ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପରିସ୍ଥିତିରେ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡ଼ିଶାର ପ୍ରାଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନ ଜିତି ସମାଜକୁ ବୁଝାଇବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ । ଇତିମଧ୍ୟରେ ବିଶ୍ୱରେ କରୋନାକୁ ୭ ମାସ ହୋଇଗଲାଣି । ଆମ ଦେଶରେ ୪ ମାସ ହେଲା କରୋନା ପ୍ରକୋପ ଜାରି ରହିଛି । ବିଶ୍ୱର ଅନ୍ୟ ଅଞ୍ଚଳ ଅପେକ୍ଷା ଆମ ଦେଶ ତଥା ଆମ ରାଜ୍ୟର ସ୍ଥିତି ଭଲ ଅଛି । ଏହା କେବଳ ଜନସାଧାରଣଙ୍କ ଦୃଢ଼ ସାମାଜିକ ଇଚ୍ଛାଶକ୍ତି ଓ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ମଝିରେ ମଝିରେ ଗୋଟିଏ ଆକଟ ମଧ୍ୟରେ ବାନ୍ଧି ହୋଇରହିବା ଆମ ପାଇଁ କଷ୍ଟକର ହୋଇପଡେ଼ । କିନ୍ତୁ ମନେ ରଖିବାକୁ ହେବ ଯେ ଏହାଛଡ଼ା ଆମ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । କରୋନା ଟିକା ତିଆରି ହେବା ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ହେବ ଓ ସରକାରଙ୍କ ନିୟମ ପାଳନ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, କରୋନା ପରିସ୍ଥିତି ସତ୍ତେ୍ୱ ସମସ୍ତଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବ୍ୟକତା ରହିଛି । ଓଡ଼ିଆରେ ଏକ ଉକ୍ତି ଅଛି ଖା, ଭୁଞ୍ଜ୍ ଓ ଗିଳ୍ । ଲୋକଙ୍କଠାରେ ତିନୋଟି ଶବ୍ଦର ପ୍ରୟୋଗ ତିନି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ । ତେଣୁ କେଉଁ ଶବ୍ଦ ପ୍ରୟୋଗ କରାଯିବ ସେଥିପ୍ରତି କରୋନା କଟକଣା ପାଳନ କରାଇବା ଦାୟିତ୍ୱରେ ଥିବା ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ । ବ୍ୟବସ୍ଥାରେ ଥିବା ଅଧିକାରୀମାନେ ଏଭଳି ଏକ କଠିନ ପରିସ୍ଥିତିରେ କଷ୍ଟ ହେଲେ ମଧ୍ୟ ଧୈର୍ଯ୍ୟର ସହ ଲୋକଙ୍କୁ ବୁଝାଇବା ଦରକାର । କାରଣ ଥରେ ସମାଜରେ ଅବିଶ୍ୱାସ ଏବଂ ଅସନ୍ତୋଷର ବାତାବରଣ ତିଆରି ହେଲେ ସମସ୍ତେ ମୂଳ କଥାକୁ ଭୁଲିଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁ୍ୟନିସିପାଲଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ସହ ସରକାର, ପ୍ରଶାସନ ଓ ଅଧିକାରୀମାନଙ୍କୁ ସହଯୋଗ କରିବା ଦରକାର । ଅତୀତରେ ଓଡ଼ିଆ ଜାତି ବିପତ୍ତି ସମୟରେ ଅସୀମ ସାହସ ଓ ଧୈର୍ଯ୍ୟ ଦେଖାଇଆସିଛି । ସେମାନଙ୍କୁ ସଂଯମତା ଓ ଆବେଗର ସବୁଠୁ ବଡ଼ ଉଦାହରଣ ହେଲା ଚଳିତବର୍ଷର ରଥଯାତ୍ରା । କରୋନା ପରିସ୍ଥିତିରେ ରଥଯାତ୍ରା କାହାର କଟକଣା ଯୋଗୁ ନୁହେଁ, ବରଂ ଜନସାଧାରଣଙ୍କ ଅସୀମ ଧୈର୍ଯ୍ୟ ଯୋଗୁ ସମ୍ଭବ ହୋଇପାରିଛି । ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ଦୃଢ଼ ବିଶ୍ୱାସ ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.