ଫୁଲବାଣୀ,(ବି.ବି.ନୁ୍ୟଜ୍): କନ୍ଧମାଳରେ ବେଆଇନ ଗଞ୍ଜେଇ ଚାଲାଣ ଥମିବାର ନାଧରୁନି । ଫିରିଙ୍ଗିଆ ଥାନା ସପ୍ତାହ ମଧ୍ୟରେ ୩ଟି ଗଞ୍ଜେଇ ଚାଲାଣ ଘଟଣା ଧରିବାରେ ସକ୍ଷମ ହୋଇଛି । ଆଜି ପୁଣି ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସ ଧରିଛି । ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟାରେ ବାଲିଗୁଡ଼ାରୁ ଭୁବନେଶ୍ୱରକୁ ଏକ କାର୍ (ଓଡି୩୩ୱାଇ-୩୬୯୨) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ମଣିପଦର ଛକ ନିକଟରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେଥିରୁ ୬୪ କେଜି ୨୦୦ ଗ୍ରାମ ଗଞ୍ଜେଇ ପାଇଥିଲା । ପୁଲିସ କାର ସହ ଗଞ୍ଜେଇ ଜବତ କରି ଏଥିରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଅନ୍ତର୍ଗତ ସାନଗୁଡା ଗ୍ରାମର ରାକେଶ ଦିଗାଲ(୨୪),ଦିନେଶ କୁମାର ଦିଗାଲ(୨୨), ରବିଲା ଦିଗାଲ(୩୦) ଓ ଘୁ. ଉଦୟଗିରିର ଏଲିମ ହବାବ୍ ହକୁ ବୋଲି ପୁଲିସ କହିଛି । ସେମାନଙ୍କ ନାମରେ ଏନଡିପିଏସ ଆଇନ ଅନୁସାରେ ୭୫/୨୦୨୦ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏବେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଲାଣ ଧରପଗଡ଼ ଚାଲିଛି । ଗତ ୪ ତାରିଖରେ କାର୍ ସହ ୫୦ କିଲୋ ଗଞ୍ଜେଇ ଜବତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୁଣି ପରଦିନ ଦୁଇଟି ବାଇକ୍ ସହ ୫୦ କିଲୋ ଗଞ୍ଜେଇ ଜବତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏକ ସପ୍ତାହ ମଧ୍ୟରେ ବାଲିଗୁଡା ଥାନା ୨ଟି ଗଞ୍ଜେଇ ଚାଲାଣ ଘଟଣା ଧରିଥିବା ବେଳେ ଜି. ଉଦୟଗିରି, ଗୋଛାପଡା ଥାନା, ରାଇକିଆ ଥାନା ମଧ୍ୟ ଗଞ୍ଜେଇ ଚାଲାଣ ଧରିବା ସହ କାର ବାଇକ୍ ଆଦି ଜବତ କରି ପ୍ରାୟ ୧୫ରୁ ଉଦ୍ଧ୍ୱର୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.