅଞ୍ଚଳର । ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଛାନଭିନ୍ ଆରମ୍ଭ ହୋଇଛି ।
ରାଜ୍ୟକୁ ଇତିମଧ୍ୟରେ ୩୯ ହଜାର ୭୬୫ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଯେଉଁ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି ସେଠାରେ ସେମାନଙ୍କ କୋଭିଡ୍ ଟେଷ୍ଟ କରିବାକୁ ରାଜ୍ୟ କେନ୍ଦ୍ର ନିକଟରେ ଦାବି କରି ଆସୁଛି । ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇନଥିବାରୁ ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଆଗକୁ ପରୀକ୍ଷା ଯେତିକି ବଢ଼ିବ, ରାଜ୍ୟରେ ପଜିଟିଭ୍ ସେତିକି ବଢ଼ିବ ବୋଲି ସରକାର ଏବେଠାରୁ ଆକଳନ କରିଛନ୍ତି ।
ତିନି ଦିନ ତଳେ ଗଞ୍ଜାମରେ ଜଣେ ହେଲେ ପଜିଟିଭ୍ ନଥିଲେ । ଗତକାଲି ସଂଖ୍ୟା ୪ରେ ସୀମିତ ଥିଲା । ମାତ୍ର ଆଜି ସଂଖ୍ୟା ଏକାଥରେ ଡିଆଁ ମାରି ୨୮ ଛୁଇଁଛି । ସରକାର ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରି କଟକଣା ଲାଗୁ କରିଛନ୍ତି । ୪୩ ଦିନ କାଳ ମୟୂରଭଞ୍ଜ ଗ୍ରୀନଜୋନରେ ରହିଥିଲା । ମାତ୍ର ଆଜି ୪ ଜଣ ଚିହ୍ନଟ ପରେ ସେ ରେକର୍ଡ ହଟିଛି । ମୟୂୟଭଞ୍ଜକୁ ଅରେଞ୍ଜ ଜୋନ୍ରେ ନିଆଯାଇ ବିଜ୍ଞପ୍ତି ଜାରି ହୋଇଛି । ସେହିଭଳି ଗତକାଲି ୪ଟି କରୋନା ଚିହ୍ନଟ ହୋଇଥିବା ଜଗତ୍ସିଂହପୁର ମଧ୍ୟ ଅରେଞ୍ଜ ଜୋନ୍କୁ ଆସିଛି । ଭୁବନେଶ୍ୱର ମହାନଗର ନିଗମ ସହ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଞ୍ଜାମ ଜିଲ୍ଲା ଏବେ ରେଡ ଜୋନରେ ରହିଛି । ରାଜ୍ୟରେ ଏବେ ୧୪ ଜିଲ୍ଲା ଗ୍ରୀନ୍ ଏବଂ ୧୨ ଜିଲ୍ଲା ଅରେଞ୍ଜ ଜୋନ୍ରେ ରହିଛି ।
ଗଞ୍ଜାମର ଆଜି ପଜିଟିଭ୍ ଚିହ୍ନଟ ମହିଳାଙ୍କ ବୟସ ୨୦ ହୋଇଥିଲା ବେଳେ ପୁରୁଷମାନଙ୍କ ବୟସ ୨୭, ୨୭, ୨୦, ୩୮, ୨୩, ୨୯ ଓ ୫୦ ବର୍ଷ । ଅନ୍ୟ ପୁରୁଷ ମାନଙ୍କର ବୟସ ହେଉଛି ୩୦, ୨୯, ୨୧, ୪୩, ୪୩, ୩୯, ୪୬, ୧୮ ଓ ୨୪ ବର୍ଷ । ୫ମ ଅପଡେଟ୍ରେ ଗଞ୍ଜାମର ୭ ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ବୟସ ହେଉଛି ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୪ ଚିହ୍ନଟଙ୍କ ବୟସ ହେଉଛି ଯଥାକ୍ରମେ ୨୧, ୩୬, ୪୪ ଓ ୩୫ ବର୍ଷ । ବାଲେଶ୍ୱର ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୬ ଓ ୨୯ । ଭୁବନେଶ୍ୱର ୩ ଆକ୍ରାନ୍ତଙ୍କ ବୟସ ୩୬, ୩୪ ଓ ୬୭ ।
ନିଜାମୁଦ୍ଧିନ ଘଟଣା ପରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବେଶ ଉପରକୁ ଉଠିଥିଲା । ଏହାପରେ ପଶ୍ଚିମବଙ୍ଗ ଲିଙ୍କ୍ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ଭାବେ ଉଭା ହେଲା । ଲୁଚାଛପାରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା କରୋନା କାୟାରେ ଛଟପଟ ହେଲା । ୬୦ ଘଣ୍ଟିଆ ସଟ୍ଡାଉନ୍ କରି ବହୁ କଷ୍ଟରେ ସରକାର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଲେ । ଏବେ ସୁରତ ଫେରନ୍ତା ମଧ୍ୟ ମୁଣ୍ଡବ୍ୟଥା ବଢ଼ାଇଲେଣି । କେଉଁଠି କ୍ୱାରେଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ନିୟମ ଉଲ୍ଲଂଘନ କଲେଣି ତ ଆଉ କେଉଁଠି ଲୁଚି ପଳାଉଛନ୍ତି । ଏହା ସାଙ୍ଗକୁ ପଜିଟିଭ୍ର ଲମ୍ବ ଡିଆଁ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ଛିଡ଼ା କରାଇଲାଣି ।
ସୂଚନାଯୋଗ୍ୟ, ଲକଡାଉନ କଟକଣା ସତ୍ତେ୍ୱ ରାଜ୍ୟରେ ଗତ ୧୨ ଦିନରେ ପଜିଟିଭ୍ ସଂଖ୍ୟା ଦୁଇଗୁଣାରେ ପହଞ୍ଚିଛି । ମାର୍ଚ୍ଚ ୧୫ ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି ସଂଖ୍ୟା ୧୦୦ରେ ପହଞ୍ଚିବାକୁ ୪୧ ଦିନ (ମାର୍ଚ୍ଚ ୧୫- ଏପ୍ରିଲ ୨୫) ସମୟ ଲାଗିଲା । ଗତ ୧୨ ଦିନ ମଧ୍ୟରେ ଏ ସଂଖ୍ୟା ୨୦୬ରେ ପହଞ୍ଚିଛି । ଆଗକୁ ଆହୁରି ସ୍ଥିତି ସଂଗୀନ୍ ହୋଇପାରେ ବୋଲି ସରକାର ଆଶା କରୁଛନ୍ତି । ତେଣୁ ଆଗକୁ କିଭଳି ରଣକୌଶଳ ଗ୍ରହଣ କରାଯିବ ସରକାର ତା ଉପରେ ବିଚାର କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons