ଭୁବନେଶ୍ୱର : କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଭିଡିଓ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ଜରିଆରେ ସମସ୍ତଙ୍କୁ ସମ୍ବୋଧିତ କରିବା ସହିତ ରାଜ୍ୟ ବାହାରେ ଫସି ରହିଥିବା ଲୋକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି । କିନ୍ତୁ ଆକ୍ଟିଭ୍ କେସ୍ କମିଛି । ସମସ୍ତଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ତ୍ୟାଗ ପାଇଁ ଏହା ସମ୍ଭବ ହୋଇପାରିଛି । ପ୍ରତି ଲୋକ ଏବଂ ପ୍ରତି ପରିବାରର ତ୍ୟାଗ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।କରୋନା ଲଢେଇ ଲମ୍ବା ଲଢେଇ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ ସମସ୍ତଙ୍କୁ ସାବଧାନ ହେବାକୁ ପଡିବ ବୋଲି ସେ କହିଛନ୍ତି । ଆମ ରାଜ୍ୟରେ ବାହାର ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି । ଆମ ସରକାର ସେମାନଙ୍କ ଯତ୍ନ ନେଉଛନ୍ତି । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶାର ଲକ୍ଷ ଲକ୍ଷ ଲୋକ ରହିଯାଇଛନ୍ତି । ପାଠ ପଢିବା ପାଇଁ ଯାଇଥିବା, ରୋଗୀ, ଶ୍ରମିକ ଆଦି ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ଅବସ୍ଥା ବହୁତ ଦୁଃଖ ଦେଉଛି । ବହୁତ ଚେଷ୍ଟା ସତ୍ତ୍ୱେ ସେମାନଙ୍କ ଅବସ୍ଥା ସ୍ୱାଭାବିକ ହୋଇପାରିନାହିଁ । କଟକଣା ସରିଲେ ସେମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।କରୋନା ମୁକାବିଲା ପାଇଁ କିଛି ଐତିହାସିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଫେରୁଥିବା ଲୋକଙ୍କ ବନ୍ଧୁ ଓ ପରିବାର ମଧ୍ୟ ପଞ୍ଜୀକରଣ କରିପାରିବେ । ସେମାନଙ୍କୁ ପଞ୍ଚାୟତ ସ୍ତରରେ ୧୪ଦିନ ପାଇଁ ସଙ୍ଗରୋଧରେ ରଖାଯିବ । ସଙ୍ଗରୋଧରେ ରହିବା ସମୟରେ ଖାଇବା, ରହିବା, ଚିକିତ୍ସା ସବୁ ଖର୍ଚ୍ଚ ସରକାର ବହନ କରିବେ । ସଙ୍ଗରୋଧର ଅବଧି ସରିବା ପରେ ୨୦୦୦ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ଏହାକୁ କାର୍ୟ୍ୟକାରୀ କରାଇବା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ଏଥିପାଇଁ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୋଭିଡ୍ ୧୯ ବିରୁଦ୍ଧରେ ଆମ ଲଢେଇକୁ ଅଧିକ ମଜଭୁତ କରିବାକୁ ହେବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ପଞ୍ଚାୟତିରାଜ ଅନୁଷ୍ଠାନ ତୃଣମୂଳ ସ୍ତରରେ ଲୋକମାନଙ୍କ ନିଜ ଅନୁଷ୍ଠାନ । ତେଣୁ କୋରନା ଲଢେଇରେ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.