କାଠପୋଲକୁ ବାନ୍ଧିରଖିଲେ ଗ୍ରାମବାସୀ

Get real time updates directly on you device, subscribe now.

ଦଶମନ୍ତପୁର: ନଈର ପ୍ରଖର ସ୍ରୋତରେ ଭାସିଯାଉଥିବା ଅସ୍ଥାୟୀ କାଠପୋଲକୁ ରଶିରେ ବାନ୍ଧିରଖିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ୍ ଗିର୍ଲିଗୁମ୍ମା ପଞ୍ଚାୟତ ଫୁଣ୍ଡାଗୁଡା ଗାଁ ନିକଟ ପୋଢ଼ନଦୀ ଉପରେ । ନଦୀ ଆରପାରିରେ ରହିଛି ୪ ଖଣ୍ଡ ଗାଁ । ନଦୀରେ ପୋଲ ନଥିବାରୁ ବର୍ଷର ୮ ମାସ ଧରି ଲୋକେ ଅସ୍ଥାୟୀ କାଠପୋଲ ଦେଇ ଯାତାୟାତ କରୁଛନ୍ତି । ପ୍ରତିବର୍ଷ ବର୍ଷାଦିନରେ ଅସ୍ଥାୟୀ କାଠପୋଲ ଭାସିଯାଉଥିବାରୁ ଆରପାରିରେ ଥିବା ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି । ପାଣି କମିଗଲେ କାଠପୋଲକୁ ମରାମତି କରି ପୁଣି ଥରେ କାର୍ଯ୍ୟରେ ଲଗାଯିବ ବୋଲି ଗ୍ରାମବାସୀ କହିଛନ୍ତି । ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣରେ ଘୂର୍ଣ୍ଣଝଡ଼ ସହ ବର୍ଷା ହୋଇଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ପାହାଡିÿ ନଈ ଫୁଲି ଉଠିଥିଲା । ଯାହାଫଳରେ ପୋଢ଼ନଦୀ ଉପରେ ଥିବା ଅସ୍ଥାୟୀ କାଠ ପୋଲ ଭାସିଯାଉଥିଲା । ଏହା ଦେଖି ଗାଁ ଲୋକେ ତାକୁ ଏକ ରଶିରେ ବାନ୍ଧି ରଖିବାକୁ ଉଦ୍ୟମ କରିଥିବା ଗାଁର ନରେନ୍ଦ୍ର ବିଶୋଇ, ପଦ୍ମନ ବିଶୋଇ, ଭକ୍ତ ବିଶୋଇ ପ୍ରମୁଖ କହିଛନ୍ତି । ଗ୍ରାମବାସୀ କହିଛନ୍ତି ଯେ, ନଦୀ ଆରପଟରେ ମୁଣ୍ଡାଗୁଡା, ଭଣ୍ଡିସିଲ୍, ଗୁମାଣ୍ଡି ଓ କାଳୀଆମ୍ବ ଗାଁ ରହିଛି । ଏସବୁ ଗାଁକୁ ଯାତାୟାତ ପାଇଁ ପ୍ରତିବନ୍ଧକ ସାଜିଛି ନଦୀ । ବାରମ୍ବାର ଅଭିଯୋଗ ପରେ ବି ଆଜିପର୍ଯ୍ୟନ୍ତ ନଦୀ ଉପରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ପୋଲଟିଏ ନିର୍ମାଣ କରାଯାଇନି । କୌଣସି ସୁଫଳ ନ ମିଳିବାରୁ ଗାଁ ଲୋକେ ନଦୀ ଉପରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରିଥିଲେ । କାଠପୋଲ ନିର୍ମାଣ ପରେ ପ୍ରତିଦିନ ଲୋକେ ଯାତାୟାତ କରୁଛନ୍ତି । ହାଟ, ବଜାରଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଗାଁ ଲୋକେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ହେଲେ ଏହା ଉପର ଦେଇ ଜରୁରି ସମୟରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ଆସିପାରୁନି । ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଗାଁ ଲୋକେ ଖଟିଆ ଭାରରେ ବୋହି ୫ରୁ ୭ କିମି ଦୂରରେ ଥିବା ମରିଚିଗୁଡ଼ା ଛକ ପର୍ଯ୍ୟନ୍ତ ନେଉଛନ୍ତି । ସେଠାରୁ ଗାଡି ଭଡ଼ା କରି ରୋଗୀଙ୍କୁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଥିବା ଗ୍ରାମବାସୀ କହିଛନ୍ତି । ଠିକ୍ ସମୟରେ ଚିକିତ୍ସା ସୁବିଧା ନପାଇ ବହୁ ଗର୍ଭବତୀ ନଦୀ କୂଳରେ ପ୍ରସବ କରିଥିବା ନଜୀର ରହିଛି । ଦୀର୍ଘବର୍ଷ ଧରି ଗ୍ରାମବାସୀ ଦୁର୍ଦ୍ଧଶା ଭୋଗୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ନଦେବା ବିଡ଼ମ୍ବନାର ବିଷୟ । ଆଗକୁ ବର୍ଷା ଦିନ । ପାହାଡ଼ି ନଈ ଫୁଲିଲେ ପୁଣିଥରେ ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ । ଗିର୍ଲିଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ଭତ୍ତା କିମ୍ବା ଟଙ୍କିକିଆ ଚାଉଳ ନେବା ଲାଗି ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ପୋଢନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons