କରୋନା ମୁକାବିଲା ପରାମର୍ଶ :୬ ମାସ ସତର୍କ ରହିବାକୁ ହେବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ପାଇଁ ସପ୍ତାହ କି ମାସେ ନୁହେଁ, ଅତିକମ୍ରେ ୬ ମାସ ସତର୍କ ରହିବାକୁ ହେବ । କରୋନାକୁ ସରକାର ଚାହିଁଲେ ଏକୁଟିଆ ରୋକି ପାରିବେନି । ଏଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବଠୁ ଦୂରରେ ରହିବାକୁ ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ସଚେତନତା କାର୍ଯ୍ୟକ୍ରମର ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହା କହିଛନ୍ତି ।
ଏଣେ କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ କସରତ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ୧୪୪ଧାରା ଜାରି ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଖୋର୍ଦ୍ଧା, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଏହି ସବୁ ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ବି କଟକଣା ଲାଗିଛି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, କରୋନାକୁ ଡରିବାନି । ଛାନିଆ ହେବାନି । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ମୁକାବିଲା କରିବା । ସମସ୍ତେ ଶାନ୍ତ ଓ ସଚେତନ ହୋଇ ପରିସ୍ଥିତିର ମୁକାବିଲା କରିବା । ଲୋକେ ନିଜକୁ ସାମାଜିକ ଓ ଧାର୍ମିକ ଭିଡ଼ରୁ ଦୂରେଇ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ସହ ସମ୍ପର୍କ ରଖି କରୋନାକୁ ରୋକା ଯାଇପାରିବ । ପ୍ରତିଦିନ ଅପରାହ୍ନ ସାଢେ଼ ୪ଟାରେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ଅଗ୍ରଗତି ସମ୍ବନ୍ଧରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।
କରୋନା ଭୂତାଣୁ କାଗଜରେ ୯ଘଣ୍ଟା ଯାଏ ବଞ୍ଚି ରହିପାରେ । ପବନରେ ୩ ଘଣ୍ଟା ଓ ତମ୍ବା ପାତ୍ରରେ ସାଢେ଼ ୩ ଘଣ୍ଟା ଯାଏ ଭୂତାଣୁ ବଞ୍ଚି ରହିଥାଏ । ଲୁହାରେ ୧୩ ଘଣ୍ଟା ଓ ପ୍ଲାଷ୍ଟିକ୍ରେ ୧୬ ଘଣ୍ଟା ଯାଏ ବଞ୍ଚି ରହିପାରେ । ତେଣୁ ଆମକୁ ଅତି କମ୍ରେ ଦିନକୁ ୫ରୁ ୬ ଥର ହାତ ଧୋଇବା ଦରକାର ବୋଲି ସେ କହିଛନ୍ତି ।
କରୋନା ମୁକାବିଲା ପାଇଁ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଢିଛନ୍ତି । ଏଥିରେ ୪ ଆଇଏଏସ୍ ଅଫିସର ସୋମେଶ କୁମାର ଉପାଧ୍ୟାୟ, ପି ଅନ୍ୱେଷା ରେଡ୍ଡୀ, ପାଟିଲ୍ ଆଶିଷ ଇଶ୍ୱର ଓ ଦିବାକର ଟି ଏସ୍ କମିଟିରେ ଅଛନ୍ତି । ସେମାନେ ଜୁନ୍ ୩୦ ଯାଏ ଅତିରିକ୍ତ ଭାବେ ଓଏସ୍ଡି (ଅଫିସର ଅନ୍ ସ୍ପେସିଆଲ୍ ଡୁ୍ୟଟି)ଭାବେ କାମ କରିବେ । ମୁଖ୍ୟମନ୍ତ୍ରୀ ନିଜେ କରୋନା ମୁକାବିଲା ପଦକ୍ଷେପକୁ ଅନୁଧ୍ୟାନ କରୁଛନ୍ତି ବୋଲି ବାଗ୍ଚୀ କହିଛନ୍ତି ।
ସରକାରୀ ବସ୍ଗୁଡ଼ିକୁ ସାନିଟାଇଜ୍ କରାଯାଉଛି । ଘରୋଇ ବସ୍କୁ ମଧ୍ୟ ସଫାସୁତୁରା ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି ।ନିକଟରେ କରୋନା ସଂକ୍ରମିତ ରାଜ୍ୟକୁ ଗସ୍ତ କରିଥିବା ବ୍ୟକ୍ତି ୧୦୪କୁ ଫୋନ୍ କରି ଆବଶ୍ୟକୀୟ ପରାମର୍ଶ ନେଇ ପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜି ଆର୍ଏମ୍ଆରସିକୁ ୮ଟି ନମୁନା ପରୀକ୍ଷା ପାଇଁ ଆସିଥିଲା । ସେଥିରୁ ୬ଟି ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଆଉ ଦୁଇଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । କ୍ୟାପିଟାଲ ହସ୍ପିଟାଲରୁ ସର୍ବାଧିକ ୪ ଟି ନମୁନା ପରୀକ୍ଷା ପାଇଁ ଆସିଥିଲା । ଇଟାଲୀରେ ପଢୁଥିବା ଜଣେ ଛାତ୍ରୀଙ୍କ ସମେତ ୩ ଜଣ ଯୁବକଙ୍କ ନମୁନା ପଠାଯାଇଥିଲା । ଏ ସମସ୍ତେ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି । ବଡ଼ଗଡ଼, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର ଓ ୟୁନିଟ୍-୩ରେ ଏମାନଙ୍କ ଘର । ଆଜି ସୁଦ୍ଧା ୩୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ଆସିଛି । ଯେଉଁମାନଙ୍କ ନମୁନା ନେଗେଟିଭ୍ ଆସିଛି, ସେମାନଙ୍କୁ ଆସନ୍ତା କାଲି ଡିସ୍ଚାର୍ଜ କରାଯାଇପାରେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ, ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ ଓ ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons