ଭଦ୍ରକ: ଆଉ ଦିନ କେଇଟା ପରେ ବର ସେ ବେଶ ସାଜିଥା’ନ୍ତେ । ଘରେ ଜମିଥା’ନ୍ତା ବନ୍ଧୁବାନ୍ଧବଙ୍କ ଗହଳି । ସେଥିପାଇଁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ବିବାହର ୩ ଦିନ ପୂର୍ବରୁ ସେ ଆରପାରିକୁ ଚାଲିଗଲେ । ଅର୍ଥାତ୍ ଆଜି ବାହାଘର ହେବାକୁ ଥିବା ବେଳେ ଗତ ୧୫ ତାରିଖରେ ତାଙ୍କର କରୋନାରେ ମୃତୁ୍ୟ ଘଟିଲା । ଯେଉଁ ଘରେ ନବବଧୂ ଆଗମନରେ ହସଖୁସି ଖେଳି ଯାଇଥା’ନ୍ତା, ଏବେ ସେହି ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି । ଏମିତି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳର ନାଥ ସାହିରେ ।
ସୂଚନା ଅନୁସାରେ, ଅସୁରାଳିର ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣି(୨୮) । ତାଙ୍କର ବିବାହ ପାଇଁ ଗତ ୧୧ ତାରିଖ ଧାର୍ଯ୍ୟ ହୋଇଥିଲା । ବିବାହ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ତାଙ୍କୁ ହଠାତ୍ ଜ୍ୱର ହେଲା । ତେଣୁ ପରିବାର ଲୋକଙ୍କ ପରାମର୍ଶକ୍ରମେ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ ବିବାହ ଉତ୍ସବକୁ ୧୧ ତାରିଖ ବଦଳରେ ୧୮ ତାରିଖକୁ ଘୁଞ୍ଚାଇ ଦିଆଗଲା । ବିବାହ ଦିନ ଯେତେ ପାଖେଇ ଆସୁଥାଏ, ତାଙ୍କ ଦେହ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଥାଏ । ତେଣୁ ଆହୁରି ତତ୍ପର ହୋଇ ପରିବାର ଲୋକେ ବିବାହ ପାଇଁ ପ୍ରସ୍ତୁତ ଚଳାଉଥିଲେ । ୧୪ ତାରିଖ ରାତିରେ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା । ପରିବାର ସଦସ୍ୟ ଡାକ୍ତରଙ୍କୁ ଡକାଇ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ । ତାଙ୍କ ଅମ୍ଳଜାନସ୍ତର କମି ଯାଇଥିବା ଜଣାପଡ଼ିଥିଲା । ତେଣୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ପ୍ରସ୍ତୁତ ହେଉଥିଲେ । ଏତିକିବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.