କର୍ଣ୍ଣାଟକ ନାଟକର ଅନ୍ତ:ଭାଙ୍ଗିଲା କୁମାରସ୍ୱାମୀ ସରକାର

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଗତ କିଛିଦିନ ଧରି ଜାରି ରହିଥିବା ହାଇ-ଭୋଲ୍ଟେଜ୍ ଡ୍ରାମାରେ ବିରାମ ଲାଗିଛି । ମଙ୍ଗଳବାର ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ଆସ୍ଥା ଭୋଟ୍ରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ହାରିଯିବାରୁ ଏହାର ପତନ ଘଟିଛି । ଅନ୍ୟପକ୍ଷରେ ରାଜ୍ୟରେ ସରକାର ଗଢ଼ିବା ପାଇଁ ସଜବାଜ ଆରମ୍ଭ କରିଦେଇଛି ବିଜେପି ।
ଆସ୍ଥା ଭୋଟ୍ ବେଳେ ପାଖାପାଖି ୨୦ ଜଣ ମେଣ୍ଟ ବିଧାୟକ ଅନୁପସ୍ଥିତ ଥିଲେ । ଫଳରେ ୨୦୪ ବିଧାୟକଙ୍କୁ ନେଇ ଭୋଟ୍ ହୋଇଥିଲା । କୁମାରସ୍ୱାମୀ ସରକାରଙ୍କ ସପକ୍ଷରେ ୯୯ ବିଧାୟକ ଭୋଟ୍ ଦେଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ଭୋଟ୍ ଦେଇଥିଲେ । ବିଧାନସଭାର ମୋଟ ବିଧାୟକ (୨୦ ବିଧାୟକଙ୍କୁ ଛାଡ଼ି) ସଂଖ୍ୟା ୨୦୪କୁ ହ୍ରାସ ପାଇବା ପରେ ବହୁମତ ଅଙ୍କ ୧୦୩କୁ ଖସିଆସିଥିଲା । କିନ୍ତୁ କଂଗ୍ରେସ-ଜେଡିଏସ୍ ମେଣ୍ଟ ଏହି ଅଙ୍କ ହାସଲ କରିପାରି ନଥିଲା । ଫଳରେ ମାତ୍ର ୧୪ ମାସର ମେଣ୍ଟ ସରକାର ଭାଙ୍ଗିଯାଇଥିଲା ।
କଂଗ୍ରେସ-ଜେଡିଏସ୍ ମେଣ୍ଟର ଚାପ ସତ୍ତେ୍ୱ କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶ କୁମାର ଆଜି ହିଁ ଆସ୍ଥା ଭୋଟ୍ ହେବ ବୋଲି କହିଥିଲେ । ବାଚସ୍ପତିଙ୍କ ଏଭଳି କଡ଼ା ଆଭିମୁଖ୍ୟ ଦେଖି ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି ଘୋଷଣା କରିବା ସହ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଭାବବିହ୍ୱଳ କଣ୍ଠରେ ସେ କହିଥିଲେ, ମୁଁ ଜଣେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଥିଲି ଏବଂ ଭାଗ୍ୟ ମୋତେ ଏହି ଆସନରେ ବସିବାକୁ ସୁଯୋଗ ଦେଇଥିଲା । ମୁଁ ପଦ ପାଇଁ ଆଦୌ ଲାଳାୟିତ ନ ଥିଲି । ରାଜ୍ୟ ରାଜନୀତିରେ ବର୍ତ୍ତମାନ ଯାହା ଚାଲିଛି, ତାହାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ଏହା ମୋତେ ଆଘାତ ପହଞ୍ଚାଇଛି । ତେଣୁ ପଦ ତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ । ତେବେ ତାଙ୍କର ଏହି ଆବେଗିକ ଭାଷଣକୁ ଶେଷ ଭାଷଣ ବୋଲି ଅନୁମାନ କରାଯାଉଥିଲା । ସେପଟେ କଂଗ୍ରେସ ନେତା ସିଦ୍ଧରମୈୟା ବିଦ୍ରୋହୀ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେମାନେ ଆଉ ରାଜନୀତି କରିପାରିବେ ନାହିଁ ବୋଲି ସେ କହିଛନ୍ତି ।
କୁମାରସ୍ୱାମୀଙ୍କ ଭାଷଣ ପରେ ବାଚସ୍ପତି ରମେଶ କୁମାର ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆସ୍ଥା ଭୋଟ୍ ପରେ ବିଧାନସଭାରେ ବିଜେପି ବିଧାୟକଙ୍କ ମଧ୍ୟରେ ବିଜୟ ସୂଚକ ଉତ୍ସାହ ଦେଖିବାକୁ ମିଳିଥିଲା । କିଛି ବିଧାୟକ ବିଜେପି ରାଜ୍ୟ ମୁଖ୍ୟ ବି ଏସ୍ ୟେଦୁରପ୍ପାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ତେବେ ଆସ୍ଥା ଭୋଟ୍ ଫଳ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ବାଲା ୟେଦୁରପ୍ପାଙ୍କୁ ଆମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ଆଶଙ୍କା କରି ପୁଲିସ କମିଶନରଙ୍କ ପକ୍ଷରୁ ବେଙ୍ଗାଲୁରୁରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ସୂଚନା ଥାଉ କି ଆସ୍ଥା ଭୋଟ୍ ବାରମ୍ବାର ସ୍ଥଗିତ ରହିବା ପରେ ବାଚସ୍ପତି ରମେଶ କୁମାର ଅତିଷ୍ଠ ହୋଇପଡ଼ିଥିଲେ । ବିଜେପି ଓ ମେଣ୍ଟ ବିଧାୟକଙ୍କ ମଧ୍ୟରେ ସେ ନିଜକୁ ଜଣେ ବଳିର ବକରା ଭାବେ ଅନୁଭବ କରୁଥିବା କହିଥିଲେ । ଶେଷରେ ମଙ୍ଗଳବାର ହିଁ ଆସ୍ଥା ଭୋଟ୍ ହେବ ବୋଲି ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ । ଆସ୍ଥା ଭୋଟ୍କୁ ଆହୁରି ବିଳମ୍ବିତ କରିବା ପାଇଁ ଜେଡିଏସ୍-କଂଗ୍ରେସ ମେଣ୍ଟର ସମସ୍ତ ଉଦ୍ୟମ ଫେଲ୍ ମାରିଥିଲା । ମଙ୍ଗଳବାର ସନ୍ଧ୍ୟା ୭ଟାରେ ବାଚସ୍ପତି ବିଧାୟକମାନଙ୍କୁ ଛିଡ଼ା କରାଇ ଶାସକ ଓ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ଗଣିଥିଲେ । ବିଧାନସଭାର ଅଧିକାରୀଙ୍କ ସହାୟତାରେ ବିଧାୟକଙ୍କ ମୁଣ୍ଡ ଗଣତି କରାଯାଇଥିଲା । ଅଧିକାରୀମାନେ ପ୍ରଥମେ ଶାସକ ଓ ପରେ ବିରୋଧୀ ବିଧାୟକଙ୍କର ଗଣତି କରିଥିଲେ । ଏହାପରେ ଭୋଟ୍ ଅନୁଷ୍ଠିତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ମେଣ୍ଟ ଦଳର ୧୬ (କଂଗ୍ରେସର ୧୩ ଓ ଜେଡିଏସ୍ର ୩)ଜଣ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ଓ ଜେଡିଏସ୍ର ବରିଷ୍ଠ ନେତାମାନେ ସେମାନଙ୍କୁ ମନାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ । ସେମାନଙ୍କୁ ମନ୍ତ୍ରୀ ପଦ ଦେବା ଲାଗି ମଧ୍ୟ କୁହାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ବଦଳାଇବା ପର୍ଯ୍ୟନ୍ତ କଥା ଯାଇଥିଲା । କିନ୍ତୁ ସେମାନେ କୌଣସିମତେ ରାଜି ହୋଇ ନଥିଲେ । ସେମାନଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ ନ କରିବାରୁ ସେମାନେ ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଯଦିଓ ସେମାନଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ପାଇଁ ବାଚସ୍ପତିଙ୍କୁ କ୍ଷମତା ଦେଇଥିଲେ, ସେମାନଙ୍କୁ ହ୍ୱିପ୍ ଜାରି କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ଏଭଳି ରାୟ ମେଣ୍ଟ ସରକାରକୁ ଶକ୍ତ ଧକ୍କା ସଦୃଶ ହୋଇଥିଲା । ବିଦ୍ରୋହୀ ବିଧାୟକମାନେ ଗୃହକାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ରୋକ୍ଠୋକ୍ କହିବାରୁ ଗୃହରେ କୁମାରସ୍ୱାମୀ ସରକାର ସଂଖ୍ୟାଲଘୁରେ ପରିଣତ ହେବାର ଚିତ୍ର ଜଳଜଳ ହୋଇ ଦିଶୁଥିଲା । ସଂଖ୍ୟା ନ ଥିବାରୁ ଆସ୍ଥା ଭୋଟ୍ କରାଇବାକୁ କୁମାରସ୍ୱାମୀ ସରକାର ସାହସ କରିନଥିଲେ । ଫଳରେ ଏହା ବାରମ୍ବାର ସ୍ଥଗିତ ରହିଥିଲା । କିନ୍ତୁ ବାଚସ୍ପତି ନିଜ ଜିଦ୍ରେ ଅଟଳ ରହି ଆଜି ହିଁ ଆସ୍ଥା ଭୋଟ୍ ପାଇଁ ପାଗ ଭିଡ଼ିଥିଲେ । ତେବେ କିଛି ସ୍ୱାଧୀନ ଓ ମେଣ୍ଟ ବିଧାୟକ ଗୃହରେ ଅନୁପସ୍ଥିତ ରହିବାରୁ ମେଣ୍ଟ ପାଇଁ ସ୍ଥିତି କ୍ରମେ ସଙ୍ଗିନ ହୋଇପଡ଼ିଥିଲା ।
ଅନ୍ୟପକ୍ଷରେ କର୍ଣ୍ଣାଟକର ଏକମାତ୍ର ବହୁଜନ ସମାଜ ପାର୍ଟି (ବସପା) ବିଧାୟକ ଏନ୍ ମହେଶ ଆସ୍ଥା ଭୋଟ୍ରେ ଉପସ୍ଥିତ ନ ହେବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ମଙ୍ଗଳବାର ଗୃହରେ ଉପସ୍ଥିତ ରହି କୁମାରସ୍ୱାମୀ ସରକାରଙ୍କ ସପକ୍ଷରେ ଭୋଟ୍ ଦେବାକୁ ବସପା ସୁପ୍ରିମୋ ମାୟାବତୀ ମହେଶଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ଗୃହରେ ଯୋଗଦେଇ ନଥିଲେ । ଏହି ଖବର ପାଇବା କ୍ଷଣି ମାୟାବତୀ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମହେଶଙ୍କୁ ଦଳରୁ ବିଦା କରିଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons