କର୍ଣ୍ଣାଟକରେ ବିଜେପି ସରକାର: ଶପଥ ନେଲେ ୟେଦିୟୁରପ୍ପା

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଚ୍.ଡି କୁମାରସ୍ୱାମୀଙ୍କ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବାର ୪ ଦିନ ପରେ ନୂଆ ସରକାର ଗଢ଼ିଛି ବିଜେପି । କର୍ଣ୍ଣାଟକ ବିଜେପି ମୁଖ୍ୟ ବି ଏସ୍ ୟେଦିୟୁରପ୍ପା ଶୁକ୍ରବାର ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲା ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ୟେଦିୟୁରପ୍ପା ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ, ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିବାରୁ ରାଜ୍ୟପାଳ କେବଳ ତାଙ୍କର ହିଁ ଶପଥପାଥ କରାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସହ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ୟେଦିୟୁରପ୍ପା କହିଛନ୍ତି । ତେବେ ବିଧାନସଭାରେ ସେ ବହୁମତ ସାବ୍ୟସ୍ତ କରିସାରିବା ପରେ ମନ୍ତ୍ରିମଣ୍ଡଳ ଗଠନ କରିବେ ବୋଲି ସୂଚନା ମିଳିଛି ।
ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଚଳିତମାସ ୨୯ ତାରିଖରେ ଗୃହରେ ବହୁମତ ପ୍ରମାଣ କରିବ । ରାଜ୍ୟ ବିଧାନସଭାରେ ମୋଟ ସଦସ୍ୟ ସଂଖ୍ୟା ୨୨୫ ଥିବା ବେଳେ ଗୁରୁବାର ବାଚସ୍ପତି କେ ଆର ରମେଶ କୁମାର ୩ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ତେଣୁ ଏବେ ଗୃହ ସଦସ୍ୟ ସଂଖ୍ୟା ୨୨୨କୁ ହ୍ରାସ ପାଇଛି । ସେପଟେ ୧୪ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।
ମୋଟ ସଦସ୍ୟ ସଂଖ୍ୟା ଯଦି ୨୨୨ ଧରାଯାଏ, ତେବେ ବିଜେପିକୁ ବହୁମତ ହାସଲ ପାଇଁ ୧୧୨ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ପଡ଼ିବ । ବିଜେପି ନିକଟରେ ଏବେ ନିଜସ୍ୱ ସଦସ୍ୟ ସଂଖ୍ୟା ୧୦୫ ରହିଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଥିବା କୁହାଯାଉଛି । ତେଣୁ ବହୁମତ ଅଙ୍କରେ ପହଞ୍ଚିବା ପାଇଁ ବିଜେପିକୁ ଆଉ ୬ ବିଧାୟକଙ୍କ ସମର୍ଥନ ଦରକାର ପଡ଼ିବ ।
ବହୁମତ ହାସଲ ନେଇ ସମସ୍ୟା ଥିବାରୁ କୁମାରସ୍ୱାମୀ ସରକାର ଭାଙ୍ଗିବା କ୍ଷଣି ସରକାର ଗଢ଼ିବା ଲାଗି ବିଜେପି ଦାବି ଉପସ୍ଥାପନ କରିପାରି ନଥିଲା । ୨୦୧୮ ଭଳି ସ୍ଥିତି ଆସିବା ଆଶଙ୍କା କରି ବିଜେପି ଏ ପର୍ଯ୍ୟନ୍ତ ଚୁପ୍ ରହିଥିଲା । କିନ୍ତୁ ୪ ଦିନ ପରେ ଆଜି ସକାଳେ ୟେଦିୟୁରପ୍ପା ରାଜ୍ୟପାଳ ବାଲାଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିଥିଲେ । କିନ୍ତୁ କ୍ୟାବିନେଟ୍ ଗଠନକୁ ନେଇ ଅଡୁଆ ଥିବାରୁ ସେ ଏକା ଶପଥ ନେବେ ବୋଲି ୟେଦିୟୁରପ୍ପା କହିଥିଲେ । ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟପାଳ ଶପଥ ଉତ୍ସବ ଆୟୋଜନ କରିଥିଲେ ।
ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଆଜି ନିଜ ନାମ ସଂଶୋଧନ କରିଥିଲେ । ଜ୍ୟୋତିଷଙ୍କ ସହ ପରାମର୍ଶ ପରେ ତାଙ୍କ ଇଂରାଜୀ ନାମରେ ସେ ବନାନଗତ ସଂଶୋଧନ ଆଣିଥିଲେ । ସଂଶୋଧନ ସ୍ୱରୂପ ତାଙ୍କ ନାମରେ ଗୋଟିଏ ‘ଡି’ ହଟାଇ ଏଥିରେ ‘ଆଇ’ ଯୋଡ଼ିଥିଲେ । ଫଳରେ ତାଙ୍କ ନାମ ‘ୟେଦୁରପ୍ପା’ରୁ ‘ୟେଦିୟୁରପ୍ପା’କୁ ବଦଳିଛି । ୨୦୦୭ ପୂର୍ବରୁ ୟେଦିୟୁରପ୍ପାଙ୍କ ନାମ ଯାହା ଥିଲା, ଏବେ ତାହା ହିଁ ହୋଇଛି । ଆଜି ବିଜେପି ଅଧ୍ୟକ୍ଷ ଶାହଙ୍କ ନିକଟକୁ ସେ ଯେଉଁ ଚିଠି ଲେଖିଥିଲେ, ସେଥିରେ ତାଙ୍କ ସଂଶୋଧିତ ନାମ ଦେଖିବାକୁ ମିଳିଥିଲା । ଏମିତି କି ରାଜ୍ୟପାଳଙ୍କୁ ସରକାର ଗଢ଼ିବା ପାଇଁ ଦେଇଥିବା ଦାବିପତ୍ରରେ ମଧ୍ୟ ସେ ନୂଆ ନାମ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦିୟୁରପ୍ପା ଆଜି କ୍ୟାବିନେଟ୍ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସ୍କିମ୍ରେ ରାଜ୍ୟର ହିତାଧିକାରୀଙ୍କୁ ଦୁଇଟି କିସ୍ତିର ୪୦୦୦ ଟଙ୍କା (ପ୍ରତ୍ୟେକ କିସ୍ତି ପାଇଁ ୨ ହଜାର) ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ସିଧାସଳଖ ପ୍ରଦାନ କରାଯିବ । ରାଜ୍ୟର ବୁଣାକାରଙ୍କ ୧୦୦ କୋଟି ଟଙ୍କାର ଋଣ ଛାଡ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୭୫ ବର୍ଷୀୟ ଲିଙ୍ଗାୟତ ନେତା ୟେଦିୟୁରପ୍ପା ୧୫ ବର୍ଷ ବୟସରେ ଆରଏସଏସରେ ସାମିଲ ହୋଇଥିଲେ । ଜନସଂଘରୁ ସେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୦ ଦଶକ ଆରମ୍ଭରେ ସେ ଶିକାରୀପୁରା ତାଲୁକରୁ ଜନସଂଘ ମୁଖ୍ୟ ହୋଇଥିଲେ । ୨୦୧୪ରେ ସେ ସିମୋଗା ଆସନରେ ଲୋକସଭା ନିର୍ବାଚନ ଜିତିଥିଲେ । ୧୯୮୩ରେ ରାଜ୍ୟର ସିମୋଗା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଏହି ଆସନରୁ ସେ ୫ ଥର ପ୍ରତିନିଧିତ୍ୱ କରିଥିଲେ ।
ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ୟେଦିୟୁରପ୍ପା ମାତ୍ର ଦୁଇଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ବିଜେପି ସର୍ବାଧିକ ୧୦୫ ଆସନ ପାଇଥିଲା । ସେ ୨୦୧୮ ମେ ୧୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏବଂ ତାଙ୍କ ପାଖରେ ବହୁମତ ଥିବା ସେ ଦାବି କରିଥିଲେ । କିନ୍ତୁ ମେ ୧୯ରେ ବହୁମତ ପରୀକ୍ଷା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ବିଜେପି ସରକାର ଭାଙ୍ଗିବା ପରେ ୭୮ ଆସନ ପାଇଥିବା କଂଗ୍ରେସ ଓ ୩୭ ଆସନ ପାଇଥିବା ଜେଡିଏସ୍ ମେଣ୍ଟ କରି ସରକାର ଗଠନ କରିଥିଲେ । ମେଣ୍ଟ ଦଳର ନେତା ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons