କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଚଢଉ:ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): କଳିଙ୍ଗ ହସ୍ପିଟାଲରେ ବେଆଇନ୍ ଲିଙ୍ଗ ନିରୂପଣ ହେଉଛି । ଆଜି ସ୍ୱାସ୍ଥ୍ୟ ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଚଢଉ ବେଳେ ଏମିତି ତଥ୍ୟ ମିଳିଛି । ବର୍ଷ ବର୍ଷ ହେଲା ହସ୍ପିଟାଲରେ ବେଆଇନ୍ କାମ ଚାଲୁଥିବା କାଗଜପତ୍ର ଯାଞ୍ଚ ବେଳେ ଜାଣି ପାରିଥିଲା ଟିମ୍ । ଏହାପରେ ଟିମ୍ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନ୍କୁ ସିଲ୍ କରିଦେଇଛି ।
ଆଜି ଦ୍ୱିପ୍ରହରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପିସି ପିଏନ୍ଡିଟି ସେଲ୍ ପକ୍ଷରୁ ମିଳିତ ଭାବେ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ ଉପରେ ଚଢଉ କରାଯାଇଥିଲା । ଚଢଉ ସମୟରେ ଡାକ୍ତରଖାନାରେ ପିସିପିଏନ୍ଡିଟି ଆଇନ୍ କିଭଳି କାର୍ଯ୍ୟକାରୀ ହେଉଛି, ଏହାର ଟିକିନିଖି ଯାଞ୍ଚ କରିଥିଲା ଟିମ୍ । ଅଲଟ୍ରାସାଉଣ୍ଡ କରୁଥିବା ପ୍ରସୂତିମାନଙ୍କର ରେକର୍ଡପତ୍ର ଠିକଣା ଭାବେ ମିଳି ନଥିଲା । ପ୍ରସୂତିଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ “ଏଫ୍’ ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତା ମୂଳକ ରହିଛି । ହେଲେ ଅନେକ ଫର୍ମରେ ଡାକ୍ତରଙ୍କ ଦସ୍ତଖତ ନଥିବା ଯାଞ୍ଚ ଅଧିକାରୀମାନେ ପାଇଥିଲେ । ଏଥିଯୋଗୁଁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଯାଞ୍ଚ ଅଧିକାରୀଙ୍କ ସନ୍ଦେହଜାତ ହୋଇଥିଲା ।
ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ଆଜି ସିଲ୍ କରାଯାଇଛି । ପୂର୍ବରୁ ଖୋରଧା ଜିଲ୍ଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ୍କୁ ସିଲ୍ କରିଥିଲେ । ଆଜି ଦୁଇଟି ମେସିନ୍ ସିଲ୍ ସହିତ ଆଇନ୍ ଉଲ୍ଲଙ୍ଘନ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ପୁରନ୍ଦର ନନ୍ଦ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୋଦ ବିହାରୀ ରଥ ଓ ପିସି ପିଏନ୍ଡିଟି ସେଲ୍ ଆଇନ୍ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢଉରେ ଅଂଶଗ୍ରହଣ କରିଥିଲେ ।
ଗତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତର ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲ ଉପରେ ଅଚାନକ ଚଢଉ କରାଯାଇଥିଲା । ଔଷଧ ଗୁଡିକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାକୁ ଜବତ କରାଯିବା ସହିତ ପରୀକ୍ଷାପାଇଁ ପଠାଯାଇଛି । ପରୀକ୍ଷା ନମୁନା ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି । ଏହା ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ ରିପୋର୍ଟ ଆସିବାପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସ୍ଟିଏଫ୍ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons