କାର୍ଯ୍ୟକାରିଣୀରେ ବିଜେଡିର କଠୋର ସ୍ୱର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ସହ ଲଢେ଼ଇ ଏଣିକି ମୁହାଁମୁହିଁ । ରାଜ୍ୟର ବିକାଶରେ ଯିଏ ବାଧା ଦେବ, ଆମେ ଛାଡ଼ିବୁନି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାତନ୍ତ୍ର୍ୟକୁ ବିପନ୍ନ ହେବାକୁ ଦେବୁନି । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସହ କୌଣସି ପରିସ୍ଥିତିରେ ସାଲିସ୍ ହେବନି । ବିଜେଡି କାର୍ଯ୍ୟକାରିଣୀରେ ଆଜି କେନ୍ଦ୍ର ପ୍ରତି ଏମିତି କଠୋର ଆଭିମୁଖ୍ୟ ଦେଖାଇଛି ବିଜେଡି । ଖୋଲାଖୋଲି ଭାବେ ରାଜ୍ୟର ବିକାଶରେ କେନ୍ଦ୍ର ବାଟ ଓଗାଳୁଛି ବୋଲି ଦଳ ଅଭିଯୋଗ ଆଣିଛି । ମାତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାବାତ୍ୟାରୁ ମହାମାରୀ ଯାଏ ସବୁକିଛି ମୁକାବିଲାରେ ବିଜେଡି ସରକାର ସଫଳ ହୋଇଛି । କରୋନାର ବାଧକ ସତ୍ତେ୍ୱ ରାଜ୍ୟରେ ବିକାଶର ଧାରା ଜାରି ରହିବ । ଦଳର କାର୍ଯ୍ୟକାରିଣୀରେ ଏ ନିଷ୍ପତ୍ତି ହୋଇଛି । କାର୍ଯ୍ୟକାରିଣୀରେ ୯ଟି ରାଜନୈତିକ ପ୍ରସ୍ତାବରେ ଲାଗିଛି ମୋହର ।
ସ୍ୱର ଥିଲା ବେଶ ଶାଣିତ ଆଉ ତଗଡ଼ା । ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ ଆକ୍ରମଣ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପ୍ରତି ଥିଲା । ମାତ୍ର ଆଜି ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଦଳୀୟ ନେତାଙ୍କ ସ୍ୱରରେ କେନ୍ଦ୍ର ବିଜେପି ସରକାର ପ୍ରତି ଥିଲା କଠୋର ସମାଲୋଚନା । ଦଳୀୟ ନେତାମାନେ ବୁଲେଇ କି ବଙ୍କେଇ ନୁହଁ, ସିଧା ବିଜେପିକୁ ନିଶାନା କରିଥିଲେ । କାଠଗଡାରେ ଛିଡ଼ା କରାଇଥିଲେ । ବିଜେପି ବିରୋଧରେ ଦଳୀୟ ନେତାଙ୍କ ରାଗ ପଦାକୁ ଫୁଟି ବାହାରିଥିଲା । ସଂଘୀୟ ବ୍ୟବସ୍ଥାକୁ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ପାଇଁ ବିପନ୍ନ କରୁଛନ୍ତି । କେନ୍ଦ୍ର କୃଷି ଆଇନରେ ଚାଷୀଙ୍କର କ୍ଷତି ହେବ । ମାତ୍ର କେନ୍ଦ୍ର ସରକାର ନିଜ ଜିଦରେ ଅଟଳ ରହିବା ବିଡ଼ମ୍ବନା ବୋଲି ଦଳର ହେଭିୱେଟମାନେ ଅଭିଯୋଗ କରିଛନ୍ତି । ତେବେ ଦଳର ସଭାପତି ଓ ଦଳ ପାଇଁ ସୁରକ୍ଷା ବଳୟ ଭଳି ଆମେ ଅଛୁ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମ ସହ ଅଛି । କୌଣସି ପରିସ୍ଥିତିରେ ଆମେ ଦଳ କିମ୍ବା ସଭାପତିଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିବାକୁ ଦେବୁନି । ଏମିତି ରାଣ ନିୟମ ଖାଇଥିଲେ ଦଳୀୟ ନେତା । କାର୍ଯ୍ୟକାରିଣୀରେ ସାମିଲ ନେତାମାନଙ୍କୁ ନବୀନ ଦେଇଥିଲେ ଧାଡ଼ିକିଆ ମନ୍ତ୍ର, ପ୍ରତିଦିନ ଲୋକଙ୍କ କାମ କର । ବିଜେଡି ହେଉଛି ଲୋକଙ୍କ ଦଳ । ତେଣୁ ଲୋକଙ୍କ ସେବାରେ ନିଜକୁ ସମର୍ପିତ କର ।
ଶାସକ ବିଜେଡିର ଆଜି ବସିଥିଲା କାର୍ଯ୍ୟକାରିଣୀ ବୈଠକ । ଦଳୀୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ବୈଠକରେ ଦଳର ବରିÂ ନେତାମାନେ ୯ଟି ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ବରିÂ ନେତାମାନେ କହିଥିଲେ । ତେବେ ଦଳକୁ ତୃଣମୂଳସ୍ତରରୁ ଆହୁରି ବଳୁଆ କରିବାକୁ ହେବ । ବୁଥ୍ ବଦଳରେ ୱାର୍ଡସ୍ତରରୁ କମିଟି ଗଠନ ହେବ । ବିଦେଶରେ ଥିବା ଓଡ଼ିଆ ମଧ୍ୟ ଦଳର ସଦସ୍ୟ ହୋଇପାରିବେ । ଏଥିପାଇଁ ଦଳର ସମ୍ବିଧାନରେ ସଂଶୋଧନ ଅଣାଯାଇଛି । ତେବେ ଏ ବୈଠକ ସ୍ପଷ୍ଟ କହୁଥିଲା, ଯେ କେନ୍ଦ୍ରର ବିଜେପି ବିରୋଧରେ ଆଗକୁ ବିଜେଡିର ଲଢେ଼ଇ ଜୋରଦାର ହେବ । ଏଥିପାଇଁ ବିଜେଡି ନିଜ ସମର ବାହିନୀକୁ ପ୍ରସ୍ତୁତ ରଖୁଛି ।
ବୈଠକରେ ଅଭିଯୋଗ ଉଠିଥିଲା ଯେ, ରାଜ୍ୟ ବହୁବାର ପ୍ରାକୃତିକ ଦୁର୍ବିପାକର ମାଡ଼ ସହୁଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ସମସ୍ତ ଯୋଗ୍ୟତା ସତ୍ତେ୍ୱ କେନ୍ଦ୍ର ପ୍ରତାରଣା କରିଆସୁଛି । ଏହା କେବଳ ଆମର ଦାବି ନୁହେଁ, ରାଜ୍ୟର ହକ୍ । ଏଥିପାଇଁ ସରକାର ଓ ଦଳର ଲଢେ଼ଇ ଜାରି ରହିବ । କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦେଇ ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଦେଢ଼ଗୁଣା ଏମଏସପି ଦେବାକୁ ରାଜ୍ୟର ଦାବିକୁ କେନ୍ଦ୍ର ଅଣଦେଖା କରୁଛି । ଦଳ ଏହାକୁ ବରଦାସ୍ତ କରିବନି । ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ମିଳୁଛି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନେଇ ବିଜେଡିର ଦାବି ଏବେ ବି ଶୀତଳଭଣ୍ଡାରରେ । ଏହାକୁ କେନ୍ଦ୍ର ଗମ୍ଭୀରତାର ସହ ନେବା ବଦଳରେ ଅଣଦେଖା କରିଆସୁଛି ବୋଲି ବିଜେଡିର ଛାମୁଆ ନେତାମାନେ ଅଭିଯୋଗ ଆଣି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ ।
ଓଡିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ରାଜନୈତିକ ପ୍ରସ୍ତାବ ଆସିଥିଲା । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପ୍ରଦାନ, ରାଜ୍ୟର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ଦାବି ଉଠିଛି । ଏହାଛଡ଼ା ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ମଧ୍ୟ ଦଳର ପ୍ରସ୍ତାବ ବୈଠକରେ ଅନୁମୋଦନ ପାଇଛି । କେନ୍ଦ୍ର ରାଜ୍ୟର ଏସବୁ ଦାବି ଓ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଥିବାରୁ ଲଢେ଼ଇକୁ ଜୋରଦାର କରିବାକୁ ଦଳ ନିଷ୍ପତ୍ତି ନେଇଛି । ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି ।
କେବଳ ସେତିକି ନୁହେଁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପି କିମ୍ବା କଂଗ୍ରେସ ଯେପରି କୌଣସି ଆସନରେ ଜିତି ନପାରିବେ ସେଥିପାଇଁ ଧ୍ୟାନ ଦେଇ ୱାର୍ଡ ଜଗିବାକୁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଛି । ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସଭାପତିଙ୍କ ଅନୁମତିକ୍ରମେ ସଭା ପରିଚାଳନା କରି କହିଲେ, ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୮୦ ହଜାରରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ଦଳ ଆହୁରି ୫୦ ବର୍ଷ ଶାସନ କରିବ । ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।
ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିÂ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଦେବୀପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ, କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖର ସାହୁ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ଓ ଯୋଗାଯୋଗ) ମାନସ ରଞ୍ଜନ ମଙ୍ଗରାଜ ଓ ସାଂସଦ ଡଃ. ସସ୍ମିତ ପାତ୍ରଙ୍କ ସହ ୮୦ ଜଣ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons