ଗୁଣପୁର,(ବି.ବି.ନୁ୍ୟଜ୍):କରୋନା ଯୋଗୁ ପ୍ରଭାବିତ ହୋଇଛି ଦୁଗ୍ଧ ବ୍ୟବସାୟ । ପ୍ରତିଦିନ ପାଖାପାଖି ୫ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ବ୍ୟବସାୟୀ । କରୋନା ସଂକ୍ରମଣର ହଟସ୍ପଟ ଭାବେ ଚର୍ଚ୍ଚାକୁ ଆସିଥିବା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ସିରିଝୋଲି ପଞ୍ଚାୟତରେ ଏହା ଦେଖିବାକୁ ମିଳିଛି । ଏଠିକାର ଦୁଗ୍ଧ ବ୍ୟବସାୟୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ପଞ୍ଚାୟତର ବିଭିନ୍ନ ଗାଁର ପ୍ରାୟ ୩ ହଜାରରୁ ଅଧିକ ଗାଈ, ମଇଁଷି ଏବେ ଭୋକିଲା ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ, ପଞ୍ଚାୟତର ସିରିଝୋଲି ସମେତ କଇଠପଦର ଓ ପଗଡବିଲିରେ ପାଖାପାଖି ୩ ଶହରୁ ଅଧିକ ଗଉଡ ପରିବାର ରହୁଛନ୍ତି । ଗାଈ, ମଇଁଷି ପାଳନ କରିବା ଏହି ପରିବାରଗୁଡିକର ମୁଖ୍ୟ ବେଉସା । ଏପରିସ୍ଥଳେ, କରୋନା କଟକଣା ଓ ସରକରୀ ସଟଡାଉନ୍ ଏହାକୁ ପ୍ରଭାବିତ କରିଛି । ଶନିବାରରୁ ଆସନ୍ତା ୯ ଦିନ ପାଇଁ ସମଗ୍ର ପଞ୍ଚାୟତକୁ ସଟ୍ଡାଉନ ଘୋଷଣା କରାଯାଇଛି । ପୂର୍ବରୁ ପଞ୍ଚାୟତର ବିଜୟପୁର, ସିରିଝୋଲି, ପଗଡବିଲି, ରେଙ୍ଗଳପଦର ଆଦି ଗାଁରେ ସଂକ୍ରମିତ ରହିଥିବା ଖବର ପ୍ରଚାର ହୋଇଥିଲା । ଗତ ଶୁକ୍ରବାର ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ବାରିକ ଏସବୁ ଗାଁ ଘୂରି ବୁଲିଥିବା ଆଲୋଚନା ପରେ ଅବସ୍ଥା ଅଧିକ ଖରାପ ହୋଇଯାଇଛି । ତିନିଦିନ ତଳୁ ଏ ଅଞ୍ଚଳରୁ ଆମଦାନୀ ଦୁଗ୍ଧକୁ ବଜାରରେ ଆଉ ଲୋକେ କିଣୁ ନାହାନ୍ତି । ବଡ ବ୍ୟବସାୟୀମାନେ ମଧ୍ୟ ଏ ଅଞ୍ଚଳରୁ କ୍ଷୀର ସଂଗ୍ରହ କରୁ ନଥିବା ଖବର ମିଳିଛି । ଏବେ ପୁଣି ଲଗାତର ୯ ଦିନିଆ ସଟ୍ଡାଉନ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଏହି ପଞ୍ଚାୟତରୁ ଦିନକୁ ଦୁଇବେଳାରେ ପ୍ରାୟ ୬ ରୁ ୮ ହଜାର ଲିଟର ଦୁଗ୍ଧ ମିଳିଥାଏ । ବଜାରରେ କ୍ଷୀର ଲିଟର ପିଛା ୩୦ ରୁ ୪୦ ଟଙ୍କା ଯାଏ ବିକ୍ରି ହୋଇଥାଏ । ସେହିପରି ଛେନା କିଲୋ ପିଛା ୧୭୦ ରୁ ୨୦୦ ଟଙ୍କା ବିକ୍ରି ହୋଇଥାଏ । ବସାଦହି ଲିଟର ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି ହୋଇଥାଏ । ସଟ୍ଡାଉନ ପରଠାରୁ ଆଉ ଗଉଡମାନେ ଗାଈ ଦୁହିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଗାଈ, ମଇଁଷି ଖୋଲାରେ ବୁଲୁଥିବା ଦେଖିବାକୁ ମିଳିଛି । ଗୋରୁଗୁଡିକୁ ଚରାଇବାକୁ ନେବା ଅବା ଖାଇବାକୁ ଦେବା ମଧ୍ୟ ସମ୍ଭବ ହେଉ ନଥିବା କେତେଜଣ ବ୍ୟବସାୟୀ କହିଛନ୍ତି । ଏହାକୁ ନେଇ ପରିବାରଗୁଡିକରେ ଭାଳେଣି ପଡିଯାଇଛି ।
Comments are closed, but trackbacks and pingbacks are open.