ଗୁଣପୁର,(ବି.ବି.ନୁ୍ୟଜ): ରମାଙ୍କ ପରେ ଚାଲିଗଲେ କାଶୀ । ଜୀବନରେ ଅନେକ ଯନ୍ତ୍ରଣା ସତ୍ତେ୍ୱ ଏକାଠି ରହୁଥିଲେ ଏହି ଦୁଇଭାଇ । ପ୍ରଥମେ ବଡ଼ଭାଇ କାଶୀଙ୍କ ମୃତ୍ୟ ହୋଇଥିଲା । ଆଜି ଆଖି ବୁଜିଦେଲେ ରମା । ତାଙ୍କ ମୃତୁ୍ୟ ଖବର ଶୁଣି କାନ୍ଦିବାକୁ ଆପଣାର ବୋଲି କେହି ନଥିଲେ । ତଥାପି ବହୁବର୍ଷ ଧରି ରମାଙ୍କୁ ବସ୍ତ୍ର ଓ ଖାଦ୍ୟ ଦେଇ ବଞ୍ଚାଇ ରଖିଥିବା ସ୍ଥାନୀୟ ବ୍ରାହ୍ମଣସାହି ବାସିନ୍ଦା ଆଜି ସାମିଲ ହୋଇଥିଲେ ତାଙ୍କ ଅନ୍ତିମ ଯାତ୍ରାରେ । ମାନବିକତାର ପରିଚୟ ଦେଇଥିଲେ । ଚାରିକାନ୍ଧ ଦେଇଥିଲେ । ସମ୍ମାନର ସହ ଶ୍ମଶାନ ନେଇ ଶବ ସକ୍ରାର କରିଥିଲେ । ସେମାନଙ୍କ ଏଭଳି କାର୍ଯ୍ୟକୁ ଆଜି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।
ରମା ଓ କାଶୀଙ୍କ ଜୀବନ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ । ପିଲାଟି ଦିନରୁ ଦୁଇ ଭାଇ ଥିଲେ ମାଆ ଛେଉଣ୍ଡ । ଦ୍ୱିତୀୟ ବିବାହ କରି ବାପା ଦେଖିଥିଲେ ନିଜ ରାସ୍ତା । ଖେଳିବୁଲିବା ବୟସରେ କାନ୍ଧରେ ପଡ଼ିଥିଲା ପେଟ ପୋଷିବାର ବୋଝ । ଜୀବନ ଆରମ୍ଭରୁ ପାଠପଢାରେ ଲାଗି ଯାଇଥିଲା ଡୋରି । ଠିକଣା ପାଲଟିଗଲା ରାଜରାସ୍ତା ଏବଂ ଦୋକାନ ବାରଣ୍ଡା । ପ୍ରତିଦିନ ପେଟ ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା ଦୁଇ ଭାଇଙ୍କୁ । ଦୁଃଖକଷ୍ଟ, ଯନ୍ତ୍ରଣା ଓ ଯାତନା ସେମାନଙ୍କ ଚିର ସହଚର ପାଲଟି ଯାଇଥିଲା । ଆନ୍ଧ୍ରରେ ଦୁଇ ଭାଇଙ୍କ ଏଭଳି ଅବସ୍ଥା ଦେଖି ବହୁବର୍ଷ ତଳେ ସେମାନଙ୍କ ମାମୁ ଗଙ୍ଗା ପାଣିଗ୍ରାହୀ ଉଭୟଙ୍କୁ ଏଠାକୁ ନେଇଆସିଥିଲେ । ସ୍ଥାନୀୟ ଏକ ହୋଟେଲରେ କାମରେ ଲଗାଇଥିଲେ । ସେମାନଙ୍କ ଦେଖାଶୁଣା ସେହି ମାମୁ ହିଁ କରୁଥିଲେ । ମାମୁଙ୍କ ପରିଚୟ କ୍ରମେ ଦୁଇଭାଇ ଗୁଣପୁରରେ ସବୁ ପୁରୁଷମାନଙ୍କୁ ମାମୁ ଓ ମହିଳାମାନଙ୍କୁ ମାଇଁ ଡାକି ଆସୁଥିଲେ । ହୋଟେଲରେ ହାଡଭଙ୍ଗା ପରିଶ୍ରମ କରୁଥିଲେ । ପାଣିବୁହାଠାରୁ ଟେବୁଲ ସଫା ଯାଏଁ, ସବୁକାମ କରୁଥିଲେ । କେବେ ଚୋରି କରିନଥିଲେ କି ମିଛ କହିନଥିଲେ । ଆବଶ୍ୟକ ପଡିଲେ ପରିଚିତ ଲୋକ ଦେଖି ହାତ ପତେଇ ମାଗୁଥିଲେ । ଦିନତମାମ କଷ୍ଟପଡିବା ପରେ ରାତିରେ ହୋଟେଲ ବାରଣ୍ଡା ହେଉ ଅବା ମନ୍ଦିର କିମ୍ବା ଦୋକାନ ବାରଣ୍ଡାରେ ଶୋଇ ପଡୁଥିଲେ । ହୋଟେଲ, ବଂଶଧାରା ନଦୀ ଏବଂ ବାରଣ୍ଡା । ଏହାରି ଭିତରେ କଟୁଥିଲା ସେମାନଙ୍କ ଦୁର୍ଦ୍ଧିନ ଜୀବନ ।
ପ୍ରଥମେ ବଡ଼ଭାଇ କାଶୀ ଶ୍ୱାସଜନିତ ରୋଗରେ ପୀଡିତ ହୋଇଥିଲେ । ବହୁଦିନ ପର୍ଯ୍ୟନ୍ତ ସାନଭାଇ ରମା କାଶୀଙ୍କର ଯେମିତି ସେବା କରିଥିଲେ, ତାହା ଏଯାଏଁ ଲୋକେ ମନେ ରଖିଛନ୍ତି । କିନ୍ତୁ ବଡଭାଇର ଦେହାନ୍ତ ପରେ ନିଃସଙ୍ଗ ଜୀବନ ବିତାଉଥିଲେ ରମା । ଦୁଃଖରେ ଭାଙ୍ଗିପଡ଼ିଥିଲେ । ପାଗଳ ପ୍ରାୟ ହୋଇଯାଇଥିଲେ । ଗତ କିଛିମାସ ହେଲା ବ୍ରାହ୍ମଣସାହି ପାଲଟିଥିଲା ତାଙ୍କ ଶେଷ ଠିକଣା । ଲକ୍ ଡାଉନ ସମୟରେ ସାହିର ଲୋକେ ତାଙ୍କୁ ଖାଇବାକୁ ଦେଉଥିଲେ । ସ୍ୱାଭିମାନୀ ଥିବାରୁ ରମାଙ୍କୁ କେବେ ସେମାନେ ଅସମ୍ମାନ କିମ୍ବା ଅଣଦେଖା କରୁନଥିଲେ । ଶନିବାର ରମାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଦିକ ବିଗିଡ଼ି ଯାଇଥିଲା । ସାହିର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ । ସେଠାରେ ଆଜି ଆଖି ବୁଜିଦେଇଥିଲେ ରମା । ଖବର ପାଇ ମାମୁପୁଅ ଭାଇ ବାବୁଲା ପାଣିଗ୍ରାହୀଙ୍କ ସମେତ ସାହିର ଟୁକୁ ପ୍ରଧାନୀ, ମୁନା ପଣ୍ଡା, ମିଲି ପାଢି, ବୁଢା ମିଶ୍ର, କାର୍ତ୍ତିକ ସାହୁ, ସୁରେନ୍ଦ୍ର ମିଶ୍ର, ସୁଦାମ ରଥ ପ୍ରମୁଖ ତାଙ୍କ ଅନ୍ତିିମ ଯାତ୍ରାରେ ସାମିଲ ହୋଇଥିଲେ । ଚାରିକାନ୍ଧ ଦେଇ ଶ୍ମଶାନ ନେଇଥିଲେ । କାଶୀ କି ରମା ଆଜି ନାହାନ୍ତି ସତ, ହେଲେ ସେମାନଙ୍କ ସଂଘର୍ଷମୟ ଜୀବନ, ପରିସ୍ପର ପ୍ରତି ଅଗାଢ ପ୍ରେମ ଏବଂ ସ୍ୱାଭିମାନୀ ଚିନ୍ତାଧାରାକୁ ଝୁରୁଛନ୍ତି ଏଠାକାର ଲୋକେ ।
Comments are closed, but trackbacks and pingbacks are open.