କର୍ଣ୍ଣାଟକ ରାଜନୀତି:ଆସ୍ଥା ଜିଣିଲେ ୟେଦିୟୁରପ୍ପା

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ଆଜି ବିଧାନସଭାରେ ଆସିଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଫଳରେ ଅଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ ରାଜ୍ୟରେ ବିଜେପି ସରକାରର ନେତୃତ୍ୱ ନେବେ । ବିଧାନସଭାରେ ଆଜି ୟେଦିୟୁରପ୍ପା ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ବିତର୍କ ହୋଇଥିଲା । ବିତର୍କ ଶେଷରେ ଭୋଟ ଗ୍ରହଣ କରାଯାଇଥିଲା ।
କଂଗ୍ରେସ ନେତା ସିଦ୍ଦରମୈୟା ଓ ଜେଡିଏସ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଏହି ବିତର୍କରେ ଭାଗ ନେଇଥିଲେ । ସିଦ୍ଦରମୈୟା ଅଭିଯୋଗ କରିଥିଲେ ଯେ ଜନାଦେଶ ନଥାଇ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ପୂର୍ବରୁ ୨୦୦୮ ଓ ୨୦୧୮ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନଥାଇ ୟେଦିୟୁରପ୍ପା ସରକାର ଗଠନ କରିଥିଲେ । ତେଣୁ ସେ ଆଣିଥିବା ଆସ୍ଥା ପ୍ରସ୍ତାବକୁ ବେଆଇନ ବୋଲି ଦର୍ଶାଇବା ସହିତ ବିଜେପି ସରକାରର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ଏଥିସହିତ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ବିତର୍କରେ ଭାଗନେଇ କୁମାରସ୍ୱାମୀ ତାଙ୍କ ନେତୃତ୍ୱରେ ପରିଚାଳିତ ସରକାର ଲୋକଙ୍କୁ ଉତ୍ତମ ଶାସନ ଯୋଗାଇବାରେ ବିଫଳ ହୋଇଥିଲା ବୋଲି ୟେଦିୟୁରପ୍ପା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । କହିଥିଲେ ସେ ସମ୍ମାନର ସହିତ ଲୋକଙ୍କ ସେବା କରିଛନ୍ତି ଓ ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ବିଧାନସଭାର ୧୭ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ବାଚସ୍ପତି ନିଜର ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ସେ କହିଥିଲେ । ନିଜ ବକ୍ତବ୍ୟରେ ୟେଦିୟୁରପ୍ପା ଲୋକଙ୍କୁ ସେମାନଙ୍କ ଆଶାନୁରୂପ ଶାସନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହିତ ସରକାରଙ୍କୁ ଏ ଦିଗରେ ବିରୋଧୀ ଦଳମାନେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ବିତର୍କ ଶୀଘ୍ର ଶେଷ କରି ଆସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ଲାଗି ବାଚସ୍ପତି ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ବିତର୍କ ଶେଷରେ ପ୍ରସ୍ତାବ ଉପରେ ବାଚନିକ ଭୋଟ ନିଆଯାଇଥିଲା । ତେବେ ପ୍ରସ୍ତାବ ସପକ୍ଷରେ ଅଧିକ ଭୋଟ ମିଳିଥିବାରୁ ୟେଦିୟୁରପ୍ପାଙ୍କୁ ବାଚସ୍ପତି କେ.ଆର ରମେଶ କୁମାର ବିଜୟୀ ଘୋଷଣା କରିଥିଲେ । ପରେ ଗୃହରେ ଅର୍ଥ ବିଲ୍ ଓ ବ୍ୟୟ ମଞ୍ଜୁରୀ ବିଲ୍ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା । କିନ୍ତୁ ଅବଶିଷ୍ଟ ୮ମାସ ପାଇଁ ବଜେଟ ଆଗତ କରିବା ବଦଳରେ ୟେଦିୟୁରପ୍ପା ସରକାର ୩ ମାସ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆଣିଥିବାରୁ ତାକୁ ବିରୋଧୀ ଦଳର ସଦସ୍ୟମାନେ ସମାଲୋଚନା କରିଥିଲେ । ଆସ୍ଥା ଭୋଟ ଜିତିବା ପରେ ୟେଦିୟୁରପ୍ପା ରାଜ୍ୟର ସମସ୍ତ ବୋର୍ଡ ଓ କର୍ପୋରେସନର କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି । ପରବର୍ତ୍ତୀ ଆଦେଶ ମିଳିବା ପର୍ଯ୍ୟନ୍ତ ବିଭାଗୀୟ ସଚିବମାନେ ଏହାର ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି । ଆସନ୍ତାକାଲି ନୂଆ ବାଚସ୍ପତି ନିର୍ବାଚନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ବିଜେପି ବିଧାୟକ କେ.ଜି. ବୋପାୟା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ପୂର୍ବରୁ ମଧ୍ୟ ସେ ବାଚସ୍ପତି ରହିଥିଲେ ।
ବିଧାନସଭାରେ ଆଜିର କାର୍ଯ୍ୟ ଶେଷ ହେବା ପରେ ବାଚସ୍ପତି ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ପଦରୁ ସେ ଅବ୍ୟାହତି ନେବାକୁ ଚାହୁଁଥିବା ଦର୍ଶାଇ ଉପବାଚସ୍ପତି କ୍ରିଷ୍ଣା ରେଡ୍ଡିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । କହିଥିଲେ ଗତ ୧୪ମାସ ଏହି ପଦବୀରେ ରହିବା ଭିତରେ ସେ ନିଜର ବିବେକ ତଥା ସମ୍ବିଧାନ ଅନୁସାରେ କାର୍ଯ୍ୟ କରିଛନ୍ତି । ବାଚସ୍ପତି ପଦର ମର୍ଯ୍ୟାଦା ରକ୍ଷା କରିବା ଲାଗି ସେ ଯଥାସମ୍ଭବ ପ୍ରୟାସ ମଧ୍ୟ କରିଛନ୍ତି । ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ଦଳବଦଳ ନିରୋଧ ଆଇନ, ଲୋକ ପ୍ରତିନିଧି ଆଇନ ଓ ଲୋକାୟୁକ୍ତ ଆଇନରେ ରହିଥିବା ଗଳାବାଟକୁ ବନ୍ଦ କରିବାକୁ ପଡିବ ବୋଲି ବାଚସ୍ପତି କହିଥିଲେ । ସରକାର ଗଠନ କରିବା ପରେ ବାଚସ୍ପତିଙ୍କ ବିରୋଧରେ ଶାସକ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଥିଲା । ହେଲେ ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ବିଧାନସଭାରେ ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ୧୪ ମାସର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ପତନ ଘଟିଥିଲା । ଫଳରେ ଗତ ଶୁକ୍ରବାର ରାଜ୍ୟରେ ବିଜେପି ସରକାର ଗଠନ ହେବା ସହ ୟେଦିୟୁରପ୍ପା ଚତୁର୍ଥଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଅନ୍ୟପକ୍ଷରେ ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଆଜି ଦୁଇଜଣ ବିଧାୟକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ହେଲେ ଅଯୋଗ୍ୟ ଘୋଷିତ କଂଗ୍ରେସ ବିଧାୟକ ରମେଶ ଜରକିହୋଲି ଓ ମହେଶ କୁମାଥଲି । ସେମାନେ ପିଟିସନରେ ଦର୍ଶାଇଛନ୍ତି ଯେ ସେମାନଙ୍କ ବିରୋଧରେ ବାଚସ୍ପତି ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ବେଆଇନ, ଅଗଣତାନ୍ତ୍ରିକ ଏବଂ ଏକତରଫା । ଗତ ଏପ୍ରିଲରେ ସେ ଡକ୍ଟର ଉମେଶ ଯାଦବଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କ ବିରୋଧରେ ଅଯୋଗ୍ୟ ଘେଷଣା ଆବେଦନ ଆସିଥିବାରୁ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନଥିଲା । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ଠିକ୍ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons