କରୋନା ଭୁଲାଇଦେଲା ମାନବିକତା

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଭୟରେ ମାନବିକତାକୁ ଭୁଲି ଯାଇଛନ୍ତି ଗ୍ରାମବାସୀ । କଟକରୁ ଚିକିତ୍ସିତ ହୋଇ ଫେରିଥିବା ଜଣେ ୧୮ ବର୍ଷୀୟ ଯୁବକ ଓ ତାଙ୍କ ସାଙ୍ଗରେ ଯାଇଥିବା କେତେଜଣ ସଂପର୍କୀୟଙ୍କୁ ଗାଁ ଭିତରକୁ ପୂରାଇ ଦେଇନାହାନ୍ତି । ବାଧ୍ୟହୋଇ ସେମାନେ ଗାଁ ମୁଣ୍ଡରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ଦୁଇଦିନ ହେଲା ପଡ଼ି ରହିଛନ୍ତି । ହାତରେ ଏକ ଘା ହୋଇ ବଡ଼ ଆବୁ ସଦୃଶ ହୋଇଯିବା ପରେ ଯୁବକ ଜଣଙ୍କୁ ସ୍ଥାନୀୟ ଖ୍ରୀଷ୍ଟି୍ରଆନ୍ ହସ୍ପିଟାଲରୁ କଟକ ବଡ଼ ମେଡିକାଲ୍ ଯିବାକୁ ପଡ଼ିଥିଲା । ସେଠାରୁ ଫେରିବା ପରେ ତାଙ୍କର ଏ ଦୁର୍ଦ୍ଧଶା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ନୂଆଗାଁରେ । ଗ୍ରାମବାସୀଙ୍କ ପାଇଁ ସେମାନେ ଯେମିତି ଏକପ୍ରକାର ବାସନ୍ଦ ଜୀବନ ବିତାଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁର ବାପଛେଉଣ୍ଡ ସଞ୍ଜୟ ମିଣିଆକାଙ୍କ ହାତରେ ପ୍ରଥମେ ଏକ ଘା ହୋଇଥିଲା । ଏହା ବଢ଼ିବା ପରେ ପ୍ରଥମେ ସେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରୁ ଖ୍ରୀଷ୍ଟିୟାନ୍ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁର ମେଡିକାଲ୍ ଏବଂ ଶେଷରେ କଟକ ବଡ଼ ମେଡିକାଲ୍ ପଠାଯାଇଥିଲା । ଚିକିତ୍ସିତ ହୋଇ ୨ ଦିନ ତଳେ ସଞ୍ଜୟ ତାଙ୍କ ଭାଇ ଓ କେତେକ ସଂପର୍କୀୟଙ୍କ ସହିତ କଟକରୁ ଫେରିଥିଲେ । ଗାଁ ମୁଣ୍ଡରେ ପହଞ୍ଚିବା ପରେ ଗ୍ରାମବାସୀ କରୋନା ଭୟରେ ସେମାନଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନାହାନ୍ତି । ଫଳରେ ସେମାନେ ଖୋଲାମେଲାରେ ଥିବା ଯାତ୍ରୀ ବିଶ୍ରାମାଗାରରେ ପଡ଼ି ରହିଛନ୍ତି । ଏ ସଂପର୍କରେ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଗାଁ ଲୋକଙ୍କୁ ବୁଝାଇବାକୁ ଯାଇ ବିଫଳ ହୋଇଛନ୍ତି । ଗାଁ ଲୋକେ ନିଜ ଜିଦ୍ରେ ଅଟଳ ରହିଥିବା ବେଳେ ଜିଲ୍ଲାପାଳ କ୍ଷମତା ପାଇଥିବା ଖୋଦ୍ ସରପଞ୍ଚ ନିଜ ଅସହାୟତା ପ୍ରକାଶ କରିଛନ୍ତି ।
ସଞ୍ଜୟ ଓ ତାଙ୍କ ସଂପର୍କୀୟଙ୍କ ପାଇଁ ଏଠାରେ ନା ଅଛି ସରକାରୀ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନା ଘରକୁ ପ୍ରବେଶ କରିବା ଲାଗି ଅନୁମତି । ବିଶ୍ରାମଗାରରେ ପଡ଼ିରହିବା ଛଡ଼ା ସେମାନଙ୍କ ପାଖରେ ବିକଳ୍ପ ନାହିଁ । ସରପଞ୍ଚ କହିଛନ୍ତି, କରୋନା ମହାମାରୀ ବେଳେ ଗ୍ରାମବାସୀ ସତର୍କ ରହିବା ନିହାତି ଜରୁରୀ । କିନ୍ତୁ ସତର୍କତା ଆଳରେ ମାନବିକତାକୁ ଭୁଲିଯାଇ ଏଭଳି ନିÂୁର ପଦକ୍ଷେପ ନେବା କ୍ଷୋଭର ବିଷୟ । ଏବେବି ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇନାହାନ୍ତି ସଞ୍ଜୟ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୟନୀୟ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାରରେ ଦିନରାତି ବିତାଇବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ସେ କହିଛନ୍ତି ।
ଦୀର୍ଘ ୨ ଦିନ ପରେ ବି ବ୍ଲକ ପ୍ରଶାସନ ଏହାର ସମାଧାନ ଲାଗି କୌଣସି ପଦକ୍ଷେପ ନେଇନି । ଆଖପାଖର କେତେକ ଯୁବକ ଏକାଠି ହୋଇ ସଞ୍ଜୟଙ୍କୁ ପୁଣିଥରେ ପାଖ ମେଡିକାଲ୍କୁ ନେବା ଲାଗି ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ଏଭଳି ଅବସ୍ଥାରେ ପଡ଼ି ପଡ଼ି ଯଦି ସଞ୍ଜୟଙ୍କର କିଛି ହୋଇଯାଏ ତାହେଲେ ପ୍ରଶାସନ ନା ଗ୍ରାମବାସୀ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଜିଲ୍ଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons