କରୋନା ମୁକାବିଲା ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଦେଲେ ପିସିସି ସଭାପତି

Get real time updates directly on you device, subscribe now.

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣକୁ ରୋକିବା ଓ ରାଜ୍ୟର ନିଷ୍ପେଷିତ ବର୍ଗର ଲୋକଙ୍କ ଆବଶ୍ୟକତାକୁ ପୂରଣ ନିମନ୍ତେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିବା ସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କୋଭିଡ-୧୯ ଭୂତାଣୁର ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସାମାଜିକ ଦୂରତ୍ୱ ଓ ଲକଡାଉନ୍ ମାଧ୍ୟମରେ ଏହି ବିଶ୍ୱ ମହାମାରୀ କବଳରୁ ଭାରତ ମୁକ୍ତି ପାଇପାରିବ। ତେବେ ସମାଜର କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ବିଶେଷକରି ଦିନମଜୁରିଆ, ନିର୍ମାଣ ଶ୍ରମିକ, ରିକସା ଚାଳକ, ରାସ୍ତାକଡ଼ ଦୋକାନୀ ଓ ଦାଦନ ଶ୍ରମିକମାନେ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। ସେମାନଙ୍କୁ ସହଯୋଗ ପାଇଁ ସରକାର ଆଗେଇ ଆସିବା ଉଚିତ୍। ଅବଶ୍ୟ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି। ଯଦିଓ ଏସବୁ ପଦକ୍ଷେପ ସ୍ୱାଗତଯୋଗ୍ୟ, ତଥାପି ଅଧିକ କିଛି କରିବାର ଆବଶ୍ୟକତା ରହିଛି। ଯଦି ଉଭୟ ସରକାର ଓ ନାଗରିକ ଏକାଠି ହୋଇ କାମ କରିବେ ତା’ହେଲେ ଅଧିକ କିଛି କରାଯାଇପାରିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ୧୦ଲକ୍ଷ ଟଙ୍କାର ସହଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରୁଛନ୍ତି। ଯାହାକି ରାଜ୍ୟର ଅବହେଳିତ ବର୍ଗର ଲୋକଙ୍କ ନିରାପତ୍ତା ଦିଗରେ ଖର୍ଚ୍ଚ ହୋଇପାରିବ। ଏହି ଅର୍ଥରାଶିକୁ ସ୍ୱୀକାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ତାଙ୍କର ସମର୍ଥକମାନଙ୍କୁ ମଧ୍ୟ ଏଭଳି ସହଯୋଗ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons