କରୋନା ଭୟ:୧୮ ମାସ ଅଚଳ ହେବ ବ୍ରିଟେନ

Get real time updates directly on you device, subscribe now.

ଲଣ୍ଡନ: କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଭାଇରସ ଏପର୍ଯ୍ୟନ୍ତ ୧୬୨ଟି ଦେଶକୁ ବ୍ୟାପି ସାରିଥିଲାବେଳେ ଏହାଯୋଗୁ ୭୪୯୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୧,୮୮, ୪୩୨ ଜଣ ଆକ୍ରାନ୍ତ ହୋଇଛନ୍ତି । ବ୍ରିଟେନରେ ଗତକାଲି ଭାଇରସ ସଂକ୍ରମଣ ରୋକିବା ପାଇଁ କେତେକ କଟକଣା ଜାରି କରାଯାଇଥିଲା । ସମଗ୍ର ଦେଶକୁ କିଛି ମାତ୍ରାରେ ଅଚଳ କରିଦେବା ପାଇଁ ଘୋଷଣା କରାଯାଇଥିଲା । ଏଭଳି କଟକଣା ଆସନ୍ତା ୧୮ ମାସ ପାଇଁ ଜାରି ରହିବ ବୋଲି ଏବେ କୁହାଯାଇଛି ।
ବ୍ରିଟେନରେ ଏଯାଏଁ ୧୫୪୩ ଜଣ ସଂକ୍ରମିତ ହୋଇଥିଲାବେଳେ ୫୫ ଜଣ ପ୍ରାଣ ହରାଇସାରିଛନ୍ତି । ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୂରା ଦେଶକୁ ଅଚଳ କରିବା ପାଇଁ ଦାବି କରାଯାଉଥିଲା । ମାତ୍ର ବି୍ରଟିଶ ସରକାର ପ୍ରଥମେ ଏଥିପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ଇଟାଲୀ ଏବଂ ୟୁରୋପର ଅନ୍ୟ କେତେକ ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ପରେ ବ୍ରିଟିଶ ସରକାରଙ୍କ ଚେତା ପଶିଥିଲା । ତେଣୁ ବ୍ରିଟିଶ ସରକାର ସୋମବାର ଦେଶରେ କେତେକ କଟକଣା ଜାରି କରିଥିଲେ । ସରକାର ସାଧାରଣ ଲୋକଙ୍କୁ ଘରେ ରହିବାକୁ କହିବା ସହିତ କର୍ମଚାରୀମାନଙ୍କୁ ଘରେ ରହି ଅଫିସ କାମ କରିବାକୁ ପରାମର୍ଶ ଦେଇଥିଲେ । ଅତି ଜରୁରି ନହେଲେ ଘରୁ ନବାହାରିବାକୁ କହିଥିଲେ । ଏବେ ସମଗ୍ର ବି୍ରଟେନରେ ରାସ୍ତାଘାଟ, ଦୋକାନବଜାର, ରେଳ ଷ୍ଟେସନ ଜନଶୂନ୍ୟ ହୋଇଯାଇଛି । ଅଧିକାଂଶ ଦୋକାନବଜାର, ବିଭିନ୍ନ ସାଂସ୍କୃତିକ ଏବଂ କ୍ରୀଡ଼ା କେନ୍ଦ୍ର ବି ବନ୍ଦ ରହିଛି । ଏବେ କିନ୍ତୁ କୁହାଯାଉଛି କି ଏଭଳି କଟକଣା ଆସନ୍ତା ୧୮ ମାସ ଜାରି ରହିବ । ଲଣ୍ଡନ ସ୍ଥିତ ଇମ୍ପରିଆଲ କଲେଜ ତରଫରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କରୋନା ଯୋଗୁ ବ୍ରିଟିଶ ସରକାର ଗତକାଲି କଟକଣା ଲଗାଇନଥିଲେ ଦେଶରେ ୨,୬୦,୦୦୦ ଲୋକ ମୃତୁ୍ୟମୁଖରେ ପଡ଼ିଥାନ୍ତେ । ଏବେ କିନ୍ତୁ ଏହା ୨୦,୦୦୦ ଭିତରେ ସୀମିତ ରହିବ । ସେହିପରି କରୋନା ଭାଇରସ ୨୦୨୧ ମସିହା ଯାଏଁ ଉପôାତ ଜାରି ରଖିବ ବୋଲି ସେମାନେ ଆକଳନ କରିଛନ୍ତି ।
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଫ୍ରାନ୍ସ ସରକାର ମଧ୍ୟ ମଙ୍ଗଳବାର ଠାରୁ ସମଗ୍ର ଦେଶକୁ ଅଚଳ କରିଦେଇଛନ୍ତି । ଅର୍ଥାତ୍ ଆଜି ଠାରୁ ଫ୍ରାନ୍ସରେ ସମସ୍ତ ଶିକ୍ଷାନୁÂାନ, ଦୋକାନବଜାର, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ହୋଟେଲ, ରେଷ୍ଟୁରାଣ୍ଟ, ପବ୍, ବାର ଏବଂ ସାଂସ୍କୃତିକ କେନ୍ଦ୍ର ଆଦି ବନ୍ଦ ରହିବ । ଯାତାୟାତ ବ୍ୟବସ୍ଥା ଉପରେ ଆଂଶିକ କଟକଣା ଲାଗିବ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୋମବାର ରାତିରେ ଏହି ପଦକ୍ଷେପ ସମ୍ପର୍କରେ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଏପରି କଟକଣା ଯୋଗୁ ଉଦ୍ୟୋଗଗୁଡ଼ିକର ଯେଉଁ କ୍ଷତି ହେବ, ସେଥିପାଇଁ ସରକାର ସହାୟତା ପ୍ରଦାନ କରିବେ । ସେମାନଙ୍କୁ ଯଥେଷ୍ଟ ଋଣ ଦିଆଯିବା ସହିତ ବିଦୁ୍ୟତ୍, ପାଣି ବିଲ୍ ଏବଂ ବିଭିନ୍ନ ପ୍ରକାର ଭଡ଼ା ଛାଡ଼ କରାଯିବ । ହସ୍ପିଟାଲ କର୍ମଚାରୀମାନଙ୍କ ପାଇଁ ମାସ୍କ ସଂରକ୍ଷିତ ରଖାଯିବ । ଏପରି ସଙ୍କଟ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ହୋଟେଲରେ ରହିବା ଏବଂ ଯାତାୟାତ ଖର୍ଚ୍ଚ ସରକାର ବହନ କରିବେ । ଏମିତିକି ସେମାନଙ୍କ ପିଲାମାନଙ୍କ ଦେଖାଶୁଣାର ବ୍ୟବସ୍ଥା ବି କରାଯିବ ।
ସ୍ପେନରେ ଆଉ ୧୫୫ ଜଣ ପ୍ରାଣ ହରାଇବା ପରେ ମୃତକଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବି ୧୧,୨୭୯କୁ ବୃଦ୍ଧି ପାଇଛି । ଜଣେ ୨୧ ବର୍ଷୀୟ ଫୁଟବଲ କୋଚ ପ୍ରାଣ ହରାଇଛନ୍ତି । କରୋନା ପାଇଁ ଦେଶବାସୀଙ୍କୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ କ୍ରୟ କରିବା ବ୍ୟତୀତ ଅନ୍ୟ କୌଣସି କାରଣରୁ ଘରୁ ନବାହାରିବାକୁ କଟକଣା ଜାରି କରାଯାଇଛି । ଦେଶରୁ ବିଦେଶୀ ପର୍ଯ୍ୟଟକମାନେ ପଳାଇବାରେ ଲାଗିଛନ୍ତି । କିଛି ଦିନ ପରେ ସମଗ୍ର ସ୍ପେନ ପର୍ଯ୍ୟଟକଶୂନ୍ୟ ହୋଇଯିବ । ସ୍ପେନର ଅତି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ କୋଷ୍ଟା ଡେଲ ସୋଲରେ ପ୍ରାୟ ୫୦୦ ହୋଟେଲ ବନ୍ଦ ହୋଇଯାଇଛି ।
ଇଟାଲୀରେ ସବୁଠାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ପରେ ଇଟାଲୀରେ ସବୁଠାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ପ୍ରାଣ ହରାଇଛନ୍ତି । ସୋମବାର ସୁଦ୍ଧା ଦେଶରେ ୨୭,୯୮୦ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୨,୧୫୮ ଜଣ ପ୍ରାଣ ହରାଇଛନ୍ତି । ଇଟାଲୀର ବିଭିନ୍ନ ସହରକୁ ଅଚଳ କରିଦିଆଯାଇଥିବା ସତ୍ତେ୍ୱ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମୁନାହିଁ । ପ୍ରତି ଅଧଘଣ୍ଟାରେ ଜଣେ ଲୋକକୁ କବର ଦିଆଯାଉଛି ।
ୟୁରୋପର ଅନ୍ୟ ଦେଶଗୁଡ଼ିକରେ କରୋନା ଯୋଗୁ ଗୁରୁତର ସଂକଟ ସୃଷ୍ଟି ହୋଇଛି । ଜର୍ମାନୀରେ ୭୯୭୪ ଜଣ, ସ୍ୱିଜରଲ୍ୟାଣ୍ଡରେ ୨୬୭୨, ନେଦରଲ୍ୟାଣ୍ଡରେ ୧୭୦୫, ନରୱେରେ ୧୪୨୨, ବେଲଜିୟମରେ ୧୨୪୩, ଅଷ୍ଟ୍ରିଆରେ ୧୨୧୧ ଏବଂ ସ୍ୱିଡେନରେ ୧୧୭୫ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସମସ୍ତ ବିଦେଶୀ ରାଷ୍ଟ୍ରର ଯାତ୍ରୀଙ୍କ ଉପରେ ୟୁରୋପୀୟ ଦେଶଗୁଡ଼ିକ ମାସକ ପାଇଁ ଟ୍ରାଭେଲ ବ୍ୟାନ୍ ଲଗାଇଛନ୍ତି । ଇରାନରେ ଗତ ୨୪ ଘଣ୍ଟା ଭିତରେ ୧୩୫ ମୃତୁ୍ୟ ହେବା ପରେ ମୃତକଙ୍କ ସଂଖ୍ୟା ୯୮୮କୁ ବୃଦ୍ଧି ପାଇଛି । ୧୬,୧୬୯ ଏଥିରେ ସଂକ୍ରମିତ ହୋଇଛନ୍ତି । ଇସ୍ରାଏଲରେ ବି ସରକାର ଲୋକଙ୍କୁ ଘରୁ ନବାହାରିବାକୁ ଏବଂ ସାଧାରଣ ପରିବହନ ବ୍ୟବସ୍ଥାର ଉପଯୋଗ ଆଦୌ ନକରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆସନ୍ତା ଅଗଷ୍ଟ ମାସ ଯାଏଁ କରୋନା ଭାଇରସର ପ୍ରଭାବ ଜାରି ରହିବ । ଟ୍ରମ୍ପ ପ୍ରଶାସନ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ରାତ୍ରକାଳୀନ କର୍ଫୁ୍ୟ ଲଗାଇବା ସହିତ ପବ୍, ବାର ଆଦିକୁ ବନ୍ଦ କରିବା ପାଇଁ ବିଚାର କରୁଛନ୍ତି । ଆମେରିକାରେ ଗତକାଲି ମଧ୍ୟ କରୋନା ନିରାକରଣ ପାଇଁ ଏକ ଟିକାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି । ଚୀନ୍ରେ ଆଜି ମାତ୍ର ଗୋଟିଏ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । କିନ୍ତୁ ବିଦେଶରୁ ଚୀନ୍କୁ ଆସିଥିବା ଲୋକଙ୍କ ଭିତରୁ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନା ଯୋଗୁ ବିଶ୍ୱବ୍ୟାପୀ ବିଭିନ୍ନ ଉଦ୍ୟୋଗ ବନ୍ଦ ହୋଇଯିବା ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଛି । ଏହାର ମୁକାବିଲା ପାଇଁ ଅନେକ ଦେଶରେ ସରକାରମାନେ ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons