ଓ୍ବାଶିଂଟନ୍ : କରୋନା ଭାଇରସ୍ ବ୍ୟତୀତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଆମେରିକାରେ କରୋନା ବିପର୍ୟ୍ୟୟ ଏତେ ଅଧିକ ଯେ ଏଥର ରାଷ୍ଟ୍ରପତି ନିର୍ବାଚନ ହେବ କି ନାହିଁ ସେନେଇ ସମସ୍ତେ ଆଶଙ୍କାରେ ଅଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ନିର୍ବାଚନ ସେହି ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ତାଙ୍କର କୌଣସି ଯୋଜନା ନାହିଁ ।
ହ୍ବାଇଟ୍ ହାଉସ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ରାଷ୍ଟ୍ରପତି ନିର୍ବାଚନକୁ ସ୍ଥଗିତ ରଖିବାକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ମୁଁ କେବେ ଭାବି ନାହିଁ । ନଭେମ୍ବର ୩ରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ । ତାହା ଏକ ଭଲ ତାରିଖ ।
ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ବଢିବାରେ ଲାଗିଛି । ଆମେରିକାର ଅବସ୍ଥା ଅନିୟନ୍ତ୍ରିତ ହେବାରେ ଲାଗିଛି । ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୫୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ବିଶେଷଜ୍ଞମାନଙ୍କ ମତରେ ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏହା ଦେଖାଯିବ ଯେ, ଡୋନାଲ୍ଡ ଟ୍ରମ୍ପ୍ କରୋନା ଭାଇରସ୍ ସଙ୍କଟର କିଭଳି ମୁକାବିଲା କରିଛନ୍ତି । ଯଦି ଲୋକମାନେ ତାଙ୍କ କାର୍ୟ୍ୟରେ ଖୁସି ଥିବେ ତେବେ ସେ ବହୁ ସଂଖ୍ୟକ ଭୋଟ୍ ପାଇପାରିବେ । କରୋନା ସଙ୍କଟ ମଧ୍ୟରେ ମଧ୍ୟ ଲକ୍ ଡାଉନ୍ ଘୋଷଣା ନକରିବା ଏବଂ ଅର୍ଥନୈତିକ କାର୍ୟ୍ୟକଳାପ ଜାରି ରଖିବା ନେଇ ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ଆମେରିକାବାସୀ ସମାଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟି ଦ୍ବାରା ପୁନଃ ମନୋନୀତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଅନ୍ୟପଟେ ଡେମୋକ୍ରାଟିକ୍ସ ପକ୍ଷରୁ ଜୋ ବିଡେନଙ୍କ ରାସ୍ତା ଏକ ପ୍ରକାର ସଫା ଥିବା ଜଣାପଡୁଛି । କରୋନା ଯୋଗୁଁ ଗତ କିଛି ଦିନ ହେବ ଆମେରିକାରେ ନିର୍ବାଚନ ପ୍ରଚାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
Comments are closed, but trackbacks and pingbacks are open.