ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାର ଆଜି ଆଉ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଓ ଜେଡିଏସ୍ର ୩ ବିଧାୟକ ଅଛନ୍ତି । ଚଳିତ ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ୨୦୨୩ ମେ ୨୩ ଯାଏ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଦଳ ବଦଳ ନିରୋଧ ଆଇନ ଅନୁସାରେ ବାଚସ୍ପତି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚଳିତ ବିଧାନସଭାର ଅବଧି ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆଉ ନିର୍ବାଚନ ଲଢ଼ିପାରିବେ ନାହିଁ । ଏପରିକି ଉପନିର୍ବାଚନ ମଧ୍ୟ ଲଢ଼ିବା ଉପରେ ସେମାନଙ୍କୁ ବାରଣ କରାଯାଇଛି । ପୂର୍ବରୁ ଜଣେ ସ୍ୱାଧୀନ ଓ ୨ ଜଣ କଂଗ୍ରେସ ବିଧାୟକଙ୍କ ସମେତ ୩ ଜଣଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିଲେ । ଫଳରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସଂଖ୍ୟା ୧୭ରେ ପହଞ୍ôଚଛି । ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଥିଲା ବେଳେ ଆଜି ଏହି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ତାଙ୍କୁ ଆଶ୍ୱସ୍ତି ଆଣିଦେଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି କହିଛନ୍ତି ଯେ କଂଗ୍ରେସ ଓ ଜେଡିଏସ୍ର ପିଟିସନ ଉପରେ ବିଦ୍ରୋହୀ ବିଧାୟକଙ୍କୁ ହାଜର ହେବା ଲାଗି ନୋଟିସ ଦିଆଯାଇଥିଲା । କିନ୍ତୁ ସେମାନେ ହାଜର ହୋଇ ନଥିଲେ । ବରଂ ସେମାନଙ୍କୁ ଆହୁରି ୪ ସପ୍ତାହ ସମୟ ଦେବାକୁ ଆବେଦନ କରିଥିଲେ । ମାତ୍ର ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବା ସହିତ ସେମାନଙ୍କୁ ବିଧାନସଭା ସଦସ୍ୟ ପଦରୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯାଇଛି । ବିଧାୟକମାନେ ଦେଇଥିବା ଇସ୍ତଫାପତ୍ର ସେ ଗ୍ରହଣ ନକରି ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ସମ୍ବିଧାନର ୧୦ମ ଅନୁଚ୍ଛେଦ (ଦଳବଦଳ ନିରୋଧ ଆଇନ)ରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନିର୍ବାଚନ ଲଢ଼ିବା ଲାଗି ବାରଣ କରାଯାଇ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ବାଚସ୍ପତି କହିଲେ ଯେ କୋର୍ଟ ତାର ବିଚାର କରିବେ । ସେହିଭଳି ବିଜେପି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ପ୍ରକାଶିତ ଖବର ଉପରେ କୁମାର କହିଛନ୍ତି ସେମାନେ ପ୍ରସ୍ତାବ ଆଣନ୍ତୁ । ତାହା ଉପରେ କ’ଣ କରିବି ଆପଣମାନେ ଦେଖିବେ । ମୁଁ ଇସ୍ତଫା ଦେବି ନାହିଁ । ଗୃହରେ ଅଧ୍ୟକ୍ଷତା କରିବି । ମୋର କର୍ତ୍ତବ୍ୟ ମୁଁ ସମ୍ପାଦନ କରିବି । ଦେଖାଯାଉ କ’ଣ ହେଉଛି । ସେ ଆଇନଗତ ପରିସରରେ ରହି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।
ସେହିଭଳି ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ବହୁଜନ ସମାଜ ପାର୍ଟିର୍ (ବସପା) ବିଧାୟକ ଏନ୍ ମହେଶ ଆସ୍ଥା ଭୋଟ ବେଳେ ଗୃହରେ ଉପସ୍ଥିତ ନଥିଲେ । କୁମାରସ୍ୱାମୀ ସରକାରକୁ ସମର୍ଥନ କରିବା ଲାଗି ଦଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାକୁ ସେ ଅମାନ୍ୟ କରିଛନ୍ତି । ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ତାହା ଉପରେ ସେ ନିଷ୍ପତ୍ତି ନେବେ । ଗତ ଗୁରୁବାର ସ୍ୱାଧୀନ ବିଧାୟକ ଆର. ଶଙ୍କର ଏବଂ କଂଗ୍ରେସ ବିଧାୟକ ରମେଶ ଜର୍କିହୋଲି ଓ ମହେଶ କୁମାଥଲିଙ୍କୁ ବାଚସ୍ପତି ଦଳ ବଦଳ ନିରୋଧ ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯିବେ ବୋଲି ମୁମ୍ବାଇର ଏକ ହୋଟେଲରେ ଗତ ୩ ସପ୍ତାହ ହେଲା ରହିଥିବା ବିଦ୍ରୋହୀ ବିଧାୟକମାନେ କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ମସ୍କି ବିଧାୟକ ପ୍ରତାପ ଗୌଡା ପାଟିଲ କହିଛନ୍ତି ଯେ ସେମାନେ ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବେ । କୋର୍ଟରୁ ସେମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରହିଛି । ଅନ୍ୟତମ ବିଧାୟକ ମୁନିରତ୍ନ କହିଛନ୍ତି ଏଭଳି ଘଟିବ ବୋଲି ସେମାନେ ଜାଣିଥିଲେ । କାରଣ ପୂର୍ବରୁ କଂଗ୍ରେସ ନେତମାନେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଧମକ ଦେଉଥିଲେ । ଆମେ ଛୋଟ ପିଲା ନୁହେଁ । ଆମେ ଏହା ବିରୋଧରେ କୋର୍ଟକୁ ଯିବୁ ।
ବାଚସ୍ପତିଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଛି ବିଜେପି । ଏଭଳି କାର୍ଯ୍ୟାନୁଷ୍ଠାନ ବେଆଇନ । ଗୋଟିଏ ଦଳର ଚାପରେ ପଡି ବାଚସ୍ପତି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଜେପିର ବରିଷ୍ଠ ନେତା ଗୋବିନ୍ଦ କର୍ଜୋଲ କହିଛନ୍ତି ଅଯୋଗ୍ୟ ଘୋଷିତ ବିଧାୟକମାନେ ସୁପ୍ରିମକୋର୍ଟ ଯିବେ । ସେଠାରୁ ସେମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରହିଛି । ବିଧାୟକମାନେ ନିଜ ଇଚ୍ଛା ଅନୁସାରେ ଇସ୍ତଫା ଦେଇଥିଲେ । ତେଣୁ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରିବା ଉଚିତ । ଅନ୍ୟପକ୍ଷରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ କର୍ଣ୍ଣାଟକ କଂଗ୍ରେସ ସ୍ୱାଗତ କରିଛି । କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମୈୟା ଟୁଇଟ୍ କରି କହିଛନ୍ତି ଯେ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଗଣତନ୍ତ୍ରର ବିଜୟ । ବିଜେପି ସହ ମିଶି ଦଳ ବିରୋଧରେ କାର୍ଯ୍ୟ କରିବା ଓ ରାଜ୍ୟର ମେଣ୍ଟ ସରକାରକୁ ଭାଙ୍ଗିଥିବା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ସୁପ୍ରିମକୋର୍ଟ ମଧ୍ୟ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ଜେଡିଏସ୍ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି । ଯେଉଁମାନେ ଗଣତନ୍ତ୍ରକୁ ନିର୍ମୂଳ କରିବାକୁ ଉଦ୍ୟମ କରିଛନ୍ତି ବାଚସ୍ପତି ସେମାନଙ୍କୁ ଉପଯୁକ୍ତ ଶାସ୍ତି ଦେଇଛନ୍ତି । କ୍ଷମତା ଓ ଅର୍ଥବଳ ଆଗରେ ମୁଣ୍ଡ ନୁଆଁଇ ଏହି ବିଧାୟକମାନେ ସେମାନଙ୍କୁ ଭୋଟ ଦେଇଥିବା ଜନତା ଏବଂ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ଜେଡିଏସ୍ ଟୁଇଟରରେ ଉଲ୍ଲେଖ କରିଛି ।
ଚଳିତମାସ ପ୍ରାରମ୍ଭରେ କଂଗ୍ରେସର ୧୩ ଓ ଜେଡିଏସ୍ର ୩ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପରେ ରାଜ୍ୟରେ ଏଚ୍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଥିଲା । ଗତ ମଙ୍ଗଳବାର ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ । ଆସ୍ଥା ଭୋଟ ବେଳେ ମେଣ୍ଟ ଦଳର ୨୦ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ । ତେଣୁ ସରକାରଙ୍କ ସପକ୍ଷରେ ୯୯ ବିଧାୟକଙ୍କ ଭୋଟ ଯାଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ଭୋଟ ଦେଇଥିଲେ । ଫଳରେ ୧୪ ମାସର କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା । ଶୁକ୍ରବାର ୟେଦିୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା । ୟେଦିୟୁରପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ସେ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ସେଥିପାଇଁ ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇସାରିଥିବାରୁ ୨୨୫ ଆସନ ବିଶିଷ୍ଟ ବିଧାନସଭାର ସଦସ୍ୟ ସଂଖ୍ୟା ଏବେ ୨୦୮କୁ ଖସି ଆସିଛି । ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୧୦୫ । ବିଜେପିର ସଦସ୍ୟ ସଂଖ୍ୟା ୧୦୫ ରହିଥିଲା ବେଳେ ଜଣେ ସ୍ୱାଧୀନ ସଦସ୍ୟ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ସେହିଦୃଷ୍ଟିରୁ ଶକ୍ତି ପରୀକ୍ଷାରେ ୟେଦିୟୁରପ୍ପାଙ୍କ ପାଇଁ କୌଣସି ସମସ୍ୟା ହେବ ନାହିଁ ।
Comments are closed, but trackbacks and pingbacks are open.