କର୍ଣ୍ଣାଟକରେ ନାଟକ:ହୋଇପାରିଲାନି ଆସ୍ଥା ଭୋଟ

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ନାଟକ ଚରମସୀମାରେ ପହଞ୍ଚିଛି । ଗୁରୁବାର ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ ହେବା ପୂର୍ବରୁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି କେ ଆର ରମେଶ କୁମାର । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ଗୃହ ମଧ୍ୟରେ ଧାରଣାରେ ବସିଛନ୍ତି । ରାଜ୍ୟପାଳ ଲେଖିଥିବା ଚିଠିର ବାଚସ୍ପତି ଜବାବ ଦିଅନ୍ତୁ ଏବଂ ତୁରନ୍ତ ଆସ୍ଥା ଭୋଟ ହେଉ ବୋଲି ସେମାନେ ଦାବି କରିଛନ୍ତି । ଏମିତିକି ସେମାନେ ରାତିତମାମ ବିଧାନସଭା ପରିସରରେ ଧାରଣାରେ ବସି ରହିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସଂକଟ ମଧ୍ୟକୁ ଚାଲିଯାଇଛି । ତେବେ ରାଜ୍ୟପାଳ ବଜୁ ଭାଇ ରୁଦା ଭାଇ ବାଲା ଆଜି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଆସନ୍ତା କାଲି (ଶୁକ୍ରବାର) ଅପରାହ୍ନ ୧.୩୦ରେ ଆସ୍ଥା ଭୋଟ୍ ଲୋଡିବାକୁ କହିଛନ୍ତି ।
୧୬ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ସଂଖ୍ୟାଲଘୁର ସମ୍ମୁଖୀନ ହୋଇଥିଲା । ଏହାର ଫାଇଦା ଉଠାଇ ବିଜେପି ଅନାସ୍ଥା ଭୋଟ ଆଣିବ ବୋଲି କହିଥିଲା । ଏହାପରେ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଆସ୍ଥା ଭୋଟ୍ ପ୍ରସ୍ତାବ ଦେଇଥିଲେ । ଆଜି ଆସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ପ୍ରବଳ ବାକ୍ଯୁଦ୍ଧ ଓ ହ;ଗୋଳ ଆସ୍ଥା ଭୋଟକୁ ବିଳମ୍ବିତ କରିଥିଲା । ସେପଟେ କଂଗ୍ରେସ-ଜେଡିଏସ୍ ମେଣ୍ଟର ୧୯ରୁ ଅଧିକ ବିଧାୟକ ଅନୁପସ୍ଥିତ ରହିବା ଯୋଗୁ ଆସ୍ଥା ଭୋଟ୍ ପାଇଁ କୁମାରସ୍ୱାମୀ ସରକାର ପଛଘୁଞ୍ଚା ଦେଇଥିଲା । ଏଭଳି ପରିସ୍ଥିତିରେ ଆସ୍ଥା ଭୋଟ ହେବା ପୂର୍ବରୁ ବାଚସ୍ପତି ରମେଶ କୁମାର ଗୃହ ମୁଲତବି ରଖିବାରୁ ଆହୁରି ଅଡୁଆ ସ୍ଥିତି ଉପୁଜିଛି ।
ଗୁରୁବାର ଆସ୍ଥା ଭୋଟ ହେବ ବୋଲି କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ କହିଥିଲେ । ତେଣୁ ଆଜି ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆସ୍ଥା ଭୋଟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଜଣକ ପରେ ଜଣେ ବିଧାୟକ ଏ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ । ଶାସକ ଓ ବିରୋଧୀ ବିଧାୟକମାନେ ପରସ୍ପରକୁ ସମାଲୋଚନା କରିଥିଲେ ।
ଆସ୍ଥା ଭୋଟ ବିଳମ୍ବିତ ହେବାରୁ ରାଜ୍ୟ ବିଜେପି ମୁଖ୍ୟ ବି ଏସ୍ ୟେଦ୍ୟୁରପ୍ପା ବିରକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ଜାଣିଶୁଣି ଅଧିକ ସମୟ ଚର୍ଚ୍ଚା କରୁଛନ୍ତି । ସେମାନେ ଗୃହ କାର୍ଯ୍ୟରେ ଯୋଜନାବଦ୍ଧ ଭାବେ ହ;ଗୋଳ ସୃଷ୍ଟି କରୁଛନ୍ତି । କିନ୍ତୁ ସେମାନଙ୍କର ଏହି ଚାଲ୍ ସବୁ ଧରାପଡ଼ିଛି । ଆବଶ୍ୟକ ପଡ଼ିଲେ ରାତି ସାରା ଅପେକ୍ଷା କରାଯିବ । ଆଜି ହିଁ ଆସ୍ଥା ଭୋଟ ହେବ ବୋଲି ସେ ଜିଦ୍ ଧରିଥିଲେ । ମେଣ୍ଟ ସରକାର ବର୍ତ୍ତମାନ ସଂଖ୍ୟାଲଘୁକୁ ଚାଲିଆସିଥିବାରୁ ବିଧାୟକମାନେ ଅଯଥା ଜାଣିଶୁଣି ବିଶୃଙ୍ଖଳା ଘଟାଉଥିବା ସେ କହିଛନ୍ତି ।
ବିଧାନସଭାରେ ଏଭଳି ହ;ଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲା ବାଚସ୍ପତି ରମେଶ କୁମାରଙ୍କୁ ଚିଠି ଲେଖି ଆଜି ହିଁ ଆସ୍ଥା ଭୋଟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଂକଟକୁ ଦୂର କରି ଲୋକଙ୍କ ହିତ ଦୃଷ୍ଟିରୁ ଆସ୍ଥା ଭୋଟ୍ କରାଯାଉ ବୋଲି ସେ କହିଥିଲେ । କିନ୍ତୁ ତାଙ୍କର ଏଭଳି ହସ୍ତକ୍ଷେପ କୌଣସି କାମ ଦେଇନାହିଁ । ରାଜ୍ୟପାଳଙ୍କ ଏଭଳି ହସ୍ତକ୍ଷେପକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । କଂଗ୍ରେସ ବିଧାୟକ ଏଚ୍ କେ ପାଟିଲ କହିଛନ୍ତି, ସମ୍ବିଧାନ ଅନୁସାରେ ରାଜ୍ୟପାଳ ଏଭଳି ଭାବେ ଗୃହକାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ରାଜ୍ୟପାଳଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିକୁ ବାଚସ୍ପତି ରମେଶ କୁମାର ଗୃହରେ ପଢ଼ି ସମସ୍ତଙ୍କୁ ଶୁଣାଇଥିଲେ ।
କଂଗ୍ରେସ ଓ ଜେଡିଏସ୍ ମେଣ୍ଟର ମୋଟ ୧୯ ବିଧାୟକ ଆଜି ଗୃହକାର୍ଯ୍ୟରେ ଅନୁପସ୍ଥିତ ଥିଲେ । ୧୬ ଜଣ ବିଦ୍ରୋହୀ ବିଧାୟକ ଗୃହକାର୍ଯ୍ୟରେ ସାମିଲ ନ ହୋଇ ମୁମ୍ବାଇର ଏକ ହୋଟେଲରେ ରହୁଛନ୍ତି । ଏହାବ୍ୟତୀତ ଆଉ ୩-୪ ଜଣ ବିଧାୟକ ମଧ୍ୟ ଅନୁପସ୍ଥିତ ଅଛନ୍ତି । ଇସ୍ତଫା ଦେଇନଥିବା କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ମୁମ୍ବାଇସ୍ଥିତ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ବାବଦରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ବିଧାନସଭାରେ କହିଛନ୍ତି, ଆମ ବିଧାୟକମାନେ ଯେଉଁ ରିସର୍ଟରେ ରହୁଛନ୍ତି, ତାହାକୁ ଲାଗି ଏକ ଭଲ ହସ୍ପିଟାଲ ରହିଛି । କିନ୍ତୁ ପାଟିଲ ଚିକିତ୍ସା ପାଇଁ ମୁମ୍ବାଇ କାହିଁକି ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆମେ ଜାଣିଛୁ । ତାଙ୍କର କିଛି ବି ହୋଇନାହିଁ । ବିଜେପିର ଷଡ଼ଯନ୍ତ୍ର ଯୋଗୁ ଏଭଳି ଘଟୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକଙ୍କ ଏଭଳି ହଙ୍ଗାମା ଜାରି ରହିଥିଲା ବେଳେ ବାଚସ୍ପତି ରମେଶ କୁମାର ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଫଳରେ ଆଜି ବିଧାନସଭାରେ ଆସ୍ଥା ଭୋଟ ହୋଇପାରି ନାହିଁ । ବିଜେପି ବିଧାୟକମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ବିଜେପି ରାଜ୍ୟ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଗୃହରେ ଧାରଣାରେ ବସିଥିଲେ । କଂଗ୍ରେସ ଓ ଜେଡିଏସ୍ର ପ୍ରଭାବରେ ବାଚସ୍ପତି ଜାଣିଶୁଣି ଗୃହ ମୁଲତବୀ ରଖିଥିବା ସେ ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷରେ ୧୬ ବିଦ୍ରୋହୀ ବିଧାୟକଙ୍କୁ ମନାଇ ଆଣିବା ପାଇଁ କଂଗ୍ରେସର ୩-୪ ଜଣ ବିଧାୟକ ମୁମ୍ବାଇ ଗସ୍ତ କରିଛନ୍ତି । ସଂଖ୍ୟା ଖେଳରେ ମେଣ୍ଟ ସରକାର ଦୋହଲିବା ସ୍ଥିତିକୁ ଚାଲିଆସିଥିବାରୁ ଶେଷ ପ୍ରୟାସ ସ୍ୱରୂପ ସେମାନଙ୍କୁ ମନାଇବା ଲାଗି ଉଦ୍ୟମ କରାଯାଇଛି । କିନ୍ତୁ ସେମାନେ ଏଥିରେ ବିଫଳ ହେବେ ବୋଲି କୁହାଯାଉଛି । କାରଣ ପୂର୍ବରୁ ସେମାନଙ୍କୁ ମେଣ୍ଟ ପକ୍ଷରୁ ଯେତେ ବି ଅଫର ଦିଆଯାଇଥିଲା, ତାହାକୁ ସେମାନେ ଗ୍ରହଣ କରିନଥିଲେ । ଏଭଳି ପରିସ୍ଥିତିରେ କୁମାରସ୍ୱାମୀ ସରକାର ଭାଙ୍ଗିବାଟା ନିଶ୍ଚିତ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି ।
କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ଏବେ ୨୨୪ ରହିଛି । ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ମଞ୍ଜୁରି ମିଳିଲେ ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବ । ସେହିଭଳି ବିଧାୟକ ରୋଶନ୍ ବାଗ ଏବେ ନିଲମ୍ବନରେ ଥିବା ବେଳେ ବିଧାୟକ ପାଟିଲଙ୍କ ଚିକିତ୍ସା ମୁମ୍ବାଇ ହୋଟେଲରେ ଚାଲିଛି । ଆଉ କେତେଜଣ ଉପସ୍ଥିତ ନଥିବାରୁ ଗୃହର ମୋଟ ଆସନ ସଂଖ୍ୟା ପାଖାପାଖି ୨୦୫କୁ ହ୍ରାସ ପାଇଛି । ମେଣ୍ଟ ଦଳର ବିଧାୟକମାନେ ଅନୁପସ୍ଥିତ ଥିବାରୁ ସରକାର ଆବଶ୍ୟକ ସମର୍ଥନ ହାସଲ କରିପାରିବେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons