କରୋନା ସଂକ୍ରମଣ ପ୍ରଥମେ ଚୀନ୍ରୁ ଆରମ୍ଭ ହୋଇଥିଲା । ପ୍ରଥମ କିଛି ମାସ ଭିତରେ ଏହା ଚୀନ୍ରେ ଆତଙ୍କ ସୃଷ୍ଟି କରିଥିଲା । ବାକି ଦେଶଗୁଡିକ ତୁଳନାରେ ଚୀନ୍ରେ ଆକ୍ରାନ୍ତ ଏବଂ ମୃତୁ୍ୟବରଣ କରୁଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ଅଧିକ ଥିଲା । କିନ୍ତୁ ଏବେ ବିଶ୍ୱର ୧୫୮ଟି ଦେଶକୁ ଏହି ଭାଇରସ ବ୍ୟାପିସାରିଛି । ଆଉ ବାକି ଦୁନିଆରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ଚୀନ୍କୁ ଟପିଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ସମୁଦାୟ ବିଶ୍ୱରେ ୧,୭୩, ୦୮୫ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲାବେଳେ ୬୬୬୪ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ କେବଳ ଚୀନରେ ୮୦, ୮୮୦ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୩୨୧୩ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ବାକି ଦେଶଗୁଡିକରେ ୯୨, ୨୦୫ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୩୪୫୧ ଜଣ ପ୍ରାଣ ହରାଇଛନ୍ତି । ଚୀନ୍ ପରେ ଏବେ ୟୁରୋପ କରୋନା ସଂକ୍ରମଣର କେନ୍ଦ୍ର ପାଲଟିଛି । ଯେତେ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି, ତାହାର ଏକ-ତୃତୀୟାଂଶ କେବଳ ୟୁରୋପରେ ଅଛନ୍ତି ।
ଥରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଦ୍ୱିତୀୟ ଥର ହେବନି
କିଛି ସପ୍ତାହ ତଳେ ଚୀନ୍ରୁ ଏକ ରିପୋର୍ଟ ଆସିଥିଲା କି ସେଠାରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା କେତେକ ବ୍ୟକ୍ତି ହସ୍ପିଟାଲରୁ ଡିସଚାର୍ଜ ହେବାର କେଇ ଦିନ ପରେ ସେମାନଙ୍କ ଦେହରେ ପୁଣି ଏହି ଭାଇରସ ଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ହେଲେ ଏବେ କିନ୍ତୁ ଚୀନ୍ର କିଛି ଗବେଷକ ଦାବି କରିଛନ୍ତି ଯେ ପ୍ରକୃତରେ ଏପରି ଘଟିବା କଥା ନୁହେଁ । ସେମାନେ କହିଛନ୍ତି ଯେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ଦ୍ୱିତୀୟ ଥର ଏହି ଭାଇରସ ତା’କୁ ସଂକ୍ରମିତ କରିପାରିବ ନାହିଁ । ସେମାନେ ୪ଟି ମାଙ୍କଡଙ୍କ ଉପରେ ଗବେଷଣା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଚାରିଟି ଯାକ ମାଙ୍କଡଙ୍କ ଦେହରେ କରୋନା ଭାଇରସ ଛଡା ଯାଇଥିଲା । ୨୮ ଦିନ ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ । ଏହାପରେ ସେମାନଙ୍କ ଦେହରେ ପୁଣି ଥରେ କରୋନା ଭାଇରସ ଛଡାଗଲା । ମାତ୍ର ଦେଖାଗଲା ଯେ ଦ୍ୱିତୀୟ ଥର ଭାଇରସ ସେମାନଙ୍କ ଦେହରେ କିଛି କ୍ଷତି କରିପାରିଲା ନାହିଁ । କାରଣ ଏହାର ମୁକାବିଲା କରିବା ପାଇଁ ସେମାନଙ୍କ ଦେହର ରୋଗ ପ୍ରତିରୋଧକ ପ୍ରଣାଳୀ ଆବଶ୍ୟକ କ୍ଷମତା ବିକଶିତ କରିସାରିଥିଲା । ତେବେ ଚୀନ୍ରେ ପୂର୍ବରୁ କିଛି ଲୋକଙ୍କ ଦେହରେ ଏହି ଭାଇରସ ଦ୍ୱିତୀୟ ଥର ଫେରିବା ଉପରେ ପ୍ରତିକ୍ରିୟା ଦେଇ ସେମାନେ କହିଛନ୍ତି ଯେ ହୁଏତ ସେମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବେ କିମ୍ବା ସେମାନଙ୍କ ନମୁନା ନେଗେଟିଭ୍ ବାହାରିବା ପ୍ରକ୍ରିୟାରେ କିଛି ତ୍ରୁଟି ହୋଇଥିବ । ସେମାନଙ୍କ ଗବେଷଣା କରୋନା ଭାଇରସକୁ ନିପାତ କରିବା ପାଇଁ ଟିକା ବିକଶିତ କରିବାରେ ସହାୟକ ହେବ ବୋଲି ଚୀନ୍ର ଉକ୍ତ ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି ।
ଦେବାଳିଆ ହେବେ ସବୁ ଏୟାରଲାଇନ୍ସ
କରୋନା ଭାଇରସ ବ୍ୟାପିବା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବିଭିନ୍ନ ଦେଶର ଏୟାରଲାଇନ୍ସ । କାରଣ ଏବେ ପ୍ରାୟ ସବୁ ଦେଶ ଏହି ସଂକ୍ରମଣ ରୋକିବାକୁ ଅନ୍ୟ ଦେଶଗୁଡିକ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇବା ସହିତ ନିଜ ଦେଶର ନାଗରିକଙ୍କୁ ବିଦେଶ ଯାତ୍ରା ନକରିବାକୁ ବାରଣ କରୁଛନ୍ତି । କେତେକ ଦେଶ ତ ସମସ୍ତ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କଟକଣା ଜାରି କରିଛନ୍ତି । ସାଧାରଣ ଲୋକେ ବି ସଂକ୍ରମଣକୁ ଏଡାଇବା ପାଇଁ ଆଉ କେଉଁଆଡେ ନଯିବା ପାଇଁ ସ୍ଥିର କରୁଛନ୍ତି । ଏଭଳି ସ୍ଥିତିରେ ବିମାନବନ୍ଦର ଗୁଡିକ ଖାଁଖାଁ ଲାଗୁଛି । ଆଉ ବିମାନଗୁଡିକ ବିନା ଯାତ୍ରୀରେ ଉଡାଣ ଭରୁଛନ୍ତି । ଏଭଳି ସ୍ଥିତି ଜାରି ରହିଲେ, ଆଉ କିଛି ସପ୍ତାହ ଭିତରେ ସମସ୍ତ ଏୟାରଲାଇନ୍ସ ଦେବାଳିଆ ହୋଇଯିବେ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତ ।
Comments are closed, but trackbacks and pingbacks are open.