ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୪ ଜଣ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କ ଇସ୍ତଫା ପରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଏବେ ବି ଜାରି ରହିଛି । ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ମନାଇ ପୁଣି ସେମାନଙ୍କୁ ଦଳକୁ ଫେରାଇ ଆଣିବା ଲାଗି ଉଭୟ ଦଳ ପକ୍ଷରୁ ପ୍ରୟାସ କରାଯାଉଛି । ସେପଟେ ସରକାର ଗଢ଼ିବାକୁ ବିଜେପି ସଜବାଜ ହେଉଛି । ଏଭଳି ସମୟରେ ଆଜି ଜେଡିଏସ୍ ମୁଖ୍ୟ ଏଚ୍ଡି ଦେବେଗୌଡା ରାଜ୍ୟରେ ଦେଖାଦେଇଥିବା ସଙ୍କଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମୈୟାଙ୍କୁ ଦାୟୀ କରିଛନ୍ତି ।
ଅପରପକ୍ଷରେ ଏହି ସଙ୍କଟରୁ ରାଜନୈତିକ ଫାଇଦା ଉଠାଇ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଲାଣି ବିଜେପି । କଂଗ୍ରେସ- ଜେଡିଏସ୍ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତି ଉପରେ କଡ଼ା ନଜର ରଖିଛି ବିଜେପି । ମୌକା ମିଳିଲେ ବିଜେପି ମଧ୍ୟ ସରକାର ଗଢ଼ିବାକୁ ପ୍ରସ୍ତୁତ ବୋଲି ଦୃଢ଼ ସ୍ୱରରେ କହି ସାରିଲେଣି ରାଜ୍ୟ ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପା । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ତ ଯୋଗୀ ସନ୍ନ୍ୟାସୀ ନୁହଁ ଯେ ନିର୍ବିକାର ହୋଇଯିବୁ, ସବୁ ଦେଖି ଚୁପ୍ ବସିବୁ । ସଙ୍କଟ ଜାରି ରହିଲେ ଆମେ ବି ସୁଯୋଗକୁ ଅପେକ୍ଷା କରିଛୁ, ସରକାର ଗଢ଼ିବୁ । ବିଜେପି ଏକ ଜାତୀୟ ଦଳ । କେବଳ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ତା’ପରେ ଦଳର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ।
ଇସ୍ତଫା ଦେଇଥିବା ୧୪ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଏବେ ମୁମ୍ବାଇର ଏକ ଘରୋଇ ହୋଟେଲରେ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୮ ଓ ଜେଡିଏସ୍ର ୩ । ସେମାନେ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । କେବଳ ବିଜେପି ହାଇକମାଣ୍ଡଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି । ସେହି ବିଧାୟକଙ୍କୁ ଏକାଠି କରି ରଖିବା ଲାଗି ବିଜେପି କେନ୍ଦ୍ରୀୟ ନେତୃତ୍ୱ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମହାରାଷ୍ଟ୍ର ପଠାଇଥିବା ଜଣାପଡିଛି । ଗୋୟଲ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା । ତାଙ୍କ ସହିତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅରବିନ୍ଦ ଲିମ୍ବାଭାଲିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିଜେପିର ମାଲେଶ୍ୱରମ ବିଧାୟକ ଡକ୍ଟର ସି.ଏନ୍. ଅଶ୍ୱଥନାରାୟଣଙ୍କୁ ସେହି ବିଦ୍ରୋହୀ ବିଧାୟକଙ୍କ ସହ ଦେଖିବାକୁ ମିଳିଥିଲା । ତେଣୁ ୟେଦୁରାପ୍ପାଙ୍କ ଦୃଢ଼ୋକ୍ତି ପଛରେ କିଛି କାରଣ ବି ରହିଛି ।
ବେଙ୍ଗାଲୁରୁ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବେଗୌଡା କହିଛନ୍ତି ଯେ ଯେଉଁ ୧୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି ସେମାନେ ସମସ୍ତେ ହେଉଛନ୍ତି ସିଦ୍ଦରମୈୟାଙ୍କ ସମର୍ଥକ । ରାଜ୍ୟରେ ଯେଉଁ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ତାହା ପଛରେ ସିଦ୍ଦରମୈୟାଙ୍କ ହାତ ରହିଛି । ବିଦ୍ରୋହୀ ବିଧାୟକମାନେ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । କିନ୍ତୁ ସିଦ୍ଦରମୈୟାଙ୍କୁ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବାକୁ ସେ ଦେବେ ନାହିଁ । ଯଦି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ପ୍ରସ୍ତାବ ଦିଏ ତେବେ ଜେଡିଏସ୍ ସରକାରରୁ ଓହରିଯିବେ ବୋଲି ଦେବେଗୌଡା ସ୍ପଷ୍ଟ କରିଦେଇଛନ୍ତି ।
ରାଜ୍ୟ କଂଗ୍ରେସ ପ୍ରଭାରୀ କେ.ସି ବେଣୁଗୋପାଳ ଆଜି ଦଳର ବରିଷ୍ଠ ନେତା ମଲିକାର୍ଜୁନ ଖରଗେ, ବି.କେ. ହରିପ୍ରସାଦ ଓ ଅନ୍ୟ ନେତାମାନଙ୍କ ସହ କର୍ଣ୍ଣାଟକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ସରକାର ବତ୍ତାଇବାକୁ ଓ ବିଦ୍ରୋହୀ ବିଧାୟକଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ପକ୍ଷରୁ ଖରଗେଙ୍କୁ ବିକଳ୍ପ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହୋଇଛି । କିନ୍ତୁ କଂଗ୍ରେସର ବରିଷ୍ଠ ନେତାମାନେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଦଳର ସଙ୍କଟ ମୋଚକ ଡି.କେ ଶିବକୁମାର ଆଜି ଦେବେଗୌଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଉଭୟଙ୍କ ଭିତରେ ଆଲୋଚନା କାଳରେ ଦେବେଗୌଡା ସଫାସଫା କହିଦେଇଛନ୍ତି କି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେଲେ ତାଙ୍କ ଦଳ ସମର୍ଥନ କରିବ ନାହିଁ । କିନ୍ତୁ ବୁଝାମଣା ଫର୍ମୁଲା ଅନୁସାରେ ଖରଗେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜେଡିଏସ୍ ତାଙ୍କୁ ସମର୍ଥନ ଦେବା ନେଇ ବିଚାର କରିବ ବୋଲି ସେ କହିଛନ୍ତି । କିନ୍ତୁ ଖରଗେଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ସିଦ୍ଦରମୈୟାଙ୍କ ସମର୍ଥକମାନେ ଆଦୌ ସମର୍ଥନ କରିବେ ନାହିଁ ।
ଇତିମଧ୍ୟରେ ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁ ଫେରିଆସିଛନ୍ତି । ସେ ତାଜ ୱେଷ୍ଟ ଏଣ୍ଡ ହୋଟେଲରେ ଜେଡିଏସ୍ର ୩୪ ବିଧାୟକଙ୍କୁ ନେଇ ବୈଠକ କରିଛନ୍ତି । ସେହିଭଳି କଂଗ୍ରେସ ପକ୍ଷରୁ ଆସନ୍ତା ୯ ତାରିଖରେ ବିଧାୟକ ଦଳ ବୈଠକ ଡକାଯାଇଛି । ସିଦ୍ଦରମୈୟା ଏହି ବୈଠକ ଡାକିଛନ୍ତି ଏବଂ ଏଥିରେ ଯୋଗଦେବାକୁ ସବୁ ବିଧାୟକଙ୍କୁ ସର୍କୁଲାର ଜାରି କରାଯାଇଛି । ବୈଠକରେ କର୍ଣ୍ଣାଟକ ପ୍ରଭାରୀ କେ.ସି. ବେଣୁଗୋପାଳ ଓ ପିସିସି ସଭାପତି ଦିନେଶ ଗୁଣ୍ଡୁରାଓ ଉପସ୍ଥିତ ରହିବେ । ଏଥିରେ ଯେଉଁ ବିଧାୟକମାନେ ଯୋଗ ନ ନଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ ସିଦ୍ଦରମୈୟା ଓ ଦେବେଗୌଡା ପରିବାର ମଧ୍ୟରେ ବିବାଦ ୨୦୦୫ ମସିହାରୁ ଲାଗି ରହିଛି । ସେତେବେଳେ ସିଦ୍ଦରମୈୟା ଜେଡିଏସ୍ରେ ଥିଲେ । କିନ୍ତୁ ଦେବେଗୌଡା ଓ କୁମାରସ୍ୱାମୀଙ୍କ ସହ ତାଙ୍କର ମତାନ୍ତରହେବାରୁ ଦଳ ଛାଡି ସେ କଂଗ୍ରେସରେ ସାମିଲ ହୋଇଥିଲେ । ତେଣୁ ଗତବର୍ଷ ମେ’ରେ ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର ଗଠନ ହେବା ପରେ ସେ ଏହାକୁ ଭାଙ୍ଗିବା ଲାଗି ପ୍ରତିଜ୍ଞା କରିଥିଲେ ।
Comments are closed, but trackbacks and pingbacks are open.