ଶେରଗଡ଼,(ବି.ବି.ନୁ୍ୟଜ): କାଦୁଅରେ ଫସି ଘଣ୍ଟା ଘଣ୍ଟା ଧରି ଛଟପଟ ହେଉଥିଲା ୩ ମାସର ହାତୀ ଛୁଆ । ତାକୁ ଘେରି ରହିଥିଲେ ଅନ୍ୟ ହାତୀମାନେ । ହାତୀମାନେ ଗର୍ଜନ କରିବା ସହ ଛୁଆ ହାତୀର ଚାରିପାଖେ ବୁଲୁଥିଲେ । କାଦୁଅରୁ ବାହାରିବାକୁ ଉଦ୍ୟମ କରୁଥିବା ଛୁଆ ହାତୀ ଶେଷରେ ଆଖି ବୁଜିଦେଲା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଲାଉଗାଁ ଗ୍ରାମରେ । ହାତୀ ଛୁଆର ମୃତଦେହ ବ୍ୟବଚ୍ଛେଦ ପରେ ଷଢଙ୍ଗୀପଲ୍ଲୀ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି । ଆସିକା ରେଞ୍ଜର ପ୍ରସନ୍ନ ସାହୁଙ୍କ ସୂଚନା ଅନୁଯାୟୀ, ୧୩ ଟିକିଆ ହାତୀପଲ ଚନ୍ଦକାରୁ ଆସିଥିବା ଅନୁମାନ କରାଯାଉଛି । ସେମାନଙ୍କ ମଧ୍ୟରେ ଏକ ୩ ମାସର ଅଣ୍ଡିରା ହାତୀ ଛୁଆ ରହିଥିଲା । ସୋମବାର ସନ୍ଧ୍ୟାରେ ହାତୀପଲ ଖିରିଡ଼ାରୁ କରଡ଼ାକଣା ପଞ୍ଚାୟତ ଆଡ଼କୁ ଯାଉଥିଲେ । ବାଟରେ ଧାନ ଫସଲ ଖାଇବା ସହ ନଷ୍ଟ କରୁଥିଲେ । ଲାଉଗୁଡ଼ା ନାଳ ଦେଇ ଯାଉଥିବା ସମୟରେ ସମସ୍ତ ହାତୀ ଚାଲି ପଳାଇଥିଲେ । ମାତ୍ର ହାତୀ ଛୁଆଟି କାଦୁଅରେ ପଡ଼ି ଆଉ ବାହାରି ପାରି ନଥିଲା । ହାତୀ ଛୁଆଟି ନବାହାରିବା ଦେଖି ଅନ୍ୟ ହାତୀମାନେ ତାକୁ ଘେରି ରହିଥିଲେ । ହାତୀ ଗର୍ଜନ ଶୁଣି ଲାଉଗୁଡ଼ା ଗ୍ରାମବାସୀ ଫସଲ ଜଗିବାକୁ ବାହାରିଥିଲେ । ମାତ୍ର ସେଠାରେ ହାତୀପଲ କାଦୁଅରେ ଫସିଥିବା ଛୁଆ ହାତୀକୁ ଘେରି ରହିଥିବା ଦେଖିଥିଲେ । ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ହାତୀ ଛୁଆ ବାହାରି ପାରି ନଥିଲା । କିଛି ସମୟ ପରେ ତାର ମୃତୁ୍ୟ ହୋଇ ଯାଇଥିଲା । ତଥାପି ହାତୀପଲ ହାତୀ ଛୁଆକୁ ଛାଡ଼ି ଯାଉ ନଥିଲେ ।
ଶେରଗଡ ଫରେଷ୍ଟର ଶୁଭଶ୍ରୀ ଶତପଥୀ, ଷଢଙ୍ଗୀପଲ୍ଲି ସାନ୍ତନୁ ନାୟକ, ଆସିକା ରେଞ୍ଜର ପ୍ରସନ୍ନ ସାହୁ, ଗାର୍ଡ ଲିଜୁ ସାହୁ ସମେତ ବହୁ ବନ କର୍ମଚାରୀ ବାଜା ବାଜଣା ସହ ହାତୀମାନଙ୍କୁ ଘଉଡାଇଥିଲେ । ପ୍ରାୟ ୩ ଘଣ୍ଟାର ଅପରେସନ ପରେ ହାତୀମାନଙ୍କୁ ଘଉଡାଇ ବ୍ରହ୍ମପୁର ରଢେଇଶ ଜଙ୍ଗଲକୁ ଛାଡ଼ିଥିଲେ । ପ୍ରାୟ ରାତ୍ରି ୧୨ଟା ବେଳେ ମୃତ ହାତୀ ଛୁଆକୁ ଏକ ମିନି ଟାଟା ଏସିରେ ଷଢଙ୍ଗୀପଲ୍ଲୀ ବନ କାର୍ଯ୍ୟାଳୟକୁ ଅଣାଯାଇଥିଲା । ମଙ୍ଗଳବାର ଦିନ ୧୧ଟାରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହେରା, ସହକାରୀ ବନସଂରକ୍ଷକ ସଙ୍କର୍ଷଣ ବେହେରା, ଶେରଗଡ ପଶୁଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଛି ।
Comments are closed, but trackbacks and pingbacks are open.