ଶ୍ରୀନଗର: କାର୍ଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କାଶ୍ମୀରର ଦ୍ରାସ ସେକ୍ଟରରେ ଥିବା ଯୁଦ୍ଧ ସ୍ମାରକୀରେ ୧୯୯୯ ‘ଅପରେସନ ବିଜୟ’ ବେଳେ ସହିଦ ହୋଇଥିବା ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦଙ୍କୁ ସମ୍ମାନ ଜଣାଇ ସେ ୧ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
କାର୍ଗିଲ ଯୁଦ୍ଧ ବେଳେ ସବୁଠାରୁ ଉଚ୍ଚତମ ଶୃଙ୍ଗ ତେଲୋଲିଙ୍ଗ ଓ ଟାଇଗର ହିଲ୍ରେ ଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ତଡିବା ଲାଗି ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ । ପରେ ଦ୍ରାସର ଯୁଦ୍ଧ ସ୍ମାରକୀ ପରିସରରେ ଥିବା ବୀରଭୂମି ଓ ସ୍ମାରକୀ କୂଟୀର ପରିଦର୍ଶନ କରିଥିଲେ । ଅପରେସନ ବିଜୟ ବେଳେ ଭାରତୀୟ ସେନା ଦ୍ରାସ, କାର୍ଗିଲ ଓ ବଟାଲିକ୍ ସେକ୍ଟରରେ କିଭଳି ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ମୁହଁତୋଡ ଜବାବ ଦେଇ ସେମାନଙ୍କୁ ତଡିଥିଲେ ସେହି ବିଷୟରେ ଉପସ୍ଥିତ ସେନା ଅଧିକାରୀମାନେ ରାଜନାଥଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ରାଜନାଥ ସେଠାରେ ମେମୋରି ଲେନ୍ ଉଦ୍ଘାଟନ କରିଥିଲେ । ଏହି ମେମୋରି ଲେନ୍ରେ ଭାରତ ଲଢ଼ିଥିବା କିଛି ଯୁଦ୍ଧ ବିଷୟରେ ତଥ୍ୟ ରହିଛି । ସେଠାରେ ସେ କିଛି ଯବାନଙ୍କ ସହ ଚା ପିଇଥିଲେ ଓ ସେମାନଙ୍କ ସହ ମତ ବିନିମୟ କରିଥିଲେ । ସେହିଭଳି ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ (ବିଆର୍ଓ) ଦ୍ୱାରା କାଠୁଆର ଉଜା ଓ ସାମ୍ବାର ବସନ୍ତରା ଠାରେ ନିର୍ମିତ ଦୁଇଟି ପୋଲକୁ ମଧ୍ୟ ରାଜନାଥ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜନାଥଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ସେନାମୁଖ୍ୟ ଜେନେରାଲ ବିପିନ ରାୱତ, ନର୍ଦ୍ଦର୍ଣ୍ଣ ସେନା କମାଣ୍ଡର ମୁଖ୍ୟ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ, ଫାୟାର ଆଣ୍ଡ ଫରି କର୍ପସର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ୱାଇ.କେ ଯୋଶୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.