କର୍ଣ୍ଣେଲ ସୋମନାଥଙ୍କୁ ଆଜୀବନ କାରାଦଣ୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ଚର୍ଚ୍ଚିତ ଉଷାଶ୍ରୀଙ୍କ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଏହି ଜଘନ୍ୟ ହତ୍ୟା ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଜଜ୍ ଲୋକନାଥ ମହାପାତ୍ର ଅଭିଯୁକ୍ତ ଅବସରରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଛନ୍ତି । ତା’ସହ ୬୦ ହଜାର ଟଙ୍କା ଜରିମାନା ଦେବାପାଇଁ ବିଚାରପତି ନିଦେ୍ର୍ଧଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବେ ହେବ ବୋଲି ବିଚାରପତି ତାଙ୍କ ରାୟରେ ଜଣାଇଛନ୍ତି । ସୋମନାଥଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ୨୪ ଜଣ ସାକ୍ଷୀ ଓ ୧୦୦ରୁ ଅଧିକ କାଗଜ ପତ୍ର ତଦନ୍ତକାରୀ ଅଫିସର ଦାଖଲ କରିଥିଲେ ।
ସମସ୍ତ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦାଖଲ ପରେ ବିଚାରପତି ସ୍ପଷ୍ଟ ହୋଇଥିଲେ ସୋମନାଥ ତାଙ୍କ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରି ୩ ଶହ ଖଣ୍ଡ କରିଥିଲେ । ସବୁ ଦିଗରୁ ସ୍ପଷ୍ଟ ହେବା ପରେ ବିଚାରପତି ସୋମନାଥକୁ କହିଥିଲେ, ତୁମ ବିରୋଧରେ ସବୁ ପ୍ରମାଣ ଯାଉଛି । ତୁମେ କ’ଣ କହିବାକୁ ଚାହୁଁଛ । ସୋମନାଥ କହିଥିଲେ, ମୁଁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ମୋତେ ପ୍ରାୟ ୮୦ ବର୍ଷ ହେଲାଣି । ମୋ ଜୀବନ କାଳ ଭିତରେ କେବେ ଲାଞ୍ଚ ନେଇ ନାହିଁ । ଅନେକ ଦିନ ହେବ ଜେଲ୍ରେ ରହିଲିଣି । ମୋ ଦଣ୍ଡ କୋହଳ କରାଯାଉ । ହେଲେ ବିଚାରପତି ଏ କଥାକୁ ଅଗ୍ରାହ୍ୟ କରି ସୋମନାଥଙ୍କୁ ଅଜୀବନ କାରା ଦଣ୍ଡାଦେଶ ଶୁଣାଇଥିଲେ ।
ମାମଲାରୁ ପ୍ରକାଶ, ନୂଆପଲ୍ଲୀ ଥାନା ଏନ୍-୧ ପ୍ଲଟ୍ ନମ୍ବର ଏ/୧୧ରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ମୂଳ ବାସିନ୍ଦା କର୍ଣ୍ଣେଲ ସୋମନାଥଙ୍କ ଘର । ତାଙ୍କର ଗୋଟିଏ ପୁଅ ଲଳିତ ଓ ଗୋଟିଏ ଝିଅ ଲେଖା (ବିବାହିତ) । ଲଳିତ ସାଉଦିଆରବରେ ଓ ଲେଖା ଦୁବାଇରେ ରହୁଥିଲେ । ସୋମନାଥ ଓ ତାଙ୍କ ପତ୍ନୀ ଉଷାଶ୍ରୀ ନୂଆପଲ୍ଲୀ ଘରେ ରହୁଥିଲେ । ଝିଅପୁଅ ୨/୩ ବର୍ଷରେ ଘରକୁ ଆସନ୍ତି । ବେଳେବେଳେ ଫୋନ୍ରେ କଥା ହୁଅନ୍ତି ।
୨୦୧୩ ଜୁନ୍ ୩ ତାରିଖରେ ସୋମନାଥ ପତ୍ନୀ ଉଷଶ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଉଷାଶ୍ରୀଙ୍କ ମୃତଦେହକୁ ୩୦୦ ଖଣ୍ଡ କରିଥିଲେ । ସେ ସବୁ ଖଣ୍ଡକୁ ଟିଫିନ୍ ବକ୍ସରେ କେମିକାଲ୍ ଦେଇ ରଖିଥିଲେ । ମୃତ ଦେହର ଗନ୍ଧ ଯେମିତି ବାହାରକୁ ନ ଯାଏ ତାହାର ସବୁ ପ୍ରକାର ଯୋଜନା କରିଥିଲେ ସୋମନାଥ । ସେଥିପାଇଁ ସବୁବେଳେ ସେ ଘର କବାଟ ଓ ଝରକା ବନ୍ଦ କରି ରଖୁଥିଲେ । ଉଷାଶ୍ରୀଙ୍କ ମୃତୁ୍ୟର ଦୁଇ ଦିନ ପରେ ଝିଅ ଲେଖା ମା’ଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ । ଫୋନ୍ ଉଠାଇଥିଲେ ସୋମନାଥ । କହିଥିଲେ ମା’ ବ୍ୟସ୍ତ ଅଛି ତୁ ପରେ ଫୋନ୍ କର । ଏମିତି ୧୫ ଦିନ ଚାଲି ଯାଇଥିଲା । ମା’ ସହ କଥା ନ ହୋଇପାରି ଲେଖା ଘଟଣା ବିଷୟରେ ଫୋନ୍ କରି ଲଳିତଙ୍କୁ ଜଣାଇଥିଲେ । ଲଳିତ ମଧ୍ୟ ତାଙ୍କ ମା’ଙ୍କୁ ଫୋନ୍ କରିଥିଲେ । ସୋମନାଥ ପୁଅକୁ ସମାନ ଉତ୍ତର ଦେଇଥିଲେ । ଏହାପରେ ଲେଖା ଭାବିଥିଲେ କିଛି ଅସୁବିଧା ହୋଇଛି । ଘଟଣା ସମ୍ପର୍କରେ ଖାଳବେଳନଗରରେ ରହୁଥିବା ତାଙ୍କ ମାମୁ ଗୌତମ ସାମଲଙ୍କୁ ଜଣାଇଥିଲେ । ଲେଖା ତାଙ୍କ ମାମୁଁଙ୍କୁ ଫୋନ୍ କରି କହିଥିଲେ ମା’ଙ୍କ ସହ ଗତ ୧୫ ଦିନ ହେବ କଥା ହୋଇ ନାହୁଁ । ତାଙ୍କ ଫୋନ୍ ବାପା ଉଠାଉଛନ୍ତି । କହୁଛନ୍ତି ମା’ ମୌନବ୍ରତ କରିଛନ୍ତି । ଏହା ଶୁଣି ୨୦୧୩ ଜୁନ୍ ୨୧ ତାରିଖ ସନ୍ଧ୍ୟାରେ ଏନ୍-୧ ପ୍ଲଟ୍ ନମ୍ବର ଏ/୧୧ରେ ପହଞ୍ଚିଥିଲେ ଲେଖାଙ୍କ ମାମୁ ଗୌତମ ଓ ତାଙ୍କ ପୁଅ ରଞ୍ଜନ । କଲିଂ ବେଲ୍ ମାରିଥିଲେ । ହେଲେ ସୋମନାଥ ଖୋଲି ନଥିଲେ । ବିଭିନ୍ନ ବାହାନା ଦେଖାଇଥିଲେ । ଏମାନେ ଜବରଦସ୍ତି କରିବାକୁ ସୋମନାଥ ତାଙ୍କୁ ଧମକ ଦେଇଥିଲେ । ଏହାପରେ ଗୌତମ ନୂଆପଲ୍ଲୀ ଥାନା ଆଇଆଇସି ବୁଟୁ କାନୁନଗୋଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ଆଇଆଇସି ଶ୍ରୀ କାନୁନଗୋ ଉକ୍ତ ଘରକୁ ଯାଇ ସେଠାରେ ଚଢ଼ଉ କରିଥିଲେ । ଏହି ସମୟରେ ବେଡ୍ ରୁମ୍ରୁ ଏକ ବଡ଼ ବାକ୍ସ ପାଇଥିଲେ । ଉକ୍ତ ବାକ୍ସ ଭିତରେ ଥିଲା ୨୨ ଟି ଟିଫିନ୍ । ଆଉ ବାଥ୍ ରୁମ୍ ଭିତରେ ଏକ କରତ, ଛୁରି ଓ ଅତ୍ୟାଧୁନିକ ଅସ୍ତ୍ର ଥିଲା । ୨୨ ଟି ଟିଫିନ୍ ଭିତରେ ଥିଲା ୩ ଶହ ଖଣ୍ଡ ମାଂସ ଟୁକୁରା ।
ସୋମନାଥଙ୍କ ବିରୋଧରେ ଗୌତମ ଥାନାରେ ଲିଖତ ଅଭିଯୋଗ କରିଥିଲେ । ନୂଆପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ କରି ଆଇପିସିର ଧାରା ୩୦୨, ୨୦୧ ଦଫାରେ ଅଭିଯୁକ୍ତ ସୋମନାଥଙ୍କୁ ଗିରଫ କରି ଜେଲ ପଠାଇଥିଲା । ୨୦୧୩ ଅକ୍ଟୋବର ୧୭ରେ ପୁଲିସ ପକ୍ଷରୁ କୋର୍ଟରେ ୭୦ ପୃÂାର ଚାର୍ଜସିଟ୍ ଦାଖଲ କରା ଯାଇଥିଲା । ଏହି ମାମଲାରେ ପ୍ରଥମେ ଆଇଓ ଥିଲେ ବିଷ୍ଣୁ ମିଶ୍ର । ପୁଲିସ୍ ସମସ୍ତ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରିଥିଲା । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରରେ ସୋମନାଥଙ୍କ ଅଙ୍ଗୁଳି ଛାପ, ଖଣ୍ଡ ଖଣ୍ଡ ମାଂସର ଡିଏନ୍ଏ, ସିଡିଆର ସହ ୨୪ ଜଣ ସାକ୍ଷୀ ବିଚାରପତିଙ୍କ ନିକଟରେ ଉପସ୍ଥାପନା କରିଥିଲେ ତଦନ୍ତକାରୀ ଅଫିସର । ଏମିତିକି ସୋମନାଥଙ୍କ ପୁଅ ଓ ଝିଅ ମଧ୍ୟ ବାପାଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ । ସମସ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଜଜ୍ ତାଙ୍କୁ ଆଜୀବନ ସଜା ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons