କଲରାପତରିଆ ବାଘ ଚମଡ଼ା, ବାଇକ୍ ଜବତ

Get real time updates directly on you device, subscribe now.

ବିଶୋଇ,(ବି.ବି.ନୁ୍ୟଜ୍): ମଣଦା ବନାଞ୍ଚଳ ଅନ୍ତର୍ଗତ ଖେଜୁରୀକଟାସ ଗାଁରେ ଆଜି ବନ କର୍ମଚାରୀ ଚଢ଼ଉ କରି ଏକ କଲରାପତରିଆ ବାଘ ଚମଡ଼ା ଜବତ କରିଛନ୍ତି । ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କର୍ମଚାରୀମାନେ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଲକ୍ଷ୍ମଣ ନାଏକ । ଘର ବିଶୋଇ ଥାନା ଅନ୍ତର୍ଗତ ବଡ଼ବାଲିଚୁଆ ଗାଁରେ । ଏହି ରାକେଟ୍ରେ ସମ୍ପୃକ୍ତ ଅନ୍ୟ ୩ ଜଣ ବନ କର୍ମଚାରୀଙ୍କୁ ଦେଖି ନିକଟସ୍ଥ ଜଙ୍ଗଲ ଭିତରକୁ ଫେରାର୍ ମାରିଛନ୍ତି । ଗିରଫ ଅଭିଯୁକ୍ତଠାରୁ ଏକ କଳା ପଲସର୍ ବାଇକ୍ ଜବତ କରାଯାଇଛି ।
ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ଅରୁଣ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ସାଢେ଼ ୧୦ଟା ବେଳେ ଏହି ଚଢ଼ଉ କରାଯାଇଥିଲା । କଲରାପତରିଆ ବାଘଚମଡ଼ା ନେବା ପାଇଁ ବ୍ୟବସାୟୀ ମୂଲଚାଲ କରୁଥିବାବେଳେ ବନ କର୍ମଚାରୀ କୌଶଳକ୍ରମେ ଅତର୍କିତ ଭାବେ ଚଢ଼ଉ କରି ଲକ୍ଷ୍ମଣକୁ ମାଡ଼ି ବସିଥିଲେ । ଚଢ଼ଉ ବେଳେ ଏହି ବ୍ୟବସାୟୀ ସହ ସମ୍ପୃକ୍ତ ଆଉ ୩ ଜଣ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଛନ୍ତି । ଉକ୍ତ ସ୍ଥାନରୁ ୧୫୩ ସେମି ଲମ୍ବ ଓ ୩୧ ସେମି ଓସାରର ଏକ କଲରାବତରିଆ ବାଘ ଚମଡ଼ା ଜବତ ହୋଇଥିଲା । ଏହାସହ ଅଭିଯୁକ୍ତଠାରୁ ପଲସର୍ ବାଇକ୍ ମଧ୍ୟ ଜବତ ହୋଇଛି ।
ଏହି ଚଢ଼ଉରେ ରାଇରଙ୍ଗପୁର ଉପଖଣ୍ଡ ବନବିଭାଗର ଡିଏଫ୍ଓ ଅରୁଣ କୁମାର ମିଶ୍ରଙ୍କ ବ୍ୟତୀତ ଏସିଏଫ୍ ନବୀନ ନାଏକ, ବୈଦ୍ୟନାଥ ମାଝୀଙ୍କ ସମେତ ରାଇରଙ୍ଗପୁର ବନଖଣ୍ଡ କର୍ମଚାରୀ ଓ ମଣଦା ରେଞ୍ଜର କର୍ମଚାରୀ ସାମିଲ ହୋଇଥିଲେ । ଗିରଫ ଅଭିଯୁକ୍ତ ଲକ୍ଷ୍ମଣ ଓ ବାଘ ଚମଡ଼ାକୁ ରାଇରଙ୍ଗପୁର ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଲକ୍ଷ୍ମଣ ନାଏକକୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫେରାର ହୋଇଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ରାଇରଙ୍ଗପୁର ଡିଏଫ୍ଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons