କାଣ୍ଡିକିଗୁଡ଼ାରେ ଅଜଣା ରୋଗ ଆତଙ୍କ

Get real time updates directly on you device, subscribe now.

ବୈପାରିଗୁଡାÿ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତ କାଣ୍ଡିକିଗୁଡାରେ ଅଜଣା ରୋଗ ଆତଙ୍କ । ଅଜଣା ରୋଗରେ ଆଜି ଆଉ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ସିଡା ସାନ୍ତାଙ୍କ ପୁଅ ଈଶ୍ୱର ସାନ୍ତା(୩୦) । ଗତ ଦୁଇମାସ ମଧ୍ୟରେ ସିଡାଙ୍କ ତିନୋଟି ପୁଅ ସମେତ ଗାଁର ଅନ୍ୟ ଦୁଇଜଣ ଏଭଳି ୫ଜଣଙ୍କ ମୃତୁ୍ୟ ଘଟିଛି । ଆକ୍ରାନ୍ତମାନେ ହେଲେ ରାମଚନ୍ଦ୍ର ମାଝୀ, ରୁପୁଣା ସାନ୍ତା, ଡମୁ ସାନ୍ତା, ଲବ ସାନ୍ତା, ଦାନୀ ଖିଲ, ଚନ୍ଦ୍ର ଖିଲ, ରାମ ଖିଲ, ସୁବର୍ଣ୍ଣ ଗୋଲରୀ ଓ ଲଇଖନ ଖରା । ଆକ୍ରାନ୍ତଙ୍କ ଗୋଡ, ହାତ ଓ ମୁହ ଫୁଲି ଯିବା ସହ ସେମାନଙ୍କ ମୃତୁ୍ୟ ଘଟୁଛି । ସ୍ୱଳ୍ପଦିନ ବ୍ୟବଧାନରେ ଏତେସଂଖ୍ୟକ ଲୋକଙ୍କ ମୃତୁ୍ୟ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ମେଡିକାଲ ଟିମ୍ ଗାଁରେ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି ।
ବ୍ଲକ କାର୍ଯ୍ୟାଳୟରୁ ୩୨ କିମି ଦୂରରେ ରହିଛି କାଣ୍ଡିକିଗୁଡା ଗାଁ । ଏଠାରେ ୪୦ ଆଦିବାସୀ ପରିବାରର ପ୍ରାୟ ୨୦୦ ଲୋକ ବସବାସ କରୁଛନ୍ତି । ଗାଁରେ ଅଜଣାରୋଗରେ ଲୋକଙ୍କ ମୃତୁ୍ୟ ଘଟୁଥିବା ଖବର ମିଳିବା ପରେ ଆମ ପ୍ରତିନିଧି ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଗ୍ରାମବାସୀଙ୍କ କହିବାନୁସାରେ ଗତ ୨ ମାସ ହେଲା ଗାଁରେ ଅଜଣା ରୋଗ ଲାଗିରହିଛି । ଆକ୍ରାନ୍ତଙ୍କ ଗୋଡ, ହାତ ଓ ମୁହ ଫୁଲି ଯିବା ସହ ସେମାନଙ୍କ ମୃତୁ୍ୟ ଘଟୁଛି । ପ୍ରଥମେ ଗାଁର ସିଡା ସାନ୍ତାଙ୍କ ବଡ ପୁଅ ବୁଦ୍ରା ସାନ୍ତା ଓ ତାଙ୍କ ଦ୍ୱିତୀୟ ପୁଅ ନନ୍ଦ ସାନ୍ତାଙ୍କ ମୃତୁ୍ୟ ଘଟିଥିଲା । ଏହା ପରେ ସମାନ ଲକ୍ଷଣ ଦେଖାଦେଇ ଗାଁର ରଘୁ ଖିଲ ଓ କୃଷ୍ଣ ଗୋଲରୀଙ୍କ ମୃତୁ୍ୟ ଘଟିଥିଲା । ଆଜି ସିଡାଙ୍କ ତୃତୀୟ ପୁଅ ଈଶ୍ୱରଙ୍କ ମୃତୁ୍ୟ ଘଟିବା ପରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଏହି ରୋଗର ଲକ୍ଷଣ ଥିବା ଅନ୍ୟ ୯ଜଣ ବର୍ତ୍ତମାନ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଅଛନ୍ତି । ଆଜି ପର୍ଯ୍ୟନ୍ତ ସେମାନେ ଡାକ୍ତରଖାନାକୁ ଯାଇ ନାହାନ୍ତି କି ଡାକ୍ତରଙ୍କ ପରାମର୍ଶ ନେଇ ନଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷେ ଜିଲ୍ଲାରୁ କୌଣସି ଡାକ୍ତରୀ ଦଳ ମଧ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗାଁକୁ ଆସି ନଥିବା ଗ୍ରାମବାସୀ କହିଛନ୍ତି । ଏସମ୍ପର୍କରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ପଚାରିବାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ମକରନ୍ଦ ବେହେରାଙ୍କ ସହ ଆଲୋଚନା କରି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଖୁବଶୀଘ୍ର ଗାଁକୁ ପଠାଯିବ ବୋଲି କହିଛନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା.ବେହେରା ବୈପାରୀଗୁଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଅଧିରାଜ ସାହୁଙ୍କ ସହ କଥାହୋଇ ଏକ ଦଳକୁ ପଠାଇବା ବ୍ୟବସ୍ଥା କରିଥିବା କହିଛନ୍ତି । ଅନ୍ୟପକ୍ଷେ ଡାକ୍ତର ଅଧିରାଜ ସାହୁ ଜଣେ ଭ୍ରାମ୍ୟମାଣ ଡାକ୍ତର ଓ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଗାଁକୁ ପଠାଯାଇଥିବା ସୂଚନା ଦେବା ସହ ରିପୋର୍ଟ ଆସିଲେ ଜଣାଇବେ ବୋଲି କହିଛନ୍ତି । ଖବର ଲେଖା ପର୍ଯ୍ୟନ୍ତ ଅର୍ଥାତ ରାତି ୮ଟା ଯାଏଁ ଗାଁକୁ କେବଳ ଜଣେ ଏଏନ୍ଏମ୍ ଦିଦି ଯାଇଥିବା ଗ୍ରାମବାସୀ କହିଛନ୍ତି । ଦିଦିଜଣଙ୍କ ଆସି ମାସ୍କ ପରିଧାନ କରିବା ପାଇଁ ସଚେତନ କରି ଚାଲିଯାଇଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons