କାଳବୈଶାଖୀରେ ଉଡ଼ିଲା ଛପର

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ୍):ପୋଡାଗଡ ପଞ୍ଚାୟତ ସଦରରେ ସୋମବାର କାଳବୈଶାଖୀ ତଣ୍ଡବ ଦେଖାଇଛି । ଅନେକ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ବର୍ଷାରେ ଲୋକଙ୍କ ଆସବାବ, ଖାଦ୍ୟଶସ୍ୟ, ଲୁଗାପଟା ଆଦି ଓଦା ହୋଇ ନଷ୍ଟ ହୋଇଯାଇଛି । ଖ୍ରୀଷ୍ଟିଆନ ସାହିରେ ଜଣେ ବିଧବାଙ୍କ ଘର ଆଜବେଷ୍ଟସ୍ ଉଡିଯିବାରୁ ସେ ନିରାଶ୍ରୟ ହୋଇପଡିଛନ୍ତି । ଏହି ମହିଳା ହେଲେ ସାହିର ନିକଲା ବେନ୍ୟା । ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଧରି ନିକଲା ଏବେ ବଡ ହଇରାଣ ହେଉଛନ୍ତି । ଅଞ୍ଚଳର ଶତାଧିକ ଏକରର କାଜୁ ବଗିଚା ମଧ୍ୟ କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ, ଅପରାହ୍ଣରେ ଏଠାରେ ପ୍ରବଳ ବେଗରେ ପବନ ବହିବା ସହ ଘଡଘଡି ଓ ବର୍ଷା ହୋଇଥିଲା । କୁଆପଥର ମାଡ ମଧ୍ୟ ଆରମ୍ଭ ହୋଇଥିଲା । ଗତ କିଛି ଦିନ ତଳେ ଲୋକେ ୩ ମାସ ପାଇଁ ଆଗୁଆ ସରକାରୀ ପିଡିଏସ୍ ଚାଉଳ ପାଇଥିଲେ । ବର୍ଷାରେ ଅଧିକାଂଶଙ୍କର ଚାଉଳ ଓଦା ହୋଇ ନଷ୍ଟ ହୋଇଯାଇଥିଲା । କେତେକଙ୍କ ଆସବାବ, ଲୁଗାପଟା ଓ ଜରୁରୀ ସମାଗ୍ରୀ ଏଥିରେ ନଷ୍ଟ ହୋଇଥିଲା ।
ନିକଲା ବେନ୍ୟା କହିଛନ୍ତି, ସ୍ୱାମୀଙ୍କ ମୃତୁ୍ୟ ପରେ ୪ ପିଲାଙ୍କୁ ନେଇ ଆଜବେଷ୍ଟସ ଘରେ ରହୁଥିଲୁ । ପବନରେ ଛପର ଉଡି ଯାଇଛି । ଖାଦ୍ୟଶସ୍ୟ ବି ଓଦା ହୋଇ ନଷ୍ଟ ହୋଇଯାଇଛି । ପିଲାମାନେ ଏବେ କେଉଁଠି ରହିବେ ଓ କ’ଣ ଖାଇବେ ସେ ନେଇ ଚିନ୍ତା ବଢି ଯାଇଛି । କୁଲି କାମ କରି ପରିବାର ଚଳାଉଥିବା ଏହି ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ବିଧବାଙ୍କୁ ଜରୁରୀକାଳୀନ ସହାୟତା ଦେବାକୁ ମଧ୍ୟ କେତେଜଣ କହିଛନ୍ତି । ଏ ସମ୍ପର୍କରେ ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons