କର୍ଣ୍ଣାଟକ ନାଟକ:ସୁପ୍ରିମକୋର୍ଟ ଗଲେ ଆଉ ୫ ବିଧାୟକ

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲାଗି ରହିଥିବା ରାଜନୈତିକ ନାଟକର ଅନ୍ତ ଘଟୁନାହିଁ । ଆଜି କଂଗ୍ରେସ-ଜେଡିଏସ୍ ମେଣ୍ଟରେ ସାମିଲ ଥିବା ଆଉ ୫ ଜଣ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି ବୋଲି ସେମାନେ ଏହି ପିଟିସନ୍ରେ ଉଲ୍ଲେଖ କରିଛନ୍ତି । ସେମାନେ ହେଲେ କେ. ସୁଧାକର, ରୋସନ ବେଗ, ଏମ୍ଟିବି ନାଗରାଜ, ମୁନିରତ୍ନ ନାଇଡୁ ଓ ଆନନ୍ଦ ସିଂହ । ଏମାନଙ୍କୁ ମିଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ମେଣ୍ଟ ଦଳର ବିଧାୟକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ପୂର୍ବରୁ ୧୦ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରୁନଥିବା ସେମାନେ ଦର୍ଶାଇଥିଲେ । ସୁପ୍ରିମକୋର୍ଟ ଗତକାଲି ଏହା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ କିମ୍ବା ସେମାନଙ୍କ ଇସ୍ତଫା ଗ୍ରହଣ କରିବେ ନାହିଁ । ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର କରିବାକୁ ସର୍ବୋଚ୍ଚ ଅଦାଲତ ଦିନଧାର୍ଯ୍ୟ କରିଛନ୍ତି । ସେହି ଦୃଷ୍ଟିରୁ ବାଚସ୍ପତି ସୁପ୍ରିମକୋର୍ଟଙ୍କ ରାୟ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ରାୟ ଆସିବା ପରେ ବାଚସ୍ପତି ଏ ଦିଗରେ ଯାହାକିଛି ପଦକ୍ଷେପ ନେବେ । ଏଭଳି ସ୍ଥିତିରେ ଆଉ ୫ ବିଧାୟକ ସୁପ୍ରିମକୋର୍ଟ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବର୍ତ୍ତମାନ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁଛନ୍ତି । ସେଥିପାଇଁ ତାଙ୍କୁ ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ବୁଧବାର ବାଚସ୍ପତି ଅନୁମତି ଦେଇପାରନ୍ତି ।
ଅନ୍ୟପକ୍ଷରେ ମେଣ୍ଟ ଦଳର ସଙ୍କଟମୋଚକ ଭାବେ ପରିଚିତ କଂଗ୍ରେସ ନେତା ଡି.କେ. ଶିବକୁମାର ମୁମ୍ବାଇ ହୋଟେଲରେ ରହିଥିବା ବିଦ୍ରୋହୀ ବିଧାୟକଙ୍କ ଘରକୁ ଯାଇ ସେମାନଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ସେମାନଙ୍କୁ ମନାଇ ଦଳକୁ ପୁଣି ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । ବୁଧବାର କେ ସୁଧାକରଙ୍କ ସହ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ତଥା ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ ଏମ୍ଟିବି ନାଗରାଜ ଆଜି ତାଙ୍କର ସ୍ୱର ନରମ କରିଛନ୍ତି । କହିଛନ୍ତି ବହୁବର୍ଷ ହେଲା ସେ କଂଗ୍ରେସରେ ରହିଛନ୍ତି । ପରିସ୍ଥିତି ଏଭଳି ହେଲା ଯେ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ବର୍ତ୍ତମାନ ଶିବକୁମାର ଓ ପିସିସି ସଭାପତି ଦୀନେଶ ଗୁଣ୍ଡୁ ରାଓ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇ ଦଳକୁ ପୁଣି ଫେରିବାକୁ ଅନୁରୋଧ କରିଛନ୍ତି । ସେ ଏ ସମ୍ପର୍କରେ ସୁଧାକରଙ୍କ ସହ କଥା ହେବେ । ତାହା ପରେ କ’ଣ କରାଯାଇପାରିବ ସେବିଷୟରେ ନିଷ୍ପତ୍ତି ନେବେ । ତାଙ୍କର ଅନ୍ୟ କୌଣସି ଯୋଜନା ନାହିଁ । ସେ କେବଳ ମୁମ୍ବାଇ ହୋଟେଲରେ ରହିବାକୁ ଆସିଥିବା କହିଛନ୍ତି । ପୂର୍ବରୁ ସୁଧାକର କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କୁ ଇସ୍ତଫାପତ୍ର ଫେରାଇ ନେବା ଲାଗି ଅନୁରୋଧ କରିଥିଲେ । ଏଥିପାଇଁ ସେ ଚୂଡାନ୍ତ ନିଷ୍ପତ୍ତି ନେବାକୁ କିଛିଦିନ ସମୟ ମାଗିଛନ୍ତି । ସେହିଭଳି ରାମଲିଙ୍ଗା ରେଡ୍ଡୀ, ମୁନିରତ୍ନ ଓ ରୋସନ ବେଗଙ୍କ ସହ କଥାବାର୍ତ୍ତା ଜାରି ରହିଛି ।
ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାନଯାଏ ତେବେ ସେମାନେ ଅଯୋଗ୍ୟ ଘୋଷିତ ହେବେ । କାରଣ ଦଳ ସେମାନଙ୍କୁ ଗତକାଲି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଥିଲା । ମାତ୍ର ସେମାନେ ହୁଇପ୍କୁ ଅମାନ୍ୟ କରି ଗୃହକୁ ଆସି ନଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ସେମାନେ ବାଚସ୍ପତିଙ୍କୁ ପୁଣିଥରେ ଇସ୍ତଫାପତ୍ର ଦେଇ ମୁମ୍ବାଇ ହୋଟେଲକୁ ଫେରିଯାଇଥିଲେ । ସେହିଭଳି ଯଦି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯିବ ତେବେ ମେଣ୍ଟ ଦଳର ସଦସ୍ୟ ସଂଖ୍ୟା ୧୧୮ରୁ ୧୦୦କୁ ଖସି ଆସିବ । କାରଣ ମେଣ୍ଟ ଦଳର ୧୬ ଓ ଏହାକୁ ସମର୍ଥନ ଦେଉଥିବା ୨ ଜଣ ସ୍ୱାଧୀନ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ସରକାର ଗଠନ ଲାଗି ମ୍ୟାଜିକ ସଂଖ୍ୟା ୧୧୩ ବଦଳରେ ୧୦୫କୁ ହ୍ରାସ ପାଇବ । ଏଭଳି କ୍ଷେତ୍ରରେ ବିଜେପି ହିଁ ସରକାର ଗଠନ କରିବାକୁ ସକ୍ଷମ ହେବ । କାରଣ ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା ୧୦୫ ରହିଥିଲା ବେଳେ ଏହାକୁ ଦୁଇଜଣ ସ୍ୱାଧୀନ ସଦସ୍ୟ ସମର୍ଥନ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons