ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍ର ଦିନ ଘୁଞ୍ôଚଘୁଞ୍ôଚ ଯାଉଛି । ରାଜ୍ୟ ବିଜେପି ଯଥାଶୀଘ୍ର ଆସ୍ଥା ଭୋଟ୍ ଲାଗି ଦାବି କରୁଥିବା ବେଳେ ବାଚସ୍ପତି କେ.ଆର ରମେଶ କୁମାର ଆସନ୍ତା ସୋମବାର ଆସ୍ଥା ଭୋଟ ହେବ ବୋଲି ଘୋଷଣା କରିଛନ୍ତି । ଏଥିସହିତ ସେ ବିଧାନସଭାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।
ଗୁରୁବାର ବାଚସ୍ପତି କେ ଆର ରମେଶ କୁମାର ଏବଂ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କୁ ଚିଠି ଲେଖି ତୁରନ୍ତ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲା । କିନ୍ତୁ ତାଙ୍କ ଚିଠିକୁ କେହି ଗୁରୁତ୍ୱ ଦେଇନାହାନ୍ତି । ଶୁକ୍ରବାର ଅପରାହ୍ନ ୧.୩୦ରେ ଆସ୍ଥା ଭୋଟ୍ ପାଇଁ ଡେଡ୍ଲାଇନ୍ ଦେଇଥିଲେ ରାଜ୍ୟପାଳ । ଏହା ଫେଲ୍ ମାରିଥିଲା । ପୁଣି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୂଆ ଡେଡ୍ଲାଇନ୍ ଦେଇଥିଲେ । ତାହା ବି ଭଣ୍ଡୁର ହୋଇଯାଇଛି ।
ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବେଖାତିର କାର୍ଯ୍ୟ ଯୋଗୁ ରାଜ୍ୟପାଳ ବାଲା ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି । ରାଜ୍ୟ ରାଜନୀତିରେ ଦେଖାଦେଇଥିବା ସଂକଟ ଏବଂ ତାଙ୍କ ନିର୍ଦ୍ଦେଶକୁ ଯେଭଳି ଭାବେ ଅବମାନନା କରାଯାଉଛି ତାହା ବାବଦରେ ବିସ୍ତୃତ ଭାବେ ରିପୋର୍ଟ ଦେଇଛନ୍ତି ବାଲା ।
ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଏଭଳି ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି କୁମାରସ୍ୱାମୀ ସରକାର । ଏହାକୁ ବିରୋଧ କରି ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଉଁ ଉଦ୍ଦେଶ୍ୟରେ ରାଜ୍ୟପାଳ ବାରମ୍ବାର ରାଜ୍ୟ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି, ତାହା ନେଇ ଆପତ୍ତି ଉଠାଇଛନ୍ତି ସରକାର । ରାଜ୍ୟ ସରକାରଙ୍କ କହିବାନୁଯାୟୀ ସୁପ୍ରିମ୍କୋର୍ଟ ବିଦ୍ରୋହୀ ବିଧାୟକଙ୍କ ବାବଦରେ ନିଷ୍ପତ୍ତି ନେବା ଲାଗି ବାଚସ୍ପତିଙ୍କୁ କ୍ଷମତା ଦେଇଛନ୍ତି । ତା’ଛଡ଼ା ଗୃହକାର୍ଯ୍ୟ କିଭଳି ପରିଚାଳିତ ହେବ, ତାହା ଉପରେ ବାଚସ୍ପତିଙ୍କ ଦଖଲ ରହିଛି । ଆସ୍ଥା ଭୋଟ୍ ପୂର୍ବରୁ ଆଲୋଚନା ହେଉ ବୋଲି ବାଚସ୍ପତି ଚାହୁଁଥିବା ବେଳେ ରାଜ୍ୟପାଳ ବାରମ୍ବାର ଚିଠି ଲେଖି ନିର୍ଦ୍ଦେଶ ଦେଉଛନ୍ତି । ଏହାଦ୍ୱାରା ଗୃହ ପରିଚାଳନାରେ ବାଧା ଉପୁଜୁଛି ବୋଲି ସରକାର ଅଭିଯୋଗ କରିଛନ୍ତି ।
ସେହିଭଳି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଜୁଲାଇ ୧୭ରେ ଦିଆଯାଇଥିବା ରାୟକୁ ଚାଲେଞ୍ଜ କରିଛି କର୍ଣ୍ଣାଟକ କଂଗ୍ରେସ । ୧୬ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସୁପ୍ରିମ୍କୋର୍ଟ ଯେଉଁ ରାୟ ଦେଇଥିଲେ, ତାହା ଠିକ୍ ନୁହେଁ ବୋଲି ଦଳ ଯୁକ୍ତି କରିଛି । ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ଏହି ଆବେଦନ କରି କହିଛନ୍ତି, ୧୬ ବିଦ୍ରୋହୀ ବିଧାୟକଙ୍କ ଉପରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଦ୍ୱାରା ଦଳର ଅଧିକାର ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୧୭ ରାୟର ସ୍ପଷ୍ଟୀକରଣ ଦେବାକୁ ସେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ୨ଟି ପ୍ରସଙ୍ଗରେ ସେ ସୁପ୍ରିମକୋର୍ଟକୁ ଯାଇଛନ୍ତି । ପ୍ରଥମଟି ହେଲା ବିଧାୟକଙ୍କ ଉପରେ ହୁଇପ ଜାରି କରିବାର ଅଧିକାର ଦଳର ରହିଛି । ଏହାକୁ କୋର୍ଟ ଛଡାଇ ନେଇପାରିବେ ନାହିଁ । ଦ୍ୱିତୀୟଟି ହେଲା ବିଧାନସଭା ଚାଲୁଥିଲା ବେଳେ କେବେ ଆସ୍ଥା ଭୋଟ ହେବ ସେ ନେଇ ରାଜ୍ୟପାଳ ନିର୍ଦ୍ଦେଶ ଦେଇପାରିବେ ନାହିଁ କିମ୍ବା କୌଣସି ଡେଡଲାଇନ ଧାର୍ଯ୍ୟ କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ, ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି ଜୁଲାଇ ୧୭ର ରାୟରେ ସୁପ୍ରିମ୍କୋର୍ଟ କହିଥିଲେ । କିନ୍ତୁ ସେମାନଙ୍କ ଉପରେ ହ୍ୱିପ୍ ଜାରି କରାଯାଇ ପାରିବ ନାହିଁ ବୋଲି କହିଥିଲେ । ଏହା କଂଗ୍ରେସକୁ ଅଡୁଆରେ ପକାଇଥିଲା ।
ରାଜ୍ୟପାଳଙ୍କୁ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ପକ୍ଷରୁ ଟାର୍ଗେଟ୍ କରାଯାଇଛି । ରାଜ୍ୟପାଳ ଆଜି ପୁଣି ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି, ରାଜ୍ୟପାଳଙ୍କ ତରଫରୁ ଆସିଥିବା ଦ୍ୱିତୀୟ ପ୍ରେମପତ୍ର ଦୁଃଖ ଦେଇଛି । କିନ୍ତୁ ଏହା ଉପରେ କିଛି କରାଯାଇ ପାରିବ ନାହିଁ । ରାଜ୍ୟପାଳଙ୍କ ଡେଡ୍ଲାଇନ୍କୁ ପାଳନ କରିହେବ ନାହିଁ । ସେହିଭଳି ଆସ୍ଥା ଭୋଟ୍ ଉପରେ ଆଲୋଚନା ଜାରି ରହିଥିବାରୁ ଭୋଟିଂ ଅସମ୍ଭବ ବୋଲି କହିଛନ୍ତି ବାଚସ୍ପତି ।
କଂଗ୍ରେସ ଆଜି ରାଜ୍ୟପାଳଙ୍କୁ ବିଜେପିର ଏଜେଣ୍ଟ ବୋଲି କହି ସମାଲୋଚନା କରିଛି । ଟ୍ୱିଟ୍ କରି କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ କହିଛନ୍ତି, ଏହା ଲଜ୍ଜାଜନକ ବିଷୟ । ସାମ୍ବିଧାନିକ ନିୟମ ବାହାରକୁ ଯାଇ ରାଜ୍ୟପାଳ ରାଜ୍ୟ ରାଜନୀତିରେ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । ବିଜେପିର ଜଣେ ଏଜେଣ୍ଟ ଭାବେ ରାଜ୍ୟପାଳ କାମ କରିବା ଦୁର୍ଭାଗ୍ୟଜନକ । ତେବେ ସେ ରାଜଭବନକୁ ବିଜେପି କାର୍ଯ୍ୟାଳୟରେ ପରିଣତ କରନ୍ତୁ ନାହିଁ ବୋଲି ବେଣୁଗୋପାଳ କହିଛନ୍ତି ।
କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍କୁ ନେଇ ଟଣାଓଟରା ଲାଗିରହିଥିବାରୁ ବିଜେପି ବିଧାୟକମାନେ ମେଣ୍ଟ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି । ଆସ୍ଥା ଭୋଟ୍ ଆଣିବା ପାଇଁ ରାଜ୍ୟ ସରକାର ଭୟ କରୁଛନ୍ତି । ତେବେ ବିଜେପି ଏବେ ବ୍ୟାକ୍ଫୁଟ୍ ମୋଡ୍ରେ ରହିଛି । ରହିବା ସ୍ୱାଭାବିକ ମଧ୍ୟ । ଏ କ୍ଷେତ୍ରରେ ରାଜ୍ୟପାଳ ବି କିଛି କରିପାରିବେ ନାହିଁ । ସୁପ୍ରିମ୍କୋର୍ଟଙ୍କ ସମ୍ବିଧାନ ବେଞ୍ଚ ୨୦୧୬ରେ ଅରୁଣାଚଳ ପ୍ରଦେଶର ନବାମ ଟୁକି ସରକାର ମାମଲାରେ ଏକ ଆଦେଶ ଦେଇଥିଲେ । ସେତେବେଳେ ଆସ୍ଥା ଭୋଟ୍କୁ ନେଇ ତକ୍ରାଳୀନ ରାଜ୍ୟପାଳ ଜେପି ରାଜଖୋୱାଙ୍କ ନିଷ୍ପତ୍ତିକୁ ସମ୍ବିଧାନ ପୀଠ ଅସାମ୍ବିଧାନିକ ବୋଲି କହିଥିଲେ । ସେହି ଦୃଷ୍ଟିରୁ କର୍ଣ୍ଣାଟକ ରାଜ୍ୟପାଳ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ।
ସୂଚନାଥାଉ କି ଗୁରୁବାର ଆସ୍ଥା ଭୋଟ୍ ନ ହୋଇ ଗୃହ ମୁଲତବି ରହିବା ଯୋଗୁ ବିଜେପି ବିଧାୟକମାନେ ଧାରଣା ଦେଇଥିଲେ । ରାଜ୍ୟ ବିଜେପି ମୁଖ୍ୟ ବି ଏସ୍ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଧାୟକମାନେ ରାତିସାରା ବିଧାନସଭା ପରିସରରେ ବିତାଇଥିଲେ । ଶୁକ୍ରବାର ସକାଳେ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ସେମାନଙ୍କ ପାଇଁ ଜଳଖିଆ ଓ ପାଣି ଧରି ପହଞ୍ଚିଥିଲେ । ତାଙ୍କୁ ଦେଖି ବିଧାୟକମାନେ ହସିବାକୁ ଲାଗିଥିଲେ । ଏହା ହାସ୍ୟରୋଳ ପରିସ୍ଥିତି ସୃଷ୍ଟି କରିଥିଲା ।
Comments are closed, but trackbacks and pingbacks are open.